ପୋଲସରା: ଗଞ୍ଜାମ ଜିଲ୍ଲା ପୋଲସରାରେ ଘଟିଥିବା ଗୁଳିକାଣ୍ଡ ଘଟଣାର ହତ୍ୟାକାରୀକୁ ଗିରଫ କରିଛି ପୁଲିସ। ହତ୍ୟାକାରୀ ଜଣକ ବୁଗୁଡ଼ା ଥାନା ବାଲିପଦର ନିକଟସ୍ଥ ଝୋଲରି ଗ୍ରାମର ପ୍ରଶାନ୍ତ ବେହେରା ବୋଲି ପୁଲିସ କହିଛି। ପ୍ରଶାନ୍ତ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ। ଘଟଣାରେ ବ୍ୟବହୃତ ହୋଇଥିବା ଦେଶୀ ବନ୍ଧୁକ, ୨୩ ରାଉଣ୍ଡ୍ ଗୁଳି, ଛୁରି ଓ ଖୋକା ଜବତ କରିଛି ପୁଲିସ। ପୋଲସରା ଥାନାରେ ନମ୍ବର ୪୦୭/୨୩ରେ ଏକ ମାମଲା ରୁଜୁ କରାଯାଇ ହତ୍ୟାକାରୀ ପ୍ରଶାନ୍ତକୁ ଗିରଫ କରାଯାଇଛି। ସମ୍ପତ୍ତି ବିବାଦକୁ କେନ୍ଦ୍ର କରି ପ୍ରଶାନ୍ତ ଗତକାଲି ତାଙ୍କର ଶାଳକଙ୍କ ଶ୍ବଶୁରଙ୍କୁ ଗୁଳିକରି ହତ୍ୟା କରିଥିଲା ବୋଲି ପୁଲିସ କହିଛି।
ସୋଡ଼କ ଗ୍ରାମର ଗୋବିନ୍ଦ ବେହେରା କୋଇଲା ଖଣିରେ କାର୍ଯ୍ୟ କରୁଥିଲେ। ଚାକିରିରୁ ଅବସର ନେବା ପରେ ସେ ଜମି ଓ ଘର ଖରିଦ୍ କରିଥିଲେ। ଗୋବିନ୍ଦଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ଝିଅକୁ ପ୍ରଶାନ୍ତଙ୍କ ସହିତ ବାହା କରାଇଥିଲେ। ବାହାଘର ପରେ ଗୋବିନ୍ଦଙ୍କ ସମ୍ପତ୍ତିକୁ ନେଇ ସର୍ବଦା ଝିଅ, ଜ୍ବାଇଁ ଓ ଶ୍ବଶୁରଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା। ଗୋବିନ୍ଦଙ୍କ ପୁଅ ସନ୍ତୋଷ ପୋଲସରା ବ୍ଲକ୍ ଛକରେ ଏକ ଡ୍ରେସ୍ ସିଲେଇ ଦୋକାନ କରିଥିବା ବେଳେ ଖଲ୍ଲିକୋଟ ଥାନା କୋମଣ୍ଡ ଗ୍ରାମର ବିଜୟ ବେହେରାଙ୍କ ଝିଅ ଗାୟତ୍ରୀଙ୍କୁ ବାହା ହୋଇଛନ୍ତି। ଗତ କିଛିଦିନ ତଳେ ଗୋବିନ୍ଦ ଏକ ଘର ବିକ୍ରି କରିଥିଲେ। ବିକ୍ରିର ଭାଗ ମାଗିବା ସହ ଗୋବିନ୍ଦଙ୍କ ଠାରୁ ଘର କିଣିଥିବା ବ୍ୟକ୍ତିଙ୍କୁ ଜ୍ବାଇଁ ପ୍ରଶାନ୍ତ ଧମକ୍ ଦେଇ ଆସୁଥିଲେ। ଗତକାଲି ବ୍ଲକ୍ ଛକ ସ୍ଥିତ ସନ୍ତୋଷଙ୍କ ଘରେ ସମ୍ପତ୍ତି ବିବାଦକୁ ନେଇ ଝଗଡ଼ା ହୋଇଥିଲା।
ଏହି ସମୟରେ ଗାୟତ୍ରୀଙ୍କ ବାପା ବିଜୟ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। କିଛି ସମୟରେ ଆଲୋଚନା ପରେ ଘରେ ଝଗଡ଼ା ହୋଇଥିଲା। ଏହାପରେ ଘର ବାରଣ୍ଡାରେ ଥିବା ଏକ ଝରକା ଦେଇ ଭିଣୋଇ ପ୍ରଶାନ୍ତ ବନ୍ଧୁକରେ ଶ୍ବଶୁର ବିଜୟ ଓ ସ୍ତ୍ରୀ ଗାୟତ୍ରୀଙ୍କ ଉପରକୁ ଗୁଳି ଫୁଟାଇଥିଲା। ଫଳରେ ଶ୍ବଶୁରଙ୍କ ଛାତିରେ ଗୁଳି ବାଜିଥିବା ବେଳେ ପତ୍ନୀଙ୍କ ହାତରେ ମଧ୍ୟ ଗୁଳି ବାଜିଥିଲା। ଏହାପରେ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଶ୍ବଶୁର ବିଜୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। କିନ୍ତୁ ଏହି ଘଟଣାର ପ୍ରାୟ ଅଢ଼େଇ ଘଣ୍ଟା ପୂର୍ବରୁ ଘରେ ହୋଇଥିବା ଗଣ୍ଡଗୋଳ ସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲୁ। ପୁଲିସ ସେହି ସମୟରେ ପଦକ୍ଷେପ ଗ୍ରହଣ କରିଥିଲେ ଶ୍ବଶୁରଙ୍କ ଜୀବନ ବଞ୍ଚି ଯାଇଥାନ୍ତା ବୋଲି ସନ୍ତୋଷ କହିଛନ୍ତି।
ଗୁରୁବାର ସକାଳେ ମୃତ ବିଜୟଙ୍କ ଶବର ପଞ୍ଚାନାମା ପରେ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଏହି ସମୟରେ ପ୍ରୋବେସନାରି ଆଇପିଏସ୍ ବିନୋଦ ପାଟିଲ, ପୋଲସରା ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ପ୍ରମୁଖ ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉପସ୍ଥିତ ଥିଲେ। ମୃତକଙ୍କ ଜ୍ବାଇଁ ସନ୍ତୋଷଙ୍କ ଅଭିଯୋଗ କ୍ରମେ ପୁଲିସ ହତ୍ୟା ମାମଲା ରୁଜୁ କରି ହତ୍ୟାକାରୀ ଭିଣୋଇ ପ୍ରଶାନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।