ଜୟପୁର ସହରରେ ଧଳାଜହର କାରବାର: ୨.୭୧ଗ୍ରାମ ବ୍ରାଉନସୁଗର ଜବତ, ୩ ଗିରଫ 

ଜୟପୁର: ଗଞ୍ଜେଇ କାରାବାର ପରେ ଜୟପୁର ସହରରେ ବ୍ରାଉନସୁଗାର (ଧଳା ଜହର) ବେପାର ରାକେଟ୍ ଚାଲିଛି। ବହୁମାତ୍ରାରେ ଛାତ୍ର ଓ ଯୁବବର୍ଗ ସାମିଲ ରହିଛନ୍ତି। ଜୟପୁର ସହରର ବ୍ରାଉନସୁଗର କାରବାର ପ୍ରଥମ ଥର ପାଇଁ ପର୍ଦ୍ଦାଫାସ ହୋଇଛି। ଯେଉଁଥିରେ ଟାଉନ ପୁଲିସ ୨.୭୧ ଗ୍ରାମ ବ୍ରାଉନସୁଗର ଜବତ ସହ ୩ ଜଣ ଅଭିଯୁକ୍ତକୁ ଗିରଫ କରିଛି। ‌ଅଭିଯୁକ୍ତମା‌ନ‌େ ହେଲେ ଜୟପୁର ଟାଉନଥାନା ଅଞ୍ଚଳର ପାରାବେଡାର ଶିଶିର କୁମାର ବେହେରା (୨୩), ଶ୍ରୀହରି ବିଶୋୟୀ (୨୧) ଓ କୁମ୍ଭାରସାହିର ଶୁଭମ୍ ପଣ୍ଡା (୨୭)। ଏହି ରୢକେଟର ପର୍ଦ୍ଦାଫାସ୍ କରିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଥିବା ଟାଉନ ଥାନା ଅଧିକାରୀ ସଞ୍ଜୟ କୁମାର ମଣ୍ଡଳ କହିଛନ୍ତି।

ପୁଲିସ କହିବାନୁଯାୟୀ, ସହରରେ ବ୍ରାଉନସୁଗର କାରବାର ଚାଲିଥିବା ନେଇ ଗତକାଲି ବିଶେଷ ସୁତ୍ରରୁ ଟାଉନପୁଲିସକୁ ଖବର ମିଳିଥିଲା। ଥାନା ଅଧିକାରୀଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ହାଲୋ ଜୟପୁର ହୋଟେଲ ନିକଟ ଗେଟ୍‌ଗୁଡା ଠାରେ ଥିବା ଆମ୍ବ ବଗିଚାରେ ବ୍ରାଉନସୁଗର ପ୍ୟାକେଟ୍ ଚାଲିଥିଲା। ସେଠାରେ ୩ ଜଣ ଯୁବକ ବସି ଗୋଟିଏ ପଲିଥିନ୍ ପ୍ୟାକଟ୍ ଧରିଥିଲେ, ଯେଉଁଥିରେ ବ୍ରାଉନସୁଗର ରହିଥିଲା। ପୁଲିସ ସେମାନଙ୍କୁ ଚାରିପଟୁ ଘେରିଯାଇ ୩ ଜଣଙ୍କୁ କାବୁ କରିଥିବା ବେଳେ ଘଟଣାସ୍ଥଳରୁ ୨.୭୧ ଗ୍ରାମର ବ୍ରାଉନସୁଗର ଜବତ କରଥିଲା। ଯାହାର ମୂଲ୍ୟ ଆନୁମାନିକ ୧୧ ହଜାର ଟଙ୍କାରୁ ଅଧିକା ହୋଇଥିବା ଜଣାପଡିଛି। ଏଥିସହ ଅଭିଯୁକ୍ତମାନଙ୍କ ଠାରୁ ୩ଟି ମୋବାଇଲ୍, ୧୪ ଶହ ଟଙ୍କା ଓ ଗୋଟିଏ ପଲସର ବାଇକ୍ ଓ ଗୋଟିଏ ସ୍କୁଟି ଗାଡି ଜବତ କରାଯାଇଛି। ଏନେଇ ଟାଉନଥାନାରେ କେସ୍ ନମ୍ବର ୨୩୩/୨୧ ମାମଲା ରୁଜୁ କରି ଏସ୍‌ଆଇ ରିଗାନ୍ କିଣ୍ଡୋ ତଦନ୍ତ କରୁଛନ୍ତି। ଏହି ୩ ଜଣ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର