କେବଳ ସହରରେ ନୁହେଁ..ବାଲିକୁଦା ଗାଁ ଗାଁରେ ଧଳା ଜହର, ପ୍ରତିବାଦରେ ଫାଣ୍ଡି ଘେରାଉ

ଅବକାରୀ-ପୁଲିସ ଶୁଣିଲାନି, ଖସିଗଲା ବ୍ରାଉନସୁଗାର ବେପାରୀ

ଜଗତସିଂହପୁର ଟାଉନ୍/ମାଛଗାଁ/ବାଲିକୁଦା: କେବଳ ସହରାଞ୍ଚଳ ନୁହଁ, ପୂରା ଗ୍ରାମାଞ୍ଚଳରେ ଧଳା ଜହର କାରବାର ସଙ୍ଗିନ ପରିସ୍ଥିତି ସୃଷ୍ଟି କଲାଣି। ଗାଁ ଗାଁରେ ମିଳୁଛି ବ୍ରାଉନସୁଗାର ବା ଧଳାଜହର। ପ୍ରତି ଗାଁରେ ପାନ ଦୋକାନ ଭଳି ଏହି ଜହର ବିକ୍ରି କରାଯାଉଛି। ବିଶେଷକରି ଯୁବସମାଜ ପଥଭ୍ରଷ୍ଟ ହେଉଛି। ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନନ୍ତପୁର ଫାଣ୍ତି ଅଧୀନରେ ଥିବା ଗାଁ ଗୁଡ଼ିକରେ ବ୍ରାଉନ୍‌ସୁଗାର ବିକ୍ରି ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତକାଲି ବ୍ରାଉନସୁଗାର ବିକ୍ରି ହେଉଥିବା ନେଇ ସ୍ଥାନୀୟ ଯୁବକମାନେ ସ୍ବର ଉଠାଇବା ସହ ଜଣେ ବେପାରୀକୁ କାବୁ କରିଥିଲେ।

ହେଲେ ଅବକାରୀ ଓ ପୁଲିସ ବିଭାଗର କେହି ଜଣେ ମଧ୍ୟ କର୍ମଚାରୀ ଘଟଣା ସ୍ଥଳରେ ପହ‌ଞ୍ଚି ନଥିଲେ। ଫଳରେ ସ୍ଥାନୀୟ ଲୋକ ଉତ୍‌କ୍ଷୀପ୍ତ ହୋଇ ଫାଣ୍ତି ଘେରାଉ କରିଥିଲେ। ଅନନ୍ତପୁର ଫାଣ୍ତି ଅଧୀନରେ ଥିବା ୮ଟି ପଂଚାୟତରେ ପ୍ରାୟ ଦୁଇ ବର୍ଷ ହେବ ପ୍ରଚୁର ମାତ୍ରାରେ ଧଳାଜହର ବିକ୍ରି କରାଯାଉଛି। ଏନେଇ ସ୍ଥାନୀୟ ଲୋକେ ଅବକାରୀ ବିଭାଗ କିମ୍ବା ପୁଲିସକୁ ବାରମ୍ବାର ଜଣାଇଲେ ବି କାର୍ଯ୍ୟାନୁଷ୍ଠାନ ହେଉ ନାହିଁ। ଗତକାଲି ବ୍ରାଉନସୁଗାର ଖାଇ କେତେକ ଯୁବକ ତାଳଗାଁ ବଜାରେ ଗଣ୍ତଗୋଳ କଲେ।

ଏହାପରେ ଅଧିକ ନିଶା ପାଇଁ ସେଥିରୁ ୩ଜଣ ଯୁବକ ବ୍ରାହ୍ମଣ୍ତିରେ ବାବୁ ନନା ନାମକ ଜଣେ ବ୍ୟକ୍ତି ପାଖକୁ ବ୍ରାଉନସୁଗାର ପାଇଁ ଯାଇଥିଲେ। ତେବେ ସେହି ଯୁବକଙ୍କ ହାବଭାବକୁ ଲକ୍ଷ୍ୟ ରଖି ତାଙ୍କ ପଛରେ ସ୍ଥାନୀୟ ଅଂଚଳର ୫୦ରୁ ଅଧିକ ଯୁବକ, ବୁଦ୍ଧିଜୀବୀ ପିଛା କରି ବ୍ରାଉନସୁଗାର ବିକ୍ରି କରୁଥିବା ବେଳେ ବାବୁ ନନାକୁ କାବୁ କରିଥିଲେ। ଏହାର ଭିଡ଼ିଓ ପ୍ରମାଣ ବି ରହିଛି।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଉକ୍ତ ବ୍ୟକ୍ତିଙ୍କ ଘରେ ମହିଳା ଓ ଛୋଟ ପିଲାଙ୍କୁ ଏହି ବେପାରରେ ଲଗାଯାଉଥିବା ଭିଡ଼ିଓରେ ସ୍ପଷ୍ଟ ଜଣା ପଡ଼ିଛି। ତେବେ ସେହି ଯୁବକଙ୍କୁ ପିଛା କରିଥିବା ଯୁବକମାନଙ୍କୁ ବ୍ରାଉନସୁଗାର ବେପାରୀ ଓ ତାଙ୍କ ପରିବାର ଆକ୍ରମଣ ମଧ୍ୟ କରିବା ଆରମ୍ଭ କରି ଦେଇଥିଲେ। ଅବକାରୀ ଓ ପୁଲିସ ବିଭାଗର ଦୁଇ ଜଣଙ୍କୁ ଫୋନ୍ କଲେ ମଧ୍ୟ କେହି ଆସିଲେ ନାହିଁ। ଫଳରେ ଲୋକମାନେ ବ୍ରାହ୍ମଣ୍ତିରେ ଘଣ୍ଟାଏ ପର୍ଯ୍ୟନ୍ତ ରାସ୍ତାରେ ବସି ରହିବା ପରେ ସେଠାରୁ ଆସି ଫାଣ୍ତି ଘେରାଉ କରିଥିଲେ।

ନିଶାକାରବାର ମାଳମରିଚିପୁର ଅଂଚଳରେ ବୃଦ୍ଧି ପାଉଥିଲେ ହେଁ କାହିଁକି ପୁଲିସ କାର୍ଯ୍ୟାନୁଷ୍ଠାନ ନେଉ ନାହିଁ ବୋଲି ବିକ୍ଷୋଭକାରୀମାନେ ଫାଣ୍ତି ଅଧିକାରୀଙ୍କୁ ପଚାରିଥିଲେ ବି କୌଣସି ଉତ୍ତର ମିଳି ନଥିଲା। ଖବର ପାଇ ବାଲିକୁଦା ଥାନା ଅଧିକାରୀ ସର୍ବେଶ୍ବର ବେହେରା ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ଏହି ସମୟରେ ଅଚଂଳବାସୀ ଏକ ଲିଖିତ ଅଭିଯୋଗ ଦେଇ ସାତ ଦିନ ଭିତରେ ସଂପୃକ୍ତ ଅଂଚଳରେ ହେଉଥିବା ବ୍ରାଉନସୁଗାର, ଚୋରା ମଦକାରବାରକୁ ବନ୍ଦ କରିବାକୁ ଦାବି ଜଣାଇଥିଲେ। ସାତ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ନହେଲେ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ସେମାନେ ଚେତାବନୀ ଦେଇଥିଲେ। ଶେଷରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଥାନା ଅଧିକାରୀଙ୍କ ପ୍ରତିଶ୍ରୁତି ପରେ ସେମାନେ ବିକ୍ଷୋଭରୁ ଓହରି ଥିଲେ।

ତେବେ ଦିନରାତି ନିଶା କାରବାର ବଢ଼ି ଚାଲିଥିବା ବେଳେ କେମିତି ଅବକାରୀ ବିଭାଗ ଓ ପୁଲିସ ଜାଣି ପାରୁ ନାହିଁ ତାକୁ ନେଇ ବଡ଼ ସନ୍ଦେହ ସୃଷ୍ଟି ହେଉଛି। ପୁଲିସ୍‌ ଓ ଅବକାରୀ ବିଭାଗ ନିୟମିତ ଚାନ୍ଦା ନେଇ ଏଭଳି କାମକୁ ପ୍ରଶୟ ଦେଉଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି। ଗତକାଲି ଓଳାସ ଲୋଟସ୍‌ କ୍ଳବ୍‌ର ସଦସ୍ୟ, ତାଳଗାଁ ଯୁବ ଗୋଷ୍ଠୀ, ଦଶବାଟିଆ, ନହରଣା, ନଲରା, ବ୍ରାହ୍ମଣ୍ତି, ଅନନ୍ତପୁର ଗ୍ରାମର ଶତାଧିକ ଜନସାଧାରଣ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର