ବ୍ରାଉନସୁଗାର ମାଫିଆ ସୋମନାଥ ଭୂଜବଳ ସମ୍ପତ୍ତି ବ୍ୟାଜ୍ୟାପ୍ତ ପାଇଁ ପ୍ରକ୍ରିୟା ଆରମ୍ଭ

ଖୋର୍ଦ୍ଧା: ଖୋର୍ଦ୍ଧା ଅଂଚଳର କୁଖ୍ୟାତ ବ୍ରାଉନସୁଗାର ମାଫିଆ ସୋମନାଥ ଭୂଜବଳଙ୍କ ସମ୍ପତ୍ତି ବ୍ୟାଜ୍ୟାପ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ସକାଳ ପ୍ରାୟ ୬ଟାରୁ ଖୋର୍ଦ୍ଧା ଗ୍ରାମାଂଚଳ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାଜ କିଶୋର ଦୋରା ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଚଢ଼ଉ ଆରମ୍ଭ ହୋଇଥିଲା । ଚଢ଼ଉରେ ବିପୁଳ ସ୍ଥାବର ସମ୍ପତ୍ତି, ସୁନା, ନଗଦ ଟଙ୍କା ଆଦି ଜବତ ହୋଇଥିବା ଜଣାଯାଇଛି । ଆଜି ସକାଳ ପ୍ରାୟ ୬ଟାରେ ଏସପି ଓ ତହସିଲଦାର ତଥା ମାଜିଷ୍ଟ୍ରେଟ୍ ଇପ୍ସିତ କୁମାର ସାହୁଙ୍କ ସହ ପ୍ରାୟ ୩୦ରୁ ଉର୍ଦ୍ଧ୍ବ ପୁଲିସ ଅଧିକାରୀ ଓ କର୍ମଚାରୀ ଖୋର୍ଦ୍ଧା ସାମନ୍ତରାପୁରସ୍ଥ ସୋମନାଥ ଭୂଜବଳଙ୍କ ଘରେ ପହଂଚିଥିଲେ । ଖବର ଲେଖାଯିବାବେଳକୁ ଚଢ଼ଉ ଜାରି ରହିଥିଲା ।

ଏନେଇ ଏସପି କହିଛନ୍ତି ଯେ ଚଢ଼ଉରେ ଅତିରିକ୍ତ ଏସପି ସୁରେଶ ଦାଶଙ୍କ ନେତୃତ୍ୱରେ ୩ଜଣ ଡିଏସପି, ଏସଡିପିଓ, ୩ ଇନ୍ସପେକ୍ଟର, ୫ ସବ୍ଇନସପେକ୍ଟର, ୪ଜଣ ଏଏସ୍ଆଇ ଓ ୨ ସେକ୍ସନ ପୁଲିସଙ୍କ ସହ ମାଜିଷ୍ଟ୍ରେଟ୍ ଓ ୨ଜଣ ସରକାରୀ ସାକ୍ଷୀ ସାମିଲ ଅଛନ୍ତି । ଚଢ଼ଉ ବର୍ତ୍ତମାନ ଜାରି ରହିଛି, ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ଆକଳନ କରାଯାଉଛି । ଏଣୁ ଚଢ଼ଉ ଶେଷ ହେବା ପରେ ଯାଇ କିଛି କୁହାଯାଇପାରିବ । ସୂଚନାଯୋଗ୍ୟ, ସୋମନାଥ ଭୂଜବଳଙ୍କ ବିରୋଧରେ ପୁରୀରେ ୨ଟି ଓ ଖୋର୍ଦ୍ଧା ଗ୍ରାମାଂଚଳରେ ୧୨ଟି ମାମଲା ରହିଛି । ଏହା ମଧ୍ୟରୁ ୫ଟି ମାମଲା ବର୍ତ୍ତମାନ ବିଚାରାଧୀନ ରହିଥିବା ବେଳେ ବଳକା ମାମଲାରେ ସେ ଜାମିନରେ ଆସିଛନ୍ତି । ୫ ଅକ୍ଟୋବର ୨୦୨୦ରେ ପୁରୀ ବାସେଳି ସାହିରେ ପୁଲିସ ଚଢ଼ଉରେ ସୋମନାଥ ଭୂଜବଳ ଓ ତାଙ୍କ ପିତା କୃଷ୍ଣଚନ୍ଦ୍ର ଭୂଜବଳଙ୍କ ସମେତ ୮ଜଣଙ୍କୁ ଗିରଫ କରିଥିଲା ।

ସେମାନଙ୍କ ନିକଟରୁ ୨୭୩ ଗ୍ରାମ (ପ୍ରାୟ ୨୭ ଳକ୍ଷ ଟଙ୍କାର) ବ୍ରାଉନସୁଗାର ଜବତ ହୋଇଥିଲା । ସେହିଭଳି ୨୦୧୭ ଜୁନ୍ ମାସରେ ଅବକାରୀ ବିଭାଗ ଚଢ଼ଉ କହି ଠେଙ୍ଗାହାଟ ଠାରୁ ସୋମନାଥ ଭୂଜବଳକୁ ଗିରଫ କରିଥିଲା । ସେହି ସମୟରେ ସୋମନାଥ ନିକଟରୁ ୨୦ଲକ୍ଷ ଟଙ୍କାର ବ୍ରାଉନସୁଗାର ସହ ୨ଲକ୍ଷ ଟଙ୍କା ନଗଦ ଜବତ କରିଥିଲା । ଏହା ବ୍ୟତୀତ ଗତ ୫ ବର୍ଷ ଧରି ଖୋର୍ଦ୍ଧା, ପୁରୀ ଆଦି ଅଂଚଳରେ ବିଭିନ୍ନ ବ୍ରାଉନସୁଗାର ମାମଲାରେ ଧରାପଡ଼ିଥିବା ଅଭିଯୁକ୍ତଙ୍କ ଠାରୁ ମିଳିଥିବା ସୂଚନାରେ ସୋମନାଥ ଓ କୃଷ୍ଣଚନ୍ଦ୍ର ଉଭୟଙ୍କ କାରବାର ଖୋର୍ଦ୍ଧା, ନୟାଗଡ଼, ପୁରୀ, ଗଂଜାମ, ବୌଦ୍ଧ ଓ କନ୍ଧମାଳ ଯାଏଁ ବ୍ୟାପିଛି । ପୁଲିସ ପକ୍ଷରୁ ଅତୀତର ସମସ୍ତ ଅପରାଧିକ ରେକର୍ଡ ଠୁଳ କରିବା ପରେ ବିଷାକ୍ତ ନିଶା କାରବାରରେ ଅର୍ଜିଥିବା ସମ୍ପତ୍ତି ବାଜ୍ୟାପ୍ତି କରିବାକୁ ସରକାରଙ୍କୁ ଅନୁରୋଧ କରିଥିଲେ ।

ସମ୍ବନ୍ଧିତ ଖବର