ରାୟଗଡା: ଫୁଲ ଝାଡୁ ସେ ଧନୀ ହେଉ କି ଗରିବ ସମସ୍ତଙ୍କର ଜରୁରୀ ଜିନିଷଟିଏ। ତେବେ ଏହି ଫୁଲ ଝାଡୁ କିଣିବା ପାଇଁ ବଜାରକୁ ଗଲେ ମୂଲଚାଲ କରିବା ପରେ ମଧ୍ୟ ୪୦ରୁ ୫୦ ଟଙ୍କା ନ ହେଲେ ଖରିଦ କରି ହେବ ନାହିଁ। ରାୟଗଡା ଜିଲ୍ଲାର ଆଦିବାସୀ ଭାଇଭଉଣୀମାନେ ଜଂଗଲରୁ ଫୁଲ ଝାଡୁ ସଂଗ୍ରହ କରି ନିଜର ଆର୍ଥିକ ସ୍ଥିତି ମଜବୁତ କରିଥାନ୍ତି। ତେବେ ଜଂଗଲକୁ ଯାଇ ଝାଡୁ ଗଛ କାଟି ଆଣି ତାକୁ ପୁଣି ଘରେ ଝାଡୁ ତିଆରି କରିବା ବହୁ କଷ୍ଟ ଏବଂ ପରିଶ୍ରମ କରିବାକୁ ପଡେ।କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଫୁଲ ଝାଡୁ ଜଂଗଲରୁ ବାହାରି ଏବେ ଚାଷ ଜମିରେ ପହଞ୍ଚିଛି। ରାୟଗଡା ବ୍ଲକ ଅନ୍ତର୍ଗତ ପିତାମହଲ ପଞ୍ଚାୟତର କୋଡେସୁ ଗ୍ରାମରେ ବାସ କରୁଥିବା ଅନନ୍ତ ନାୟକଙ୍କ ବାଡି ବଗିଚାରେ ଏବେ ଫୁଲଝାଡୁ ଗଛ।ଅନନ୍ତ ଜଂଗଲକୁ ଯାଇଥିବା ବେଳେ ସେ ଫୁଲଝାଡୁ ଗଛ ଆଣି ନିଜ ଜମି ନିକଟରେ ରଖିଥିଲେ। ତେବେ ସେଠାରୁ ଗଜା ବାହାରି ଜମିରେ ଗଛଗୁଡିକ ସୃଷ୍ଟି ହୋଇଥିଲା। ଯାହାକୁ ଦେଖି ଅନନ୍ତ ଖୁସି ହୋଇଥିଲେ। ତାଂକ ନିକଟକୁ ଆସିଥିବା ଜଣେ ବନ ଅଧିକାରୀ ତାଂକୁ ଏହି ଚାଷ କରିବାକୁ ପ୍ରେରଣା ମଧ୍ୟ ଦେଲେ।

Advertisment

ଅନନ୍ତ ପ୍ରଥମେ ଗୋଟିଏ ଏକରରେ ଏହି ଫୁଲ ଝାଡୁ ଚାଷ କଲେ।ଦେଖିଲେ ବିନା ଖର୍ଚ୍ଚ ଏବଂ ବିନା ପରିଶ୍ରମରେ ଫୁଲ ଝାଡୁ ଗଛ ବଢିବା ସହ ଅଧିକା ଫସଲ ଦେଉଛି।ବର୍ଷକୁ ପ୍ରାୟ ୪୦ରୁ ୫୦ ହଜାର ଟଂକା ରୋଜଗାର କଲେ। ଅନ୍ୟ ଚାଷ ଯେପରି ମାଣ୍ଡିଆ, ଧାନ, ମକା, ଚିନାବାଦାମ, ସୂର୍ଯ୍ୟମୁଖୀ, ପନିପରିବା ଭଳି ଚାଷରେ ଅଧିକା ଟଂକା ଖର୍ଚ୍ଚ ହେବା ସହ ପରିଶ୍ରମ ମଧ୍ୟ ଅଧିକା ଲାଗୁଛି। ରୋଜଗାର ମଧ୍ୟ ଆଶାଜନକ ହେଉନାହିଁ। ତେଣୁ ଅନନ୍ତ ଆଗକୁ ନିଜର ଚାରି ଏକର ଜମିରେ ଏହି ଫୁଲଝାଡୁ ଚାଷ କରିବେ ବୋଲି ମନସ୍ଥ କରିଛନ୍ତି। ଏହି ଚାଷ କରି ନିଜେ ରୋଜଗାରକ୍ଷମ ହେବା ସହ ଅନ୍ୟ ୧୦ ଜଣକୁ ମଧ୍ୟ ରୋଜଗାର ଦେଇପାରୁଥିବା କହିଥିଲେ। ସୂଚନାଯୋଗ୍ୟ ଯେ ରାୟଗଡାର ଫୁଲ ଝାଡୁ ଦେଶର କୋଣ ଅନୁକୋଣରେ ପହଞ୍ଚୁଛି। ଅନଲାଇନରେ ମଧ୍ୟ ଏହା ଆଗକୁ ବିକ୍ରି ହେବାର ଯୋଜନା ରହିଛି। ନିଜେ ଅନନ୍ତ ଏବେ ଫୁଲଝାଡୁର ଚାରା ମଧ୍ୟ ପ୍ରସ୍ତୁତ କଲେଣି। ଗୋଟିଏ ଚାରାକୁ ୩୦ ଟଂକା ଲେଖାଏଁ ବିକ୍ରି କରୁଛନ୍ତି। ଏଥିରୁ ମଧ୍ୟ ସେ ବେଶ ଦିପଇସା ରୋଜଗାର କରୁଥିବା କହିଥିଲେ।ଫୁଲ ଝାଡୁ ପାଇଁ ଆଉ ଜଂଗଲକୁ ଯିବାକୁ ପଡିବ ନାହିଁ ବୋଲି ସେ କହନ୍ତି। ନିଜ ଜମିରେ ଏହାକୁ ମାତ୍ର ଲଗାଇ ଦେଲେ ଗଛ ଆପେ ଆପେ ଉଠୁଛି। କୌଣସି ଖତ କିମ୍ବା ସାର ଦେବାକୁ ପଡୁ ନାହିଁ। ବିନା ଖର୍ଚ୍ଚରେ ଗଛଗୁଡିକ ଆପେ ଆପେ ୫ରୁ ୬ ଫୁଟ ହୋଇଯାଉଛି। ଏବେ ଜଂଗଲରେ ଫୁଲଝାଡୁ ମଧ୍ୟ ଲୋପ ପାଇବାକୁ ଲାଗିଲାଣି।

publive-image

ଆଦିବାସୀଙ୍କ ରୋଜଗାରର ମାଧ୍ୟମ ପାଲଟିଥିବା ଫୁଲଝାଡୁ ଆଗକୁ ଉଭେଇଯିବ। ତେଣୁ ଅନନ୍ତଙ୍କ ଭଳି ଯଦି ଅନ୍ୟ ଚାଷୀ ନିଜ ଜମିରେ ଫୁଲଝାଡୁ ଚାଷ କରନ୍ତେ ତେବେ ବେଶ ରୋଜଗାରକ୍ଷମ ହେବା ସହ ନିଜର ଆର୍ଥିକ ସ୍ଥିତି ମଧ୍ୟ ସୁଦୃଢ କରିପାରନ୍ତେ ବୋଲି କୁହାଯାଇଛି। ଅନ୍ୟଦିଗରେ ଓରମାସର ଅଧିକାରୀ ମନୋଜ ପାତ୍ରଙ୍କ କହିବା ଅନୁଯାୟୀ ଜିଲ୍ଲାରେ ଫୁଲଝାଡୁ ଉତ୍ପାଦନ ବେଶ ଅଧିକା ହେଉଛି। ଗତବର୍ଷ ଏକ ଲକ୍ଷ ଫୁଲ ଝାଡୁ ବାହାରକୁ ରପ୍ତାନୀ କରାଯାଇଥିଲା। ଚଳିତ ବର୍ଷ ୨ ଲକ୍ଷ ଫୁଲ ଝାଡୁ ରପ୍ତାନୀ କରାଯିବ ବୋଲି ଶ୍ରୀ ପାତ୍ର ସୂଚନା ଦେଇଥିଲେ। ତେବେ ରାୟଗଡାରେ ଫୁଲଝାଡୁ ପ୍ଲାଣ୍ଟ ବସାଇବା ନେଇ ମଧ୍ୟ ଯୋଜନା ଥିବା ସେ କହିଥିଲେ। ଫୁଲଝାଡୁ ଚାଷ କରି ଜଣେ ବେଶ ଦିପଇସା ରୋଜଗାର କରିପାରିବ ବୋଲି ସେ ମତ ଦେଇଥିଲେ। ତେଣୁ ଚାଷୀ ଏହି ଚାଷକୁ ମଧ୍ୟ ଆପଣେଇବାକୁ ସେ ଅନୁରୋଧ କରିଥିଲେ। ଅନନ୍ତଙ୍କ ଏହି ପ୍ରଚେଷ୍ଟା ଆଗାମୀ ଦିନରେ ଅନ୍ୟ ଚାଷୀଙ୍କ ପାଇଁ ପ୍ରେରଣା ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।