କେନ୍ଦ୍ରାପଡ଼ାରେ ମାଡ଼ିଗଲାଣି ଧଳାଜହର

୨ ମାସରେ ଜବତ ହେଲାଣି ୧୪ ଲକ୍ଷ ଟଙ୍କାର ବ୍ରାଉନସୁଗାର, ଧରାପଡ଼ିଲେଣି ୫

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାରେ ଧଳାଜହର କାୟା ମେଲାଇଛି। କେବଳ ସହରାଞ୍ଚଳ ନୁହେଁ, ଗ୍ରାମାଞ୍ଚଳରେ ବି ବ୍ରାଉନ୍‌ସୁଗାର କାରବାର ମାଡ଼ିଗଲାଣି। ଧଳାଜହର ବ୍ୟବହାର କରୁଥିବା ଯୁବକଙ୍କ ସଂଖ୍ୟା ବଢି ଚାଲିଛି। ଅଧିକାଂଶ ସ୍ଥାନରେ ଖୁଲମଖୁଲା ବ୍ରାଉନ୍‌ସୁଗାର ବେପାର ଚାଲିଛି। ୨ମାସ ଭିତରେ ଜିଲ୍ଲାର ୪ଟି ସ୍ଥାନରୁ ୧୪ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ହୋଇ ସାରିଲାଣି।
ଆଜି ପୂର୍ବାହ୍ନରେ ପଟ୍ଟାମୁଣ୍ତାଇ ପୌରପରିଷଦ ଅନ୍ତର୍ଗତ ଚାହାପଡା-ମାଟିଆ ଗ୍ରାମର କୁନା ମଳିକ (୪୬)ଙ୍କୁ ଅବକାରୀ ବିଭାଗ ପଟ୍ଟାମୁଣ୍ତାଇ ସରକାରୀ ପ୍ଲମ୍ବିଂ ଇନିଷ୍ଟିଚ୍ୟୁଟ ନିକଟରୁ ଗିରଫ କରିଛି। କୁନା ପାଖରୁ ୩୬ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଜବତ ବ୍ରାଉନସୁଗାରର ମୂଲ୍ୟ ୩ ଲକ୍ଷ ୬୦ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି। ଗିରଫ ଯୁବକ କୁନା ବାଲେଶ୍ବର ଜିଲ୍ଲାର ଜଳେଶ୍ବରରୁ ବ୍ରାଉନସୁଗାର ଆଣି ଏଠାରେ ବ୍ୟବସାୟ କରେ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। କୁନାକୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।

ଅନ୍ୟପଟେ ଗତକାଲି କେନ୍ଦ୍ରାପଡା ଅବକାରୀ ବିଭାଗ ପାରାଦୀପ–ଦୈତାରୀ ୫ନମ୍ବର(କ) ଜାତୀୟ ରାଜପଥ ଛଘରିଆ ଛକରୁ ମାର୍ଶାଘାଇ ଥାନା ଅନ୍ତର୍ଗତ ଘୋଡାବନ୍ଧ ଗାଁର ଧର୍ମେନ୍ଦ୍ର ଖଟୁଆ (୩୩) ଓ ସେହି ଗାଁର ସୁମନ ଓଝା (୩୬)କୁ ଗିରଫ କରାଯାଇଥିଲା। ଧର୍ମେନ୍ଦ୍ରଠାରୁ ୨୭ ଗ୍ରାମ ଓ ସୁମନଠାରୁ ୧୭ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା। ସୂଚନା ଥାଉ କି, ଗତ ମାସରେ ପଟ୍ଟାମୁଣ୍ତାଇ ଥାନା ଅଂଚଳରୁ ଜଣଙ୍କୁ ଗିରଫ କରାଯିବା ସହ ୩୨ ଗ୍ରାମ ଓ କେନ୍ଦ୍ରାପଡା ସଦର ଥାନା ଅଂଚଳରୁ ଜଣଙ୍କୁ ଗିରଫ କରାଯିବା ସହ ୨୭ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିଲା। ୨ମାସ ମଧ୍ୟରେ ୧୩୯ ଗ୍ରାମ ବ୍ରାଉନସୁଗାର ଜବତ କରାଯିବା ସହ ୫ଜଣଙ୍କୁ ଗିରଫ କରାଯାଇଛି ବୋଲି ଅବକାରୀ ବିଭାଗ ସୂଚନା ଦେଇଛି। ଏବେ କେନ୍ଦ୍ରାପଡା ଜିଲ୍ଲାର ପ୍ରାୟ ସବୁ ଥାନା ଅଂଚଳରେ ବ୍ରାଉନସୁଗାର ବେପାରୀଙ୍କ ସଂଖ୍ୟା ବଢିଯାଇଛି। ଅଧଗ୍ରାମରୁ କମ୍ ଥିବା ପୁଡିଆ ୫ଶହରୁ ୬ଶହ ଟଙ୍କାରେ ବିକ୍ରି ହେଉଛି। କେତେକ ସ୍ଥାନରେ କଲେଜ ଛାତ୍ରମାନେ ଏହା କବଳରେ ପଡିଗଲେଣି। ବିଶେଷକରି ଜିଲ୍ଲାର ପଟ୍ଟାମୁଣ୍ତାଇରେ ଏହି କାରବାର ଚିନ୍ତାର ବିଷୟ ହୋଇଛି। ପଟ୍ଟାମୁଣ୍ଡାଇ ସହର ଓ ଗ୍ରାମାଞ୍ଚଳରେ ଧଳା ଜହର ବ୍ୟବସାୟୀମାନେ ସେମାନଙ୍କ କାୟା ବିସ୍ତାର କରିଛନ୍ତି।

ସମ୍ବନ୍ଧିତ ଖବର