ଖୋର୍ଦ୍ଧା ଅଜି ଅବକାରୀ ବିଭାଗକୁ ଏକ ବଡ଼ ସଫଳତା ମିଳିଛି। ଆଜି ଭୋର ଭୋରରୁ ଅବକାରୀ ବିଭାଗର କଟକରୁ ଆସିଥିବା ଫ୍ଲାଇଂ ସ୍କ୍ଵାଡ୍ ଓ ଖୋର୍ଦ୍ଧା ଅବକାରୀ ବିଭାଗ ମିଳିତ ଭାବେ ଖୋର୍ଦ୍ଧା ଟାଉନ୍ ଥାନା ଅନ୍ତର୍ଗତ ଗୋପିନାଥପୁର ମଠସାହିରେ ଚଢ଼ାଉ କରି ୨୯୫ ଗ୍ରାମ ଓଜନର ବ୍ରାଉନ୍ ସୁଗାର ଜବତ କରିଛନ୍ତି। ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖାଯାଇଛି। ଜବତ ବ୍ରାଉନ୍ ସୁଗାରର ମୂଲ୍ୟ ଆନ୍ତର୍ଜାତିକ ବଜାରରେ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି।
ମିଳଇଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ଖୋର୍ଦ୍ଧା ସହର ଓ ଏହାର ଆଖପାଖ ଅଞ୍ଚଳ ବ୍ରାଉସୁଗାର ବେପାରର ପେଣ୍ଠ ସାଜିଛି। ପଶ୍ଚିମବଙ୍ଗ ସୀମାନ୍ତ ଜଳେଶ୍ୱର ଓ ବାଲେଶ୍ୱରରୁ ବ୍ରାଉନ୍ସୁଗାର ଖୋର୍ଦ୍ଧାକୁ ଅଣାଯାଉଛି। ସେଠାରୁ ଏହି ବ୍ରାଉନସୁଗାର ଚୋରା ବେପାରିଙ୍କ ସହାୟତାରେ କଟକ, ପୁରୀ, ଭୁବନେଶ୍ୱରର କେତେକ ଅଞ୍ଚଳକୁ ଯାଉଥିବା ଗତ କିଛି ଦିନ ହେବ ଅବକାରୀ ବିଭାଗର ଅଧିକାରୀମାନେ ସନ୍ଦେହ କରୁଥିଲେ। ଗତ କିଛି ଦିନ ତଳେ ଖୋର୍ଦ୍ଧା ସଦର ଥାନା ନିକଟରୁ ୭୬ ଗ୍ରାମ ବ୍ରାଉନସୁଗାର ଜବତ ହେବା ପରେ ଓ ରାଜ୍ୟ ର ବିଭିନ୍ନ ଅଞ୍ଚଳରେ ବ୍ରାଉନ ସୁଗାର ବେପାରୀ ଗିରଫ ସମୟରେ ଖୋର୍ଦ୍ଧା ଅଞ୍ଚଳର କେତେକ ଯୁବକ ଏହିତିରେ ସମ୍ପୃକ୍ତି ଥିବା ଜଣାପଡ଼ିବା ପରେ ଅବକାରୀ ବିଭାଗର ସନ୍ଦେହ ଦୃଢ଼ ହେବା ସହିତ ଅବକାରୀ ବିଭାଗ ଖୋର୍ଦ୍ଧା ଉପରେ ଫୋକସ କରିଥିଲା।
ତେବେ ଆଜି ଭୋରରୁ ଠୋସ ସୂଚନା ପାଇ କଟକରୁ ଆସିଥିବା ଅବକାରୀ ସ୍କ୍ଵାଡ୍ ଓ ଖୋର୍ଦ୍ଧା ଅବକାରୀ ବିଭାଗ ମିଳିତ ଭାବେ ଟାଉନ ଥାନା ଅନ୍ତର୍ଗତ ଗୋପୀନାଥସାହି ମଠସାହିରେ ଚଢ଼ାଉ କରିଥିଲେ। ଏହି ଚଢ଼ାଉ ସମୟରେ ସେଠାରୁ ୨ ଜଣ ଯୁବକଙ୍କ ଠାରୁ ୨୯୫ ଗ୍ରାମ ବାଉନ୍ ସୁଗାର ଜବତ କରିଥିଲେ। ଏହି ଘଟଣାରେ ଅବକାରୀ ବିଭାଗ କୃଷ୍ଣ ପଲେଇ ଓ ରବୀନ୍ଦ୍ର ପ୍ରଧାନ ନାମକ ଦୁଇ ଜଣ ଯୁବକଙ୍କୁ ଗିରଫ କରି ପଚରା ଉଚରା କରୁଥିବା ଅବକାରୀ ବିଭାଗ ସୂତ୍ରରୁ ପ୍ରକାଶ।