ବ୍ରହ୍ମପୁର : ବ୍ରହ୍ମପୁର ସହରରେ ଏବେ ବ୍ରାଉନ୍ସୁଗାର କାରବାର ବଢ଼ିବାରେ ଲାଗିଛି। ଆଜି ସିଟି ହସ୍ପିଟାଲ୍ ରାସ୍ତାରେ ଜଣେ ମହିଳା ଫଳ ବ୍ୟବସାୟୀ ବେଆଇନ୍ ଭାବେ ଡ୍ରଗ୍ସ ବିକ୍ରି କରୁଥିବା ଖବର ପାଇ ଅବକାରୀ ଗୁଇନ୍ଦା ବିଭାଗ ଚଢ଼ଉ କରିଥିଲା। ସେଠାରୁ ୧୨୭ଗ୍ରାମ ଓଜନର ବ୍ରାଉନ୍ସୁଗାର ଜବତ କରିବା ସହ ସଂପୃକ୍ତ ମହିଳା ବ୍ୟବସାୟୀଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତ ଜଣକ ଗେଟ୍ବଜାର ଅଂଚଳର ସୁକାନ୍ତି ବେହେରା (୪୦) ବୋଲି ଜଣାପଡ଼ିଛି ।
ଏନେଇ ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି। ଅବକାରୀ ଗୁଇନ୍ଦା ବିଭାଗ ଇନ୍ସ୍ପେକ୍ଟର୍ ଗୀତାଂଜଳି ସାହୁଙ୍କ ସୂଚନା ମୁତାବକ, ଅଭିଯୁକ୍ତ ମହିଳା ଜଣକ ଫଳ ବ୍ୟବସାୟ ସହ ଡ୍ରଗ୍ସ କାରବାରରେ ସମ୍ପୃକ୍ତ ଥିବା ନେଇ ବିଶ୍ବସ୍ତ ସୂତ୍ରରୁ ଖବର ମିଳିଥିଲା। ତେଣୁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ତା’ ଉପରେ କଡ଼ା ନଜର ରଖାଯାଇଥିଲା। ଆଜି ଜଣେ ଗ୍ରାହକ ଡ୍ରଗ୍ସ କିଣିବାକୁ ଆସିବା ବେଳେ ମହିଳା ଜଣକ ଲୁଚାଇ ରଖିଥିବା ଏକ ପୁଡ଼ିଆ ବାହାର କରି ଦେବାକୁ ଉଦ୍ୟମ କରିବା ବେଳେ ଅବକାରୀ ଟିମ୍ ଚଢ଼ଉ କରିଥିଲା।
ଗ୍ରାହକ ଜଣକ ଖସି ପଳାଇବାରେ ସକ୍ଷମ ହୋଇଥିବା ବେଳେ ମହିଳାଙ୍କ ଠାରୁ ବ୍ରାଉନ୍ସୁଗାର ଜବତ ହୋଇଥିଲା। ମହିଳା ଜଣକ ଖସି ପଳାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ତା’କୁ ଅବକାରୀ ଟିମ୍ କାବୁ କରିନେଇଥିଲା। ତା’ ଠାରୁ ବ୍ରାଉନ୍ସୁଗାର(୧୨୭ଗ୍ରାମ) ସହ ୧୧ହଜାର ଟଙ୍କା ଜବତ କରାଯାଇଥିଲା। ତେବେ ଏହି ମହିଳାଙ୍କୁ କିଏ ବ୍ରାଉନ୍ସୁଗାର ଯୋଗାଣ କରୁଥିଲା, ତା’ର ତଦନ୍ତ ଜାରି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/a2b78637-41ce-4c2e-9e0f-6dca459b3197.jpg)