ବ୍ରହ୍ମପୁର: ନକଲି ମଦ କାରବାରରେ ଉବୁଡ଼ୁବୁ ବ୍ରହ୍ମପୁର ସହରରେ ବ୍ରାଉନ୍ ସୁଗାର କାରବାର। ନିଶା ବେପାର କରୁଥିବା ମାଫିଆମାନେ ଯୁବପିଢ଼ିଙ୍କୁ ଟାର୍ଗେଟ କରି ତାଙ୍କର କାରବାର ଜାରି ରଖିଛନ୍ତି। ଏଭଳି ଏକ ନିଶା ବେପାରୀକୁ ଗିରଫ କରିଛି ବ୍ରହ୍ମପୁୁର ଅବକାରୀ ଗୁଇନ୍ଦା ବିଭାଗ। ଗିରଫ ଅଭିଯୁକ୍ତ ଜଣକ ସନ୍ଦୀପ ଓରଫ୍ ସାଣ୍ଡି(୩୮) ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ। ତା’ ନିକଟରୁ ମୋଟ ୧୧୨ଗ୍ରାମ ବ୍ରାଉନ୍ ସୁଗାର ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୧୧ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ। ବ୍ରହ୍ମପୁରରେ ଧୀରେ ଧୀରେ ବ୍ରାଉନ୍ ସୁଗାର କାରବାର ବଢ଼ିବାରେ ଲାଗିଛି। ଏହା ଉପରେ ଅବକାରୀ ଓ ପୁଲିସ ନଜର ରଖିଛି।
ଆଜି କୌଣସି ସୂତ୍ରରୁ ଖବର ପାଇ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ଡେପୁଟି କମିସନର୍ ଅଶୋକ କୁମାର ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ୍ ଗୋଦାବରୀଶନଗରରେ ଚଢ଼ଉ କରିଥିଲା। ସେହି ରାସ୍ତା ଦେଇ ଯାଉଥିବା ଏକ ବାଇକ୍( ଓଡି୦୭ ଏଏ ୫୮୩୩)କୁ ଅଟକାଇ ଯାଞ୍ଚ କରିବା ପରେ ଡିକିରୁ ବ୍ରାଉନ୍ ସୁଗାର ଜବତ ହୋଇଥିଲା। ଓଜନ ପରେ ତାହା ୧୧୨ ଗ୍ରାମ ଥିବା ଜଣାପଡ଼ିଥିଲା। ଏହି ମାମଲାରେ ଅବକାରୀ ବିଭାଗ ବାଇକ୍ ଚାଳକ ସାଣ୍ଡିକୁ ଗିରଫ କରିଥିଲା। ସାଣ୍ଡି ଜଣେ ପୁରୁଣା ବ୍ରାଉନ୍ ସୁଗାର ବେପାରୀ ବୋଲି ଅବକାରୀ ବିଭାଗ କହିଛି।
ପୂର୍ବରୁ ଟାଉନ୍ ଥାନା ଅନ୍ତର୍ଗତ ଖଲ୍ଲିକୋଟ କଲେଜ ପଡ଼ିଆରେ ପୁଲିସ ଚଢ଼ଉ କରି ସାଣ୍ଡିକୁ ଗିରଫ କରିବା ସହିତ ତା’ ନିକଟରୁ ବ୍ରାଉନ୍ ସୁଗାର ଜବତ କରିଥିଲା। ସନ୍ଦୀପ ଖୋର୍ଦ୍ଧା ଅଞ୍ଚଳରୁ ୨୫୦ ଗ୍ରାମ ବ୍ରାଉନ୍ ସୁଗାର ଆଣିଥିଲା। ସେଥିରୁ ୧୩୮ ଗ୍ରାମ ବିକ୍ରି କରିସାରିଥିଲା। ବଳକା ରହିଥିବା ୧୧୨ ଗ୍ରାମ ବ୍ରାଉନ୍ ସୁଗାର ବିକ୍ରି ପାଇଁ ଯାଉଥିବା ବେଳେ ଅବକାରୀ ବିଭାଗ ତାକୁ ମାଡ଼ି ବସିଛି। ଚଢ଼ଉରେ ଅବକାରୀ ଉପଅଧୀକ୍ଷକ କୁବେର ସେଠୀ, ଇନ୍ସ୍ପେକ୍ଟର୍ ହୃଦୟ ଚନ୍ଦ୍ର ସାମନ୍ତ, ଏଏସ୍ଆଇ ବ୍ରଜବିହାରୀ ନାୟକ ପ୍ରମୁଖ ସାମିଲ ଥିଲେ।