ବାଇକ୍ ଦୁର୍ଘଟଣାରୁ ଧରାପଡ଼ିଲା ୯ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର, ଜଣେ ଗିରଫ

କଣ୍ଟିଗଡିଆ: ଯାଜପୁର ଜିଲ୍ଲା ୫୩ ନମ୍ବର ଜାତୀୟ ରାଜପଥର ଶ୍ରୀରାମପୁର ଟୋଲ୍‌ଗେଟ୍‌ ନିକଟରେ ଗତକାଲି ରାତିରେ ଘଟିଥିବା ଏକ ବାଇକ୍ ଦୁର୍ଘଟଣାରୁ ବ୍ରାଉନ୍‌ ସୁଗାର କାରବାର ସଂପର୍କରେ ସୂଚନା ମିଳିଛି। ବାଇକ୍ ଧକ୍କା କରି ଖସି ପଳାଉଥିବା ବ୍ରାଉନ୍ ସୁଗାର ବେପାରୀ ଜଣକୁ ଲୋକମାନେ କାବୁ କରି ଧର୍ମଶାଳା ପୁଲିସକୁ ଜିମା ଦେଇଥିବା ‌ବେଳେ ଅ‌ନ୍ୟଜଣେ ଫେରାର ହୋଇଯାଇଛି। ଧରାପଡ଼ିଥିବା ଯୁବକ ନିକଟରୁ ୯୦ ଗ୍ରାମ ବ୍ରାଉନ୍ ସୁଗାର ପୁଲିସ ଜବତ କରିଛି। ଯାହାର ମୂଲ୍ୟ ୯ଲକ୍ଷ ଟଙ୍କା ହେବ ବୋଲି ପୁଲିସ କହିଛି। କିଛି ଦିନ ପୂର୍ବର ଏହି ଫାଟକ ନିକଟରୁ ଅବକାରୀ ବିଭାଗର ଏସ୍ଟି‌ଏଫ ଚଢ଼ଉ କରି ବ୍ରାଉନ୍ ସୁଗାର ଜବତ କରିଥିଲା।

ଗତକାଲି ରାତିରେ ଦୁଇଜଣ ଯୁବକ ଏକ ପଲସର (ଓଡି ୦୪ପି- ୪୫୨୩) ବାଇକରେ ଧଳାଜହର ନେଇ ଯାଉଥିବା ବେଳେ ଶ୍ରୀରାମପୁର ଫାଟକ ନିକଟରେ ସେହି ଗ୍ରାମର ବିଜୟ କୁମାର ଦାସ ନାମକ ଯୁବକକୁ ଧକ୍କା ଦେଇଥିଲେ। ବାଇକ୍ ଆରୋହୀଙ୍କ ପାଖରେ ବ୍ରାଉନ୍ ସୁଗାର ଥିବାରୁ କ୍ଷତବିକ୍ଷତ ଅବସ୍ଥାରେ ଘଟଣାସ୍ଥଳରୁ ଫେରାର ହେବା ପାଇଁ ଉଦ୍ୟମ କରିଥିଲେ। ବାଇକ୍ରେ‌ ଥିବା ୨ଜଣଙ୍କ ମଧ୍ୟରୁ ସ୍ଥାନୀୟ ଲୋକେ ଜଣେ ଯୁବକଙ୍କୁ କାବୁ କରିନେଇଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଯାଇଥିଲା। ଲୋକମାନେ ପୁଲିସକୁ ଘଟଣା ସମ୍ପର୍କରେ ଜଣାଇବା ପରେ ପୁଲିସ ସେଠାରେ ପହ‌ଞ୍ଚି ଧରିଥିବା ଯୁବକକୁ ଥାନାକୁ ଆଣିଥିଲା।

ଅଟକ ଯୁବକ କଟକ ଜିଲା ମାହାଙ୍ଗା ଥାନା ଅନ୍ତର୍ଗତ ଡିଆପଣସ ଗ୍ରାମର ଚନ୍ଦ୍ରକାନ୍ତ ବଳ ଓରଫ ଫକୁନିକୁ ପଚରାଉଚରା କରିବା ପରେ ବ୍ରାଉନ୍ ସୁଗାର କଥା ସାମ୍ନାକୁ ଆସିଥିଲା। ଫକୁନିର ପ୍ୟାଣ୍ଟ ପକେଟରୁ ୯୦ଗ୍ରାମର ବ୍ରାଉନ୍ ସୁଗାର ପୁଲିସ ଜବତ କରିଥିଲା। ଏହାର ଆନୁମାନିକ ମୂଲ୍ୟ ୯ଲକ୍ଷ ଟଙ୍କା ହେବ ବୋଲି ପୁଲିସ କହିଛି। କରୋନା କାଳନରେ ବ୍ରାଉନ୍ ସୁଗାର କାରବାର ସମଗ୍ର ଜିଲ୍ଲାରେ କାୟା ବିଚାର କରିଚାଲିଛି। ଏହି କାରବାରରେ ଆଉ କେଉଁମାନେ ସମ୍ପୃକ୍ତ ସେ ନେଇ ପୁଲିସ ଖୋଳତାଡ଼ ଆରମ୍ଭ କରିଛି। ଆସନ୍ତାକାଲି ଗିରଫ ଫକୁନିକୁ କୋର୍ଟଚାଲାଣ କରାଯିବ ବୋଲି ପୁଲିସ କହିଛି। ସୂଚନ ଯୋଗ୍ୟ ଏହି ସ୍ଥାନରୁ ଅବକାରୀ ବିଭାଗର ସ୍ବତନ୍ତ୍ର ସ୍କ୍ବାଡ୍‌ ଶହେ ଗ୍ରାମ ବ୍ରାଉନ୍ ସୁଗାର ଜବତ କରିବା ସହ ଜଣକୁ ଗିରଫ କରିଥିଲେ। ମାସକ ମଧ୍ୟରେ ବ୍ରାଉନ୍‌ ସୁଗାର ସହ ଆଉ ଜଣେ ଧରାପଡ଼ିବା ଯୋଗୁଁ ଏହି କାରବାରର ଚେର ଚାରିଆଡେ ମାଡ଼ି ଯାଇଥିବା ସ୍ପଷ୍ଟ ହେଉଛି।

ସମ୍ବନ୍ଧିତ ଖବର