ଉଦୟପୁର ବେଳାଭୂମିରେ ଧଳାଜହର କାରବାର: ୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୪ ଗିରଫ

ଭୋଗରାଇ: ରାଜ୍ୟରେ ବ୍ରାଉନସୁଗାର ପେଣ୍ଠସ୍ଥଳ ଭାବେ ବଦନାମ୍‌ ମୁଣ୍ଡାଇଥିବା ଜଳେଶ୍ବରରୁ ଏବେ ଭୋଗରାଇ ଅଞ୍ଚଳକୁ ନୂଆ ଠିକଣା ଭାବେ ବାଛିଛନ୍ତି ନିଶା ମାଫିଆ। ତାଳସାରୀ ସାମୁଦ୍ରିକ ଥାନା ଅଧୀନରେ ଥିବା ଉଦୟପୁର ଏବଂ ତାଳସାରୀ ବେଳାଭୂମିରେ ଦିନ ଦ୍ବିପ୍ରହରେ ଚାଲିଛି ଏହି କାରବାର। ମାତ୍ର ପୁଲିସକୁ ବାରମ୍ବାର ଏହି ସୂଚନା ଦିଆଯାଇଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା। ଗତକାଲି ବିଳମ୍ବିତ ରାତିରେ ତାଳସାରୀ ସାମୁଦ୍ରିକ ଥାନା ଅନ୍ତର୍ଗତ ଉଦୟପୁର ଗାଁରେ କେତେକ ଯୁବକ ବ୍ରାଉନସୁଗାର କାରବାର କରୁଥିବା ସୂଚନା ପାଇବା ପରେ ପୁଲିସ ସେଠାରେ ଅଚାନକ ଚଢ଼ାଉ କରିଥିଲା। ଏହି କାରବାରରେ ସମ୍ପୃକ୍ତ ୬ ଜଣକୁ ଧରି ଥାନାରେ ଅଟକ ରଖାଯାଇଥିବା ବେଳେ ୪ ଜଣଙ୍କ ନାମରେ ୧/୨୧ ନମ୍ବରରେ ମାମଲା ରୁଜୁ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଜଳେଶ୍ବର ଥାନା ଝାଡ଼େଶ୍ୱରପୁର ଗାଁର ଜାମସେଦ ଖାଁ(୨୬), ତାଳସାରୀ ଥାନା ସାହାବାଜିପୁର ଗାଁର ଅଭିଳାଷ ପଟ୍ଟାୟତ(୨୦) ଓ ଜନକ ପଟ୍ଟାୟତ(୨୫) ଓ ଚକପଦ୍ମପୁର ଗାଁର ଓମ୍‌କାର ସ୍ୱାଇଁ(୨୮)। ଏହି ଘଟଣାରେ ସଂପୃକ୍ତ  ଅନ୍ୟ ୨ ଜଣଙ୍କୁ ପୁଲିସ ସର୍ତ୍ତମୂଳକ ଭାବେ ଛାଡ଼ି ଦେଇଥିବା ଜଣାପଡ଼ିଛି। ଆସନ୍ତା ଶନିବାର ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ।

ତେବେ ସେମାନଙ୍କ ଠାରୁ ୪୫ ଗ୍ରାମ ଓଜନର ବ୍ରାଉନ୍‌ସୁଗାର ଜବତ କରାଯାଇଥିବା ଆଲୋଚନା ହେଉଥିବା ବେଳେ ପୁଲିସ ମାତ୍ର ୨୦ ଗ୍ରାମ୍‌ ଜବତ କରିଥିବା ପ୍ରକାଶ କରିଛି। ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କୁହାଯାଇଛି।

ସୂଚନାଯୋଗ୍ୟ, ତାଳସାରୀ ସାମୁଦ୍ରିକ ଥାନା ଅଧୀନରେ ଥିବା ଉଦୟପୁର ଓ ତାଳସାରୀ ବେଳାଭୂମିରେ ବେଆଇନ୍‌ ନିଶା କାରବାର ଚାଲିଥିବା ଏବଂ ପୁଲିସ, ନିଶା ବ୍ୟବସାୟୀଙ୍କ ସେଥିରେ ହାତ ରହିଥିବା ନେଇ କିଛିଦିନ ପୂର୍ବରୁ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। ମାତ୍ର ପୁଲିସ ବିଭାଗ ଏଥିପ୍ରତି ଗୁରୁତ୍ୱ ଦେଇନଥିଲା। ପୁଲିସ ଏହି ବେଆଇନ ନିଶା ବ୍ୟବସାୟୀଙ୍କୁ ଧରିବା ପରିବର୍ତ୍ତେ ସୁରକ୍ଷା ଯୋଗାଇ ଦେଇଆସୁଥିବା ଏବେ ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି। ଏହାଛଡ଼ା ଗତକାଲିର ଘଟଣା ମଧ୍ୟ ଥାନା ଠାରୁ ମାତ୍ର ଗୋଟିଏ କିଲୋମିଟର ଦୂରରେ ଚାଲିଥିବା ବେଳେ ଏହି କାରବାରରେ ସମ୍ପୃକ୍ତ ଯୁବକମାନଙ୍କୁ ଗ୍ରାମବାସୀ ଧରିଥିଲେ। ତେବେ ଉକ୍ତ ଘଟଣା ସ୍ଥାନୀୟ ପୁଲିସର ସ୍ୱଚ୍ଛତା ଉପରେ ଆଙ୍ଗୁଳି ନିର୍ଦ୍ଦେଶ କରୁଛି। ଅନ୍ୟପକ୍ଷରେ ଏହି ଦୁଇ ବେଳାଭୂମି ଦେଇ ଜଳପଥରେ ବାଂଲାଦେଶରୁ ଚୋରା ନିଶା ସାମଗ୍ରୀ ଏହି ଅଞ୍ଚଳକୁ ପ୍ରବେଶ କରୁଥିବା ବେଳେ ସାମୁଦ୍ରିକ ଥାନା ପୁଲିସର ନିଷ୍କ୍ରିୟତାକୁ ନେଇ ସ୍ଥାନୀୟ ବାସିନ୍ଦା କ୍ଷୋଭ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର