ନଦୀ ଭିତରେ ବ୍ରିଜ ପାଇଁ ଖୋଳା ଯାଇଥିବା ଗାତରେ ପଡ଼ି ଚାଲିଗଲା କଅଁଳ ଭାଇଭଉଣୀଙ୍କ ଜୀବନ

ଦଶରଥପୁର: ପିଉସୀ ଘରୁ ଯିବା ବାଟରେ ଛକି ବସିଥିଲା ଯମ । ଶୁଖିଲା ବୈତରଣୀ ନଦୀ ଭିତରେ ବ୍ରିଜ ପାଇଁ ଖୋଳା ଯାଇଥିବା ଗାତରେ ପଡ଼ି କଅଁଳ ଭାଇଭଉଣୀଙ୍କ ଜୀବନ ଚାଲିଯାଇଛି । ଭଦ୍ରକ ଜିଲ୍ଲା ଧାମନଗନର ଥାନା ଅନ୍ତର୍ଗତ ସୋହଡ଼ା ଗ୍ରାମର ଟୁକୁ ଦାଶଙ୍କ ଝିଅ ବର୍ଷାରାଣୀ ଦାଶ(୧୧) ଓ ପୁଅ ବାତୁଆ ଦାଶ(୫) ହାତ ଧରାଧରି ହୋଇ ଖୁସି ମନରେ ଶୁଖିଲା  ନଦୀ ଆରପାଖ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଜୟନ୍ତରା ଗ୍ରାମରେ ଥିବା ପିଉସୀ ଘରକୁ ଆସୁଥିଲେ । ହେଲେ ବିଧିର ବିଧାନ ବିଚିତ୍ର ଥିଲା। ସେମାନେ ଦିନ ୧୨ଟାରୁ ଘରୁ ବାହାରି ଥିବା ବେଳେ ପିଉସୀ ଘରେ ପହଂଚି ନଥିବାରୁ ଉଭୟ ପରିବାର ଖୋଜାଖୋଜି କରିଥିଲେ ।

ତେବେ ଅପରାହ୍ନ ସମୟରେ ନଦୀରେ ଏକ ବିଜୁ ସେତୁ ପାଇଁ ଖୋଳା ଚାଲିଥିବା ଗାତରେ ପଡ଼ି ଜୀବନ ହାରିଦେଲେ । କାରଣ ଗାତରେ ପାଣିଥିଲା ଏବଂ ଛୋଟ ପିଲା ହୋଇଥିବାରୁ ସେମାନେ ସେଠାରୁ କୌଣସି ପ୍ରକାରରେ ବାହାରକୁ ଆସିବା ପାଇଁ ବାଟ ପାଇପାରି ନଥିଲେ। ଉଭୟଙ୍କ ମୃତ୍ୟୁ ପରେ ମୃତଦେହ ପାଣିରେ ଭାସିବାରୁ ସ୍ଥାନୀୟ ଲୋକ ଏହା ଜାଣିବାକୁ ପାଇଥିଲେ । ବର୍ତ୍ତମାନ ମୃତକଙ୍କ ବାପା-ମା’ ଭାଙ୍ଗି ପଡିଥିବା ବେଳେ ସ୍ଥାନୀୟ ଅଂଚଳରେ ଶୋକର ପରିବେଶ ସୃଷ୍ଟି ହୋଇଛି ।

ସମ୍ବନ୍ଧିତ ଖବର