ଖେଳ ହେଲା କାଳ: ଏକାଠି ଆଖି ବୁଜିଲେ ଭାଇ ଓ ଭଉଣୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଛତ୍ରପୁର ଥାନା ଅଧିନ ବିରେଶ୍ୱର ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ସେଠାରେ ଖେଳୁଖେଳୁ ଭାଇ ଓ ଭଉଣୀ ଦୁହେଁ ବୁଡ଼ି ଯାଇଥିଲେ। ଏହି ଘଟଣା ସମ୍ପର୍କରେ ଖବର ପାଇ ଗ୍ରାମବାସୀ ଦୁହିଁଙ୍କୁ ପାଣି ଭିତରୁ ଉଦ୍ଧାର କରିଥିଲେ ହେଁ ସେତେବେଳକୁ ଭାଇ ଓ ଭଉଣୀଙ୍କ ମୃତ୍ୟୁ ହୋଇସାରିଥିଲା।

ସୂଚନାଯୋଗ୍ୟ, ବିରେଶ୍ୱର ଗ୍ରାମର ଶିବ ମହାପାତ୍ରଙ୍କ ୭ବର୍ଷର ପୁଅ ବାଦଲ ଓ ଝିଅ ବର୍ଷା ଘର ବାହାରେ ଖେଳୁ ଥିଲେ। ଏହି ସମୟରେ ଘରେ କାହାକୁ କିଛି ନ କହି ବାଦଲ ଓ ବର୍ଷା ଘର ପାଖ ପୋଖରୀକୁ ଗୋଧୋଇବାକୁ ଚାଲି ଯାଇଥିଲେ। ସେଠାରେ ପିଲା ଦୁଇ ଜଣ ପାଣି ଭିତରେ ଖେଳୁଥିବା ବେଳେ ହଠାତ ବୁଡ଼ି ଯାଇଥିବା ଗ୍ରାମବାସୀ ଅନୁମାନ କରୁଛନ୍ତି।

ତେବେ ଅନେକ ସମୟ ଧରି ବାଦଲ ଓ ବର୍ଷା ଘରକୁ ଫେରି ନ ଥିବାରୁ ପରିବାରଲୋକ ତାଙ୍କୁ ଅନେକ ଖୋଜାଖୋଜି କରିଥିଲେ। କିନ୍ତୁ କୌଣସି ସନ୍ଧାନ ପାଇ ନ ଥିଲେ। କିଛି ସମୟ ପରେ ଗ୍ରାମର କେତେକ ଲୋକ ପୋଖରୀ ପାଣିରେ ଦୁଇ ଭାଇ ଓ ଭଉଣୀ ଭାସୁଥିବା ଦେଖିବାକୁ ପାଇଥିଲେ। ଏହାପରେ ସ୍ଥାନୀୟଲୋକ ସଙ୍ଗେସଙ୍ଗେ ବାଦଲ ଓ ବର୍ଷାଙ୍କୁ ପୋଖରୀ ଭିତରୁ ଉଦ୍ଧାର କରି ଛତ୍ରପୁର ମେଡିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ସେଠାରେ ଦୁହିଁଙ୍କୁ ଦେଖି ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ସମ୍ବନ୍ଧିତ ଖବର