କୁସୁନୁପୁରରୁ ଧରାପଡ଼ିଲେ ବ୍ରାଉନ୍‌ସୁଗାର୍‌ ବେପାରୀ ଇ˚ଜିନିୟର

କେନ୍ଦ୍ରାପଡ଼ା/ଚାନ୍ଦୋଳ: ପେଶାରେ ସେ ଜଣେ ଇ˚ଜିନିୟର‌୍‌। ଭୁବନେଶ୍ବର ଫର୍ଚୁନ୍‌ ଟାଓ୍ୱାରରେ ତାଙ୍କ ଅଫିସ୍‌ ଅଛି। ଦୈନନ୍ଦିନ ଅଫିସ୍‌ ଯା’ଆସ କରୁଥିବା ଏହି ଇ˚ଜିନିୟର‌୍‌ ଚାକିରିଆ ଯୁବକ ଜଣକ କିନ୍ତୁ ଜଣେ ପୋଖତ ବ୍ରାଉନସୁଗାର ବେପାରୀ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ନିଜେ ସେବନ କରିବା ସହିତ ଖର୍ଚ୍ଚପାଣି ଉଠାଇବା ପାଇଁ ବେପାର ବି କରନ୍ତି। ଚାନ୍ଦୋଳ ଫାଣ୍ତି ପୁଲିସ ହାତରେ ଏଭଳି ଜଣେ ଯୁବ ଇ˚ଜିନିୟର ବ୍ରାଉନସୁଗାର ବେପାରୀଙ୍କ ସମେତ ତିନି ଜଣ ଧରାପଡ଼ିଛନ୍ତି।

ଗିରଫ ତିନି ଅଭିଯୁକ୍ତ ଯୁବକ ହେଉଛନ୍ତି ନିଶ୍ଚିନ୍ତକୋଇଲି ଥାନା ପାଟସାଇଲୋ ଗ୍ରାମର ରାକେଶ ଷଡ଼ଙ୍ଗୀ(୩୩), ସଦର ଥାନା ଗଣେଶପୁର ଗ୍ରାମର ବଳରାମ ମିଶ୍ର(୩୦) ଏବ˚ ସଦର ଥାନା ଗିରିଗୋଲା ଗ୍ରାମର ଶକ୍ତିସ୍ବରୂପ ମହାନ୍ତି(୨୦)। ସେମାନଙ୍କଠାରୁ ପୁଲିସ ୫୪୪ମିଲିଗ୍ରାମ୍‌ର ବ୍ରାଉନସୁଗାର, ଗୋଟିଏ ହିରୋହୁଣ୍ତା ଡିଲକ୍ସ ବାଇକ୍‌, ତିନିଟି ମୋବାଇଲ୍‌ ଏବ˚ ୩ହଜାର ୮୨୦ଟଙ୍କା ଜବତ୍‌ କରିଛି। ଜବତ ବ୍ରାଉନସୁଗାର ମୂଲ୍ୟ ୫୫ହଜାର ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଅଭିଯୁକ୍ତ ରାକେଶ ଏକ କ˚ପାନିରେ ଚାକିରି କରିଥିବା ବେଳେ ବଳରାମ ଟେଣ୍ଟ୍‌ ହାଉସ୍‌ରେ କାମ କରନ୍ତି ଏବ˚ ଶକ୍ତିସ୍ବରୂପ ଆଇଟିଆଇ ପାସ୍‌ କରିଥିବା ପୁଲିସ ସୂଚନା ଦେଇଛି। ଏହାକୁ ମିଶାଇ ଗତ ୨୦ଦିନ ଭିତରେ ଜିଲ୍ଳାରେ ଜଣେ ମହିଳାଙ୍କ ସମେତ ପାଞ୍ଚ ଜଣ ବ୍ରାଉନସୁଗାର ବେପାରୀ ଧରାପଡ଼ିଲେଣି। ଏହା ସୂଚାଇ ଦେଉଛି ଯୁବପିଢ଼ି ଖାସ୍‌ କରି ଶିକ୍ଷିତ ଯୁବକମାନେ କିଭଳି ବ୍ରାଉନସୁଗାର କବଳରେ ପଡ଼ି ନିଜ ହାତରେ ନିଜ ଭବିଷ୍ୟତକୁ ନଷ୍ଟ କରୁଛନ୍ତି।

ପୁଲିସ ସୂଚନାନୁଯାୟୀ, ଏମାନେ ତିନି ଜଣ କୁସୁନୁପର ଓ ଚାନ୍ଦୋଳ ଅଞ୍ଚଳରେ ବ୍ରାଉନସୁଗାର ବେପାର କରି ଆସୁଥିଲେ। ସେମାନଙ୍କ ଉପରେ ନଜର ରଖାଯାଇଥିଲା। ଗତ ୧୭ ତାରିଖରେ ଏହି ତିନି ଜଣ ଏକ ହିରୋହୁଣ୍ତା ଡିଲକ୍ସ ବାଇକ୍‌(ଓଆର୦୫–ଏଏମ୍‌–୫୭୨୩) ବ୍ରାଉନସୁଗାର ନେଇ ଆସୁଥିବାର ଖବର ପୁଲିସ ପାଖେ ପହଞ୍ଚିଥିଲା। ଚାନ୍ଦୋଳ ଫାଣ୍ତି ଅଧିକାରୀ ଏସ୍‌ଆଇ ସୌମ୍ୟର˚ଜନ ପାଣିଗ୍ରାହୀଙ୍କ ନେତୃତ୍ବରେ ଏକ ଟିମ୍‌ କୁସୁନୁପୁର ନିକଟରେ ଅପରାହ୍ନ ପ୍ରାୟ ସାଢେ଼ ୪ଟା ବେଳେ ବାଇକ୍‌ରେ ଆସୁଥିବା ଏହି ତିନି ଜଣଙ୍କୁ ମାଡ଼ି ବସିଥିଲେ।

ଯାଞ୍ଚ କରାଯିବା ପରେ ଅଭିଯୁକ୍ତ ରାକେଶଙ୍କଠାରୁ ୨୭୨ମିଲିଗ୍ରାମ୍‌ ବ୍ରାଉନସୁଗାର, ଗୋଟିଏ ମୋବାଇଲ୍‌ ଏବ˚ ୧୭୮୦ଟଙ୍କା ବାହାରିଥିବା ବେଳେ ବଳରାମ ଓ ଶକ୍ତିସ୍ବରୂପଙ୍କଠାରୁ ୧୩୬ମିଲିଗ୍ରାମ୍‌ ଲେଖାଏ ବ୍ରାଉନସୁଗାର, ଦୁଇଟି ମୋବାଇଲ୍‌ ଏବ˚ ଯଥାକ୍ରମେ ୧୩୫୦ ଓ ୭୫୦ଟଙ୍କା ବାହାରିଛି।। ଜବତ୍‌ ବାଇକ୍‌ ବଳରାମଙ୍କର ବୋଲି ଜଣାପଡ଼ିଛି। ବଡ଼ କଥା ହେଉଛି, ଇ˚ଜିନିୟର‌୍‌ ଚାକିରିଆ ରାକେଶଙ୍କ ବାପା ଜଣେ ଅବସରପ୍ରାପ୍ତ ସରକାରୀ ଅଧିକାରୀ ହୋଇଥିବା ବେଳେ ଅଭିଯୁକ୍ତ ଶକ୍ତିସ୍ବରୂପଙ୍କ ବାପା ଜଣେ ଜଣାଶୁଣା ଠିକାଦାର। ରାକେଶ ଭୁବନେଶ୍ବରସ୍ଥିତ ଏକ ଘରୋଇ ଇଂଜିନିଅରିଂ କଲେଜରେ ବି–ଟେକ୍‌  ପଢ଼ିଲା ବେଳୁ ବ୍ରାଉନସୁଗାର ନିଶା ସେବନ କରି ଆସୁଥିଲେ। କିନ୍ତୁ ନିଶା ସେବନ କରୁକରୁ ପରବର୍ତୀ ସମୟରେ ପୋଖତ ବେପାରୀ ପାଲଟି ଯାଇଥିଲେ। ଏମିତି ଯେ ନିଜେ ବ୍ରାଉନସୁଗାର ସେବନ କରିବା ସହିତ ଖର୍ଚ୍ଚ ଉଠାଇବା ପାଇଁ ବେପାର କରୁଥିଲେ ଏବ˚ ତାଙ୍କୁ ଏହି କାର୍ଯ୍ୟରେ ବଳରାମ ଓ ଶକ୍ତିସ୍ବରୂପ ପୂର୍ଣ୍ଣ ସହଯୋଗ କରୁଥିଲେ ବୋଲି ଫାଣ୍ତି ଅଧିକାରୀ ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ଏହି ତିନି ଜଣ ନୁହନ୍ତି, କୁସୁନପୁର, ଗଣେଶପୁର, ଗିରିଗୋଲା ସମେତ ଚାନ୍ଦୋଳ ଅଞ୍ଚଳରେ ବହୁ ଶିକ୍ଷିତ ବେକାର ଯୁବକ ବ୍ରାଉନସୁଗାର କବଳରେ ପଡ଼ି ସାରିଥିବା ବେଳେ ସେମାନଙ୍କୁ ଅତି ସହଜରେ ଏହି ନିଶା ମିଳିଯାଉଥିବା କୁହାଯାଉଛି। କିଛି ମାସ ତଳେ ଗଣେଶପୁର ଅଞ୍ଚଳରେ ଜଣେ ବ୍ରାଉନସୁଗାର ସେବନ କରୁଥିବା ଭିଡିଓ ଭାଇରାଲ୍‌ ହୋଇଥିବା ଦେଖିବାକୁ ମିଳିଥିଲା। ଅବକାରୀ ବିଭାଗ ଓ ପୁଲିସର ନିଷ୍କ୍ରିୟତା ପାଇଁ ଏହି ଅଞ୍ଚଳରେ ବ୍ରାଉନସୁଗାର ବେପାର ବଢ଼ୁଥିବା ଅଭିଯୋଗ ହେଉଥିବାରୁ ତୁରନ୍ତ ଚଢ଼ଉ ଜୋରଦାର‌୍‌ କରିବା ପାଇଁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର