ଖୋର୍ଦ୍ଧା: ମାତ୍ର ବର୍ଷ ଦୁଇବର୍ଷ ପୂର୍ବେ ଦିନଟିଏ ମଜୁରୀ ନକଲେ ପରିବାର ଭୋକରେ ରହୁଥିଲେ। କିନ୍ତୁ ଖୋର୍ଦ୍ଧାରେ ମାରାତ୍ମକ ନିଶା ବ୍ରାଉନସୁଗାର କାରବାର କରି ବର୍ଷକ ମଧ୍ୟରେ କୋଟିପତି ପାଲଟିଯାଇଥିଲା କାନି ବେହେରା ଓରଫ କାଇନା। ଆଜି ବ୍ରାଉନସୁଗାର ଚଢ଼ଉରେ ଯାଇଥିବା ପୁଲିସ କାନି ଘରୁ କେବଳ ବ୍ରାଉନସୁଗାର ନୁହେଁ ବିପୁଳ ସୁନା ଓ ରୁପା ଅଳଙ୍କାର, ନଗଦ ଟଙ୍କା ଦେଖି ଆଚମ୍ବିତ ହୋଇଯାଇଥିଲେ। ଏକ ଗ୍ରାମ କିମ୍ବା ଦୁଇ ଗ୍ରାମ ନୁହେଁ ପ୍ରାୟ ଅଧା କିଲୋ ସୁନା ଅଳଙ୍କାର, ୧ କିଲୋ ରୁପା, ନଗଦ ୧୩ଲକ୍ଷ ଟଙ୍କା ସହ ଘରୁ ବ୍ରାଉନ୍ସୁଗାର ଜବତ କରିଛି ପୁଲିସ।

Advertisment

ସାମନ୍ତରାପୁର ଠେଙ୍ଗାହାଟର ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ନିୟମିତ ବ୍ରାଉନସୁଗାର କାରବାର ହେଉଥିବା ନେଇ ପୁଲିସ ଗୁଇନ୍ଦା ସୂତ୍ରରୁ ସୂଚନା ପାଇଥିଲା। ସୂଚନା ପାଇବା ପରେ ସ୍ୱତନ୍ତ୍ର ଟିମ୍ କିଛି ସନ୍ଦିଗ୍ଧ ବ୍ୟକ୍ତିଙ୍କ ଉପରେ ନଜର ରଖିଥିଲା। ସଦର ଥାନା ଅନ୍ତର୍ଗତ ଗୁଡ଼ୁମର କୁଳମଣି ବେହେରା ଓରଫ କୁଳ (୩୦), ନୀଳମଣି ବେହେରା (୨୮) ଦୁଇ ଭାଇ ଓ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ଭାଲିଆବାଡ଼ିର ବୀରେନ୍ଦ୍ର ସାହୁ ଓରଫ ନନ୍ଦୁ(୨୭) ନିୟମିତ ଭାବେ ବ୍ରାଉନ୍ସୁଗାର ସାମନ୍ତରାପୁର ଠେଙ୍ଗାହାଟର କାନି ଘରକୁ ଆଣୁଥିଲେ ଓ ସେଠାରୁ ଅନ୍ୟସ୍ଥାନକୁ ବ୍ରାଉନସୁଗାର ନେଇ ଯୋଗାଉଥିଲେ। ଏକସଙ୍ଗରେ ସମସ୍ତ ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସ ଜାଲ ବିଛାଇଥିଲା।

ପ୍ରଥମେ ଉପରୋକ୍ତ ତିନିଜଣଙ୍କୁ ଧରିବା ପରେ ଗତକାଲି କାନି ଘରେ ଚଢ଼ଉ କରିଥିଲା। କାନି ନିକଟରୁ ୩୦ ଗ୍ରାମ ବ୍ରାଉନସୁଗାର ମିଳିଥିବା ବେଳେ ଘରେ ଥିବା ତାଙ୍କ ଭଉଣୀ ସ୍ୱର୍ଣ୍ଣଲତା ବେହେରାଙ୍କ ନିକଟରୁ ୨୦ ଗ୍ରାମ ବ୍ରାଉନସୁଗାର ମିଳିଥିଲା। ଉଭୟ କାନି ଓ ସ୍ୱର୍ଣ୍ଣଲତା ଏହି ବ୍ରାଉନ୍ସୁଗାରକୁ ନିଜର ପଣତକାନିରେ ବାନ୍ଧି ରଖିଥିଲେ। କାନିର ଘରର ଅନ୍ୟସ୍ଥାନରେ ବ୍ରାଉନ୍ସୁଗାର ଥିବ ବୋଲି ଖୋଜିବା ବେଳେ ୫୧୧.୬୭୦ ଗ୍ରାମ ସୁନା ଅଳଙ୍କାର, ୮୩୦ ଗ୍ରାମ ରୁପା ଅଳଙ୍କାର ଓ ନଗଦ ୧୩ଲକ୍ଷ ୬୮ହଜାର ଟଙ୍କା ମିଳିଥିଲା।

publive-image Sambad

ଏହାସହ କାନି ଓ ସ୍ୱର୍ଣ୍ଣଲତାକୁ ସହାୟତା କରୁଥିବା ଅନ୍ୟଜଣେ ମହିଳା ଦମୟନ୍ତି ନାୟକ ଓରଫ ସେର (୪୦)କୁ ଗିରଫ କରିଥିଲା। ଜବତ ବ୍ରାଉନ୍ସୁଗାରର ଆନୁମାନିକ ମୂଲ୍ୟ ୫ଲକ୍ଷ ଟଙ୍କା ହେବ। ସେହିଭଳି ଜବତ ସୁନାର ମୂଲ୍ୟ ପ୍ରାୟ ୨୩ଲକ୍ଷ ଟଙ୍କା ଓ ରୁପାର ମୂଲ୍ୟ ୫୦ହଜାର ଟଙ୍କା। ଆଜି ଅପରାହ୍ନ ୫ଟାରେ ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଏନେଇ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍ପି ସିଦ୍ଧାର୍ଥ କଟ୍ଟାରିଆ, ଏସଡ଼ିପିଓ ଦିଲ୍ଲୀପ କୁମାର ଦାସ, ଟାଉନ ଥାନା ଆଇଆଇସି ତାରିକ ଅହମ୍ମଦ, ଡିଏସପି ଡିଆଇବି ଅତନୁ କୁମାର ରାଉତ ଉପସ୍ଥିତ ଥିଲେ।

ଏସପି କଟ୍ଟାରିଆ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖି କହିଥିଲେ ଯେ ଖୋର୍ଦ୍ଧା ବ୍ରାଉନସୁଗାରର ହବ ପାଲଟିଯାଇଛି। ଏଠାକୁ ଅନ୍ୟ ସ୍ଥାନରୁ ବ୍ରାଉନସୁଗାର ଆସୁଥିଲେ ମଧ୍ୟ ମୁଖ୍ୟତଃ ଭୁବନେଶ୍ୱରରୁ ଆସୁଛି। ଖୋର୍ଦ୍ଧାରୁ ଆଖପାଖ ଜିଲ୍ଲା ଓ ଅନ୍ୟସ୍ଥାନକୁ ଯୋଗାଣ ହେଉଛି। ଆଜି ଅଭିଯୁକ୍ତଙ୍କୁ ୫୨୧/୨୦୨୨ କେସ୍ ନଂରେ ଗିରଫ କରାଯାଇଛି। ଯେଉଁମାନେ ହୋଇଛନ୍ତି ସେମାନଙ୍କ ବିରୋଧରେ ପୂର୍ବରୁ ବ୍ରାଉନସୁଗାର କାରବାର ନେଇ ଏକାଧିକ ମାମଲା ମଧ୍ୟ ରହିଛି। ଅନ୍ୟ ବ୍ରାଉନସୁଗାର ବେପାରୀଙ୍କ ସହ ସେମାନଙ୍କ ସମ୍ପର୍କର ଅନୁସନ୍ଧାନ ଚାଲିଛି। କୋର୍ଟରେ ହାଜର କରାଯିବା ପରେ ପରବର୍ତୀ ପଦକ୍ଷେପ ସ୍ୱରୂପ ସେମାନଙ୍କ ସମ୍ପତ୍ତି ଯାଂଚ କରାଯାଇ ଆଇନାନୁସାରେ ସେଗୁଡ଼ିକୁ ଜବତ କରାଯିବ। ଜିଲ୍ଲାରେ କୌଣସି ବ୍ରାଉନସୁଗାର ବେପାରୀଙ୍କୁ ଛଡ଼ାଯିବ ନାହିଁ।