ସମ୍ବଲପୁର: ସମ୍ବଲପୁର ସହରରୁ ପୁଣିଥରେ ବ୍ରାଉନ୍‌ ସୁଗାର ଜବତ ହୋଇଛି। ବ୍ରାଉନ୍‌ସୁଗାର କାରବାର ହେଉଥିବା ନେଇ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇବା ପରେ ସମ୍ବଲପୁର ଜିଲ୍ଲା ଅବକାରୀ ବିଭାଗ ଓଆଇସି ଦିଲ୍ଲୀପ ଶତପଥୀଙ୍କ ନେତୃତ୍ବାଧୀନ ଟିମ୍‌ ସୁନାପାଲି ଅଞ୍ଚଳରେ ଚଢ଼ଉ କରିଥିଲା। ବ୍ରାଉନ୍‌ ସୁଗାର କାରବାର କରୁଥିବା ମହମ୍ମଦ ଚାନ୍ଦକୁ ଅବକାରୀ ବିଭାଗ ଶନିବାର ଗିରଫ କରିଥିଲା। ତା ପାଖରୁ ୧୩ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ ହୋଇଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧ ଲକ୍ଷ ୩୦ ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କହାଯାଇଛି। ଅଭିଯୁକ୍ତକୁ ଶନିବାର କୋର୍ଟଚାଲାଣ କରାଯାଇଛି। ଗତ ମାସରେ ଅବକାରୀ ବିଭାଗ ଉକ୍ତ ସୁନାପାଲି ଅଞ୍ଚଳରୁ ବ୍ରାଉନ୍‌ ସୁଗାର ଜବତ କରିବା ସହ ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ କରିଥିଲା।

Advertisment

ବଡ଼ ବେପାରୀ ଖସି ଯାଉଛନ୍ତି

ବ୍ରାଉନ୍‌ ସୁଗାର ବେପାରୀଙ୍କୁ ଧରିବା ସମ୍ବଲପୁର ପୁଲିସ ପାଇଁ କଷ୍ଟସାଧ୍ୟ ଭଳି ମନେ ହେଉଛି। ସହର ସାରା ଧଳାଜହର ବେପାରୀ ବେଧଡ଼କ ଭାବେ ନିଶା କାରବାର କରୁଛନ୍ତି। ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଯୁବପିଢିଙ୍କ ବେପାରୀମାନେ ଟାର୍ଗେଟ୍‌ କରୁଛନ୍ତି। ସମ୍ବଲପୁର ଓ ବୁର୍ଲା ସହରକୁ ବେପାରୀମାନେ ଟାର୍ଗେଟ୍‌ କରି କାରବାର କରୁଥିବା ବେଳେ ପୁଲିସ କିନ୍ତୁ ତାର ଟେର୍‌ ପାଇ ପାରୁନାହିଁ। ଯଦିଓ ଅବକାରୀ ବିଭାଗ ଏକାଧିକ ଥର ଧଳାଜହର ଜବତ କରିଛି, କିନ୍ତୁ ସ୍ବଳ୍ପ ପରିମାଣର। ୨୦୨୦ ପୂର୍ବରୁ ସମ୍ବଲପୁର ଧଳାଜହର ଶୂନ୍ୟ ଥିଲା। କିନ୍ତୁ ତା ପରଠୁ ଧଳାଜହର କାୟା ବିସ୍ତାର କରିସାରିଲାଣି। ବଡ଼ ବେପାରୀଙ୍କୁ ଧରିବାରେ ସମ୍ବଲପୁର ଅବକାରୀ ବିଭାଗ ଓ ପୁଲିସ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି। କିଛି ପ୍ରତିପତି ଲୋକଙ୍କ ଆଢ଼ୁଆଳରେ ଏହି କାରବାର ମୁଣ୍ଡ ଟେକିଥିବା ବେଳେ କାର୍ଯ୍ୟାନୁଷ୍ଠାନ ହଉ ନଥିବାରୁ ଦିନକୁ ଦିନ ସମ୍ବଲପୁରରେ ଧଳା ଜହର କାରବାର ବଢ଼ିବାରେ ଲାଗିଛି।