ରାଇଘର : ସାମାନ୍ୟ ଜମିଜମାକୁ କେନ୍ଦ୍ର କରି ଦୁଇ ଭାଇ ମିଶି ଅନ୍ୟ ଏକ ଭାଇଙ୍କୁ ପିଟି ପିଟି ମାରି ଶେଷରେ ଏକ ନୀଳଗିରି ଜମିରେ ପୋତି ଦେଇଥିଲେ | ଏହି ଘଟଣା ପରିବାର ଲୋକ ଜାଣି ପାରି ନଥିବା ବେଳେ ନିଖୋଜ ହୋଇଥିବା ସନ୍ଦେହ କରି ଥାନାରେ ଲିଖିତ ଜଣାଇଥିଲେ l ଅନ୍ୟପଟେ ଏହିି ଘଟଣାରେ ତିନି ଅଭିଯୁକ୍ତଙ୍କୁ ଗ୍ରାମବାସୀ ସନ୍ଦେହ କରି ନିର୍ଦ୍ଧୁମ ଛେଚିବା ପରେ ଘଟଣା ପଦାକୁ ଆସିଥିଲା l ଏଭଳି ଅମାନୁଷିକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ବୋବେଇ ଗ୍ରାମରେ l ଅନ୍ୟପଟେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ କବଳରୁ ତିନି ଅଭିଯୁକ୍ତଙ୍କୁ ଉଦ୍ଧାର କରି ମେଡିକାଲ ପଠାଇବା ସହ ପୋତା ଯାଇଥିବା ଶବକୁ ବାହାରକରି ଶବବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାଂତର କରି ତଦନ୍ତ ଆରମ୍ଭ କରିଛି |

Advertisment

ସୂଚନା ଅନୁଯାୟୀ ଆଜି ସକାଳ ଦିନ ପ୍ରାୟ ସାଢେ ୧ଟା ସମୟରେ ବୋବେଇ ଗ୍ରାମର ଶତାଧିକ ଲୋକେ ଉକ୍ତ ଗ୍ରାମର ୩ ଜଣ ଯୁବକଙ୍କୁ ନିର୍ଦ୍ଧୁମ ମାଡ଼ ମାରୁଥିଲେ l ଏ ନେଇ ସ୍ଥାନୀୟ ପୁଲିସକୁ ଖବର ମିଳିବା ପରେ ଥାନା ଅଧିକାରୀ ରଘୁନାଥ ମାଝୀ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ କବଳରୁ ତିନି ଜଣଙ୍କୁ ଉଦ୍ଧାର କରି ରାଇଘର ମେଡିକଲକୁ ପଠାଇ ତଦନ୍ତ ଆରମ୍ଭ କରିବା ବେଳକୁ ପ୍ରକୃତ ତଥ୍ୟ ପଦାକୁ ଆସିଥିଲା l

ପ୍ରକାଶ ଥାଉକି ବୋବେଇ ଗ୍ରାମର ବାଇଗମ ଗଣ୍ଡଙ୍କ ଦୁଇ ପୁଅ ରହିଦାସ‌ ଗଣ୍ଡ ଓ ନଡ଼ଗୁ ଗଣ୍ଡ (୩୫) ଏବଂ ତାଙ୍କ ବଡ଼ବାପାଙ୍କ ପୁଅ ସନ୍ତୁରାମ ଗଣ୍ଡଙ୍କ ମଧ୍ୟରେ କିଛି ଦିନ ଧରି ବିବାଦ ଲାଗି ରହିଥିଲା l ଗତ କିଛି ବର୍ଷ ପୂର୍ବେ ବାପା ବାଇଗମ ଗଣ୍ଡଙ୍କ ମୃତ୍ୟୁ ପରେ ଜମିଜମାକୁ କେନ୍ଦ୍ର କରି ଭାଇ ଭାଇଙ୍କ ମଧ୍ୟରେ ରହିଥିବା ବିବାଦ ଉଗ୍ରରୂପ ନେଇଥିଲା l ଗତ ୧୭ ତାରିଖ ଦିନ ପ୍ରାୟ ୨ଟା ସମୟରେ ରହିଦାସ‌ ଓ ସନ୍ତୁରାମ ଦୁହେଁ ନଡ଼ଗୁକୁ ନିଜ ଚାଷ ଜମି ଆଡ଼କୁ ଯିବା କହି ଡାକି ନେଇ ଯାଇଥିଲେ ଏବଂ ସାଥିରେ ପଡୋଶୀରେ ରହୁଥିବା ବିଭୀଷଣ ଗଣ୍ଡଙ୍କୁ ମଧ୍ୟ ଡାକି ନେଇଥିଲେ | ଜମି ନିକଟରେ ଥିବା ଜଙ୍ଗଲରେ ଡାକି ନେଇ ନଡ଼ଗୁକୁ ତିନିଜଣ ମିଶି କୋଦାଳ ସାହାଯ୍ୟରେ ମାରି ମୃତଦେହକୁ ସେଠାରେ ଛାଡି ଦେଇ ଘରକୁ ଫେରି ଯାଇଥିଲେ l କିନ୍ତୁ ଧରାପଡିବା ଭୟରେ ତିନିଜଣ ରାତି ପ୍ରାୟ ୧୨ଟା ସମୟରେ ଉକ୍ତ ଜଙ୍ଗଲକୁ ପୁଣି ଥରେ ଆସି ନଡ଼ଗୁର ମୃତଦେହକୁ ନେଇ ନିକଟସ୍ଥ ବିବେକାନନ୍ଦ ମଣ୍ଡଳଙ୍କ ନୀଳଗିରି ଜମିରେ ପୋତି ଦେଇଥିଲେ | ଅପରପକ୍ଷରେ ଏ ଘଟଣା ସମ୍ପର୍କରେ ପରିବାର ଲୋକେ କିମ୍ବା ଗ୍ରାମବାସୀ କେହି ମଧ୍ୟ ଜାଣି ପାରି ନଥିଲେ |

କିଛିଦିନ ଧରି ନଡ଼ଗୁ ଅନୁପସ୍ଥିତ ରହିବାରୁ ପରିବାର ପକ୍ଷରୁ ରାଇଘର ଥାନାରେ ଲିଖିତ ଜଣାଇବା ପରେ ଏ ନେଇ ଏକ ନିଖୋଜ ମାମଲା ରୁଜୁ ହୋଇଥିଲା | ତେବେ ପୁଲିସ କିଛି ପଦକ୍ଷେପ ନେବା ପୂର୍ବରୁ ବୋବେଇ ଗ୍ରାମବାସୀ ସନ୍ଦେହରେ ରହିଦାସ‌ , ସନ୍ତୁରାମ ଗଣ୍ଡ ଓ ବିଭୀଷଣ ଗଣ୍ଡଙ୍କୁ ଆଜି ଦିନରେ ଡାକି ପଚରାଉଚରା କରିଥିଲେ | ସେମାନେ ଏ ନେଇ ମୁହଁ ନ ଖୋଲିବା ସହ ହାଇଦ୍ରାବାଦ ଯିବାକୁ ବାହାରିବାରୁ ଗ୍ରାମବାସୀ ରାଗି ଯାଇଥିଲେ l ପରେ ଗ୍ରାମର ଶତାଧିକ ଲୋକେ ୩ଜଣଙ୍କୁ ନିର୍ଦ୍ଧୁମ ମାଡ଼ ମାରିବା ପରେ ସେମାନେ ନଡ଼ଗୁକୁ ମାରି ପୋତି ଦେଇଥିବା ସ୍ବୀକାର କରିଥିଲେ | ଅନ୍ୟପଟେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଆହତ ଅବସ୍ଥାରେ ତିନି ଜଣଙ୍କୁ ଗ୍ରାମବାସୀଙ୍କ କବଳରୁ ଉଦ୍ଧାର କରି ରାଇଘର ମେଡିକଲକୁ ପଠାଇଥିଲେ l ଘଟଣାସ୍ଥଳରେ ରାଇଘର ପୁଲିସ ସମେତ ଉମରକୋଟ ଏସଡିପିଓ ମଧୁସ୍ମିତା ମିଶ୍ର ଏବଂ ମାଜିଷ୍ଟ୍ରେଟ ଦାୟିତ୍ୱରେ ସ୍ଥାନୀୟ ତହସିଲଦାର ଜଗୁ ପୂଜାରୀ ଉପସ୍ଥିତ ରହିଥିଲେ l ନବରଙ୍ଗପୁରରୁ ସାଇଣ୍ଟିଫିକ ଟିମ୍ ଘଟଣା ସ୍ଥଳରେ ପହଞ୍ଚିବା ପରେ ସନ୍ଧ୍ୟା ପ୍ରାୟ ୭ଟା ସମୟରେ ପୋତା ଯାଇଥିବା ନଡ଼ଗୁର ମୃତଦେହକୁ କିଛି ମାତ୍ରାରେ ଖୋଳାଯାଇଥିଲା l ରାତି ଯୋଗୁଁ ମୃତ୍ୟୁଦେହକୁ ସମ୍ପୂର୍ଣ୍ଣ ରୂପେ ବାହାର କରାଯାଇ ନଥିବା ବେଳେ ଆସନ୍ତାକାଲି ଏହାର ଶବବ୍ୟବଚ୍ଛେଦ ହେବ ବୋଲି ପୁଲିସ ସୂଚନା ଦେଇଛି |