କଣ୍ଟିଗଡିଆ : କରୋନାର ଦ୍ବିତୀୟ ଲହର ସମଗ୍ର ମାନବ ସମାଜକୁ କବଳିତ କରିବାକୁ ଯାଉଥିବା ବେଳେ ଯୁବଗୋଷ୍ଠୀଙ୍କୁ ନିଶା ବେପାରୀମାନେ କବଳିତ କରିବାରେ ଲାଗିଛନ୍ତି। ଯୁବଗୋଷ୍ଠୀ ନିଯୁକ୍ତି ତଥା ଜୀବିକା ହରାଇ ମାନସିକ ଚିନ୍ତାଗ୍ରସ୍ତ ହୋଇପଡ଼ିଥିବା ସୁଯୋଗରେ ମାଦକ ଦ୍ରବ୍ୟ ବେପାରୀମାନେ ସେମାନଙ୍କୁ ବିପଥଗାମୀ କରିବାରେ ଲାଗିପଡ଼ିଛନ୍ତି। ଏବେ ସମଗ୍ର ଯାଜପୁର ଜିଲ୍ଲାରେ ମାଦକ ଦ୍ରବ୍ୟ କାରବାର ହୁ ହୁ ହୋଇ ବଢି ଚାଲିଛି। ମଦ, ଗଞ୍ଜେଇ ସହିତ ବ୍ରାଉନ ସୁଗାର କାରବାର ସହର ଠାରୁ ଗ୍ରାମାଞ୍ଚଳକୁ ବ୍ୟାପିବାରେ ଲାଗିଛି। ଗତକାଲି ଚଣ୍ତିଖୋଲରୁ ୧୧ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ ହେବା ସହିତ ଜଣେ ଯୁବକ ଗିରଫ ହୋଇଛି। ୩ଜଣ ଫେରାର ହୋଇଯାଇଛନ୍ତି। ଏହାର ଚେର ବାଲେଶ୍ବର ପର୍ଯ୍ୟନ୍ତ ଲମ୍ବିଛି।

Advertisment

ଧଳା ଜହର ଜବତ ଘଟଣାର ଗୁମର ଖୋଲିବାରେ ଲାଗିଛି। ଏମିତିକି ଧଳା ଜହର ବେପାରୀମାନେ ଖୁଲମଖୁଲା ବେପାର ଚଳାଇଛନ୍ତି। ବାଲେଶ୍ବର ଜିଲ୍ଲାରୁ ଏସି ସ୍ଲିପର ବସ୍‌ରେ ଚଣ୍ତିଖୋଲରେ ଏହା ପହହଞ୍ଚୁଥିଲା । ପୂର୍ବ ପ୍ରସ୍ତୁତି ପ୍ରକାରେ ଛକି ରହି ବସରୁ ଏହାକୁ ବେପାରୀ ସଂଗ୍ରହ କରି ଆଖି ପିଛୁଳାକେ ପୁଲିସକୁ ଚକ୍ମା‌ ଦେଖାଇ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇ ଛୋଟଛୋଟ ପ୍ୟାକେଟ କରି ଆରମ୍ଭ କରୁଥିଲେ ବେପାର। ହୋମ ଡେଲିଭରି ଭାବେ ବାଇକ୍‌ରେ ବୁଲି ଚଳାଉଥିଲେ ବେପାର। ଗ୍ରାହକ ଯୋଗାଡ କରିବା ସହ ବେପାର କିପରି ସୁରକ୍ଷିତ ଭାବେ କରିବେ ସେଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିଲେ।
ପ୍ରକାଶ ଥାଉକି ଚଣ୍ଡିଖୋଲ ନିକଟ ଗାନ୍ଧି ଛକରୁ ୧୦୮ଗ୍ରାମ ବ୍ରାଉନ୍ ସୁଗାର ଜବତ ଘଟଣାରେ ଅବକାରୀ ବିଭାଗର ଏନଫୋର୍ସମେଣ୍ଟ ସ୍କ୍ବାଡ୍‌କୁ ବଡ଼ ସଫଳତା ମିଳିଛି । ବଡ଼ଚଣା ଥାନା ଅନ୍ତର୍ଗତ ବେଣାପୁର ଗ୍ରାମର ରାକେଶ ମହାପାତ୍ରଙ୍କ ଠାରୁ ଏହି ବ୍ରାଉନ ସୁଗାର ଓ ବାଇକକୁ ଜବତ କରି ତନାଘନା ଆରମ୍ଭ କରିଛି। ଅବକାରୀ ବିଭାଗ ଏନଫୋର୍ସମେଣ୍ଟ ସ୍କ୍ବାଡ୍‌ ତରଫରୁ ରାକେଶକୁ ଜେରା କରିବା ସମୟରେ ବହୁ ତଥ୍ୟ ମିଳିଛି। ସେ ବାଲେଶ୍ବର ଅଞ୍ଚଳରୁ ବ୍ରାଉନ୍ ସୁଗାର ଆଣି ଚଣ୍ତିଖୋଲ, ଛତିଆ ଓ ଧର୍ମଶାଳା ଅଞ୍ଚଳରେ ବିକ୍ରୟ କରେ ବୋଲି ପ୍ରକାଶ କରିଛି। ତା ସାଥିରେ ଥିବା ଅନ୍ୟ ତିନିଜଣ ଫେରାର ହୋଇଯାଇଛନ୍ତି। ରାକେଶ ଠାରୁ ୧୦୮ଗ୍ରାମ ବ୍ରାଉନ୍ ସୁଗାର ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୧୧ଲକ୍ଷ ଟଙ୍କା ହେବ ବୋଲି ଅଧିକାରୀ ପ୍ରକାଶ କରିଛନ୍ତି। ଅବକାରୀ ବିଭାଗ କେସ ନମ୍ବର ୨୧/୨୦୨୧ରେ ରାକେଶକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଅବକାରୀ ସ୍କ୍ବାଡ୍ର‌ ଇନସ୍‌ପେକ୍ଟର ଜଗଦୀଶ ଚନ୍ଦ୍ର ସାମଲ ଓ କିଶୋର ଚନ୍ଦ୍ର ରାଉତ ସୂଚନା ଦେଇଛନ୍ତି। ଏହି ଧଳା ଜହର କାରବାର ଚଣ୍ଡିଖୋଲ ସମେତ ଛତିଆ ପାଣିକୋଇଲି, ବ୍ୟାସନଗର ପ୍ରଭୃତି ସହରରେ ବ୍ୟାପିଗଲାଣି। ଅନ୍ୟ ଅଞ୍ଚଳକୁ ବେପାରୀମାନେ ଚାଲାଣ କରିବାରେ ଲାଗିଛନ୍ତି। ଅତି ସହଜରେ ରୋଜଗାର ହେଉଥିବାରୁ ଯୁବକମାନଙ୍କୁ ଏହି ନିଶା କାରବାରରେ ସାମିଲ କରାଯାଉଛି। ଏଥିପାଇଁ ଜିଲ୍ଲାର ଆଇନ ଶୃଙ୍ଖଳା ବିଗିଡ଼ିବାକୁ ବସିଲାଣି।