୧୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ଜଣେ ଗିରଫ

ନିଶା କାରବାରର ହବ୍‌ ପାଲଟିଛି ‘ବାଲେଶ୍ୱର’

ବାଲେଶ୍ୱର: ଗତ ୩ ବର୍ଷ ହେବ ବାଲେଶ୍ୱର ଜିଲ୍ଲାରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ଏହା ସହିତ ନିଶା କାରବାର ବି ମାତ୍ରାଧିକ ବଢ଼ିଛି। ବିଶେଷ କରି ବ୍ରାଉନସୁଗର ବ୍ୟବସାୟର ବଡ଼ ରାକେଟ୍‌ ଏଠାରେ କାମ କରୁଛି। ତେବେ ପୁଲିସ ଦୁର୍ବୃତ୍ତଙ୍କୁ ଧରିବା ନେଇ ବିଭିନ୍ନ ସମୟରେ ଜାଲ ବିଛାଇଥିବା ବେଳେ ବୁଧବାର ଆଉ ଏକ ସଫଳତା ମିଳିଛି। ବସ୍ତା ବ୍ଲକ୍‌ ଅଧୀନ ସଦରାନନ୍ଦପୁର ଗ୍ରାମର ଜଣେ ଯୁବକଙ୍କଠାରୁ ପୁଲିସ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗର ଜବତ ସହ ତାକୁ ଗିରଫ କରିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ସଦାନନ୍ଦପୁର ଗ୍ରାମର ଶେଖ କମାରଉଦ୍ଦିନଙ୍କ ପୁଅ ବାଙ୍ଗୁରୁ ଓରଫ୍‌ ଆଲାମଉଦ୍ଦିନ ନିଶା କାରବାରରେ ସଂପୃକ୍ତ ଥିବା ବେଳେ ତା’ ନିକଟରେ ବ୍ରାଉନସୁଗର ଥିବା ବିଶ୍ୱସ୍ତ ସୂତ୍ରରୁ ପୁଲିସ ସୂଚନା ପାଇଥିଲା। ଫଳରେ ଏସ୍‌ ବି ଯୁଗଳ କିଶୋରଙ୍କ ନିର୍ଦ୍ଦେଶ କ୍ରମେ ତଥା ବସ୍ତା ଥାନା ଅଧିକାରୀ ଧନେଶ୍ୱର ସାହୁଙ୍କ ତତ୍ତ୍ୱାବଧାନରେ ବସ୍ତା ଥାନା ସବ୍‌-ଇନ୍‌ସପେକ୍ଟର ରାଜଲକ୍ଷ୍ମୀ ନାୟକଙ୍କ ନେତୃତ୍ୱାଧୀନ ଏକ ଟିମ୍‌ ସଦାନନ୍ଦପୁର ଗ୍ରାମରେ ଚଢାଉ କରିଥିଲା। ଫଳରେ ଆଲାମଉଦ୍ଦିନ ଧରାପଡ଼ିଥିବା ବେଳେ ତା’ ନିକଟରୁ ୧୦୫ ଗ୍ରାମ ଓଜନର ବ୍ରାଉନସୁଗର ଜବତ ହୋଇଥିଲା। ଏହି ସମୟରେ ମାଜିଷ୍ଟ୍ରେଟ୍‌ ଭାବେ ବସ୍ତା ବିଡିଓ କୁକୁମିନା ଦାସ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର