୪୧୭ ଗ୍ରାମର ଧଳା ଜହର ଜବତ, ଜଣେ ଗିରଫ

ବାରିପଦା: ବାରିପଦା ଟାଉନ ପୁଲିସକୁ ବଡ ସଫଳତା ମିଳିଛି। ୪୦ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଧଳା ଜହର ଜବତ ହୋଇଛି। ପୁଲିସ ଏହିି ଘଟଣାରେ ଜଣକୁ ଗିରଫ କରିଛି। ଗିରଫ ଯୁବକର ନାମ ବାରିପଦା ଟାଉନ ଥାନା ଅନ୍ତର୍ଗତ ୱାର୍ଡ ନଂ ୨୭ ରବର ଗଛ ଗଳି ଅଞ୍ଚଳର ବୈଦ୍ୟନାଥ ପାଲଙ୍କ ପୁଅ ଗୋବିନ୍ଦ ପାଲ। ତେବେ ଗୋବିନ୍ଦଙ୍କ ନିକଟରୁ ୪୧୭ଗ୍ରାମର ଧଳା ଜହର ଜବତ କରିଛି ଟାଉନ ପୁଲିସ।

ବିଶେଷ ସୂତ୍ରରୁ ଖବର ପାଇ ବାରିପଦା ପୁଲିସର ସ୍ୱତନ୍ତ୍ର ଦଳ ଗୋବିନ୍ଦ ଘରେ ଥିବା ବେଳେ ଅତର୍କିତ ଭାବେ ଚଢ଼ାଉ କରି ଧଳା ଜହର ଜବତ କରିବାରେ ସକ୍ଷମ ହୋଇଛନ୍ତି, ଯାହାର ଆନୁମାନିକ ମୂଲ୍ୟ ୪୦ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ। ଏହି କାରବାର ସହ ଅନ୍ତଃରାଜ୍ୟ ରାକେଟ କାମ କରୁଥିବା ସୂଚନା ଦେଇଛନ୍ତି ବାରିପଦା ଟାଉନ ଥାନା ପୁଲିସ ଅଧିକାରୀ ବିରେନ୍ଦ୍ର କୁମାର ସେନାପତି।

ତେବେ ପୂର୍ବରୁ ଅଭିଯୁକ୍ତମାନଙ୍କ ପାଖରୁ ୨୦ ରୁ ୩୦ ଗ୍ରାମର ଧଳା ଜହର ମିଳୁଥିବା ବେଳେ ଏବେ ହଠାତ ଏତେ ପରିମାଣର ଜବତ ହେବା ପୁଲିସ ଓ ସ୍ଥାନୀୟ ପ୍ରଶାସନ ପାଇଁ ଚିନ୍ତାର ବିଷୟ ପାଲଟିଛି। ଧରାପଡିଥିବା ଅଭିଯୁକ୍ତମାନେ ବାରମ୍ବାର ଏପରି ଅପରାଧ ଭିଆଇ ସହଜରେ ମୁକୁଳି ଯାଉଥିବାରୁ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଥିବା କଥା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର