ଭଉଣୀକୁ ମାରିଦେଲା ଭାଇ, ପ୍ରମାଣ ନଷ୍ଟ ଅଭିଯୋଗରେ ୧୨ ଗିରଫ 

ଲାଞ୍ଜିଗଡ଼: ସାମାନ୍ୟ କଥାରୁ ନାବାଳିକା ଭଉଣୀକୁ ଭାଇ ମାରିଦେବା ଓ ପ୍ରମାଣ ନଷ୍ଟ କରିବା ପାଇଁ ପରିବାର ଲୋକେ ଶବ ପୋଡ଼ିଦେବା ଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଥାନା ଅନ୍ତର୍ଗତ ଧାରପଟା ଗ୍ରାମରେ। ପୁଲିସ ଅଭିଯୁକ୍ତ ଭାଇ ଅଲେଖ ବେହେରା (୨୦) ସମେତ ୧୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଂଜୁର ହେବାରୁ ସମସ୍ତଙ୍କୁ ଜେଲକୁ ପଠାଇ ଦିଆଯାଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଧାରପଟା ଗ୍ରାମର କେଶନି ବେହେରା ଝିଅ ଅନିତା ବେହେରା (୧୬) ଗତ ୭ ତାରିଖ ଦିନ ନିକଟସ୍ଥ ଗାଁ ଡୁମେରମୁଣ୍ଡାର ନିର ସାଙ୍କ ଘରକୁ ବିବାହ ଭୋଜି ଖାଇବାକୁ ଯାଇଥିଲେ। ସେଇ ଗାଁରେ ଅନିତାଙ୍କ ପିଉସୀଙ୍କ ଘର ହୋଇଥିବାରୁ ସେଠାରେ ସେ ରହିଯାଇଥିଲେ। ଗତ ୧୦ ତାରିଖ ଅପରାହ୍ନ ୩ଟା ବେଳେ ଅନିତା ଗାଁକୁ ଫେରିଥିଲେ।

ସେହିଦିନ ଅନିତାର ବଡ଼ଭାଇ ଅଲେଖ କୁଆଡ଼େ ଯାଇଥିବାବେଳେ ରାତି ୮ ଟା ଘରକୁ ଫେରି ଏତେ ଡମେରମୁଣ୍ଡା ବାହାଘର କାହିଁକି ‌ଯାଇଥିଲୁ ବୋଲି କହି ଅନିତାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲା। ମାଡ଼ ଯୋଗୁଁ ଆନିତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ବାପା କେଶନି ଓ ସାବତ ମା’ ନିଜ ବନ୍ଧୁ ବାନ୍ଧବଙ୍କୁ ଡାକି ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ୧୧ ତାରିଖ ଶୁକ୍ରବାର ଦିନ ସକାଳେ ଅନିତାଙ୍କ ଶବ ପୋଡ଼ି ଦେଇଥିଲେ। ଏନେଇ ଗ୍ରାମବାସୀ ଜାଣିବା ପରେ ବିଶ୍ୱନାଥପୁର ଥାନାରେ ଅଭିଯୋଗ କରିଥିଲେ। ସେହିଦିନ ବିଶ୍ୱନାଥପୁର ଥାନା ଅଧିକାରୀ ରୁନୁ କୁମାରୀ ମାଝୀ ଏକ ଅପମୃତ୍ୟୁ କେସ୍‌ ନଂ ୫ ରେ ମାମଲା ରୁଜୁ କରି ସାଇଣ୍ଟିଫିକ୍‌ ଟିମ୍‌ ସହ ଶ୍ମଶାନକୁ ଯାଇ ସେଠାକୁ ନାବାଳିକାଙ୍କ ହାଡ, ଖପୁରୀ, ପାଉଁଶ ସଂଗ୍ରହ କରି ଫରେନ୍‌ସିକ ଯାଞ୍ଚ୍‌ ପାଇଁ ପଠାଇଥିଲେ।

ଏହାପରେ କଳାହାଣ୍ଡି ଏସ୍‌ପି ବାତୁଲା ଗଙ୍ଗାଧର ଓ କେସିଙ୍ଗା ଏସ୍‌ଡିପିଓ ଏସ. ସୁଶ୍ରୀଙ୍କ ନିର୍ଦ୍ଦେଶକ୍ରମେ ଲାଞ୍ଜିଗଡ଼ ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର ତଦନ୍ତ ଆରମ୍ଭ କରିଥିଲେ। ଘଟଣାରେ ସାମିଲ ଥିବା ୧୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଅଭିଯୁକ୍ତମାନେ ହେଲେ ଧାରପଟା ଗାଁର ମୃତ ଅନିତାର ଭାଇ ଅଲେଖ , ବାପା କେଶନି ବେହେରା (୪୦), କୌଶଲ୍ୟା ବେହେରା (୩୫), ହର ବେହେରା (୪୫), ବଳରାମ ବେହେରା (୪୧), ଗୋମଟି ସାହୁ (୪୦), ଜୟଦେବ ବେହେରା (୫୮), ପୀତବାସ ବେହେରା (୫୭), ବିଶ୍ୱନାଥପୁର ପାଇକପଡ଼ାର ଅର୍ଜୁନ ବେହେରା (୪୫), ବିଶ୍ୱନାଥପୁର କଲେଜପଡ଼ାର ଭଗତ ବେହେରା (୨୯), ଡୁମେରମୁଣ୍ଡା ଗାଁର ଦାସ ବେହେରା (୪୫), ବିଶ୍ୱନାଥପୁର ବସ୍ତି ପଡ଼ାର ଜିତେନ୍ଦ୍ର ବେହେରା (୩୪)। ଅଭିଯୁକ୍ତମାନଙ୍କୁ ୟୁଏସ୍‌ ୩୦୨/୨୦୧/୩୪ ଆଇପିସି ସେକ୍ସନ ୭୫ ଜେଜେ ଆକ୍ଟରେ କେସ୍‌ ନଂ ୫୪ ୧୫/୨/୨୦୨୦ରେ ମାମଲା ରୁଜୁ କରି କୋର୍ଟଚାଲାଣ କରିଥିବା ଲାଞ୍ଜିଗଡ଼ ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ, କେଶନିଙ୍କ ପ୍ରଥମ ପତ୍ନୀଙ୍କ ତରଫରୁ ତାଙ୍କର ଦୁଇ ପୁଅଝିଅ ଅଲେଖ ଓ ଅନିତା । ପ୍ରଥମ ପତ୍ନୀ କୁଆଡ଼େ ପଳେଇ ଯିବା ପରେ ସେ ଦ୍ବିତୀୟ ବିବାହ କରିଥିବା ପୁଲିସ ସୂତ୍ରୁର ପ୍ରକାଶ।

ସମ୍ବନ୍ଧିତ ଖବର