୧୦ଲକ୍ଷ ଟଙ୍କାର ବ୍ରାଉନସୁଗାର ଓ ନଗଦ ୧ଲକ୍ଷ ଟଙ୍କା ଜବତ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ୧୦ଲକ୍ଷ ଟଙ୍କାର ବ୍ରାଉନସୁଗାର, ୧ଲକ୍ଷରୁ ଉର୍ଦ୍ଧ୍ଵ ନଗଦ ଟଙ୍କା ସହ ୨ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରାଯାଇଛି । ସୂଚନାନୁସାରେ, ଆଜି ଅପରାହ୍ଣ ପ୍ରାୟ ଗୋଟାଏ ବେଳେ ଫରେଷ୍ଟ କଲୋନିରେ ଥିବା ବିଷ୍ଣୁପ୍ରିୟା ମେଡିକାଲ୍ ଷ୍ଟୋର ନିକଟରେ କେତେକ ବ୍ୟକ୍ତି ବ୍ରାଉନସୁଗାର ବିକ୍ରି କରୁଥିବା ନେଇ ସୂଚନା ମିଳିଥିଲା ।

ସୂଚନା ପାଇ ଏସପି ସିଦ୍ଧାର୍ଥ କଟ୍ଟାରିଆଙ୍କ ନିର୍ଦ୍ଦେଶ କ୍ରମେ ଏସଡିପିଓ ସୁଶୀଲ ମିଶ୍ର ଓ ଡେପୁଟି ଏସପି ତଥା ଟାଉନ୍ ଥାନା ଅଧିକାରୀ ସଂଜୟ ପଟ୍ଟନାୟକଙ୍କ ତତ୍ୱାବଧାନରେ ଏକ ଟିମ ସନ୍ଦିଗ୍ଦ ସ୍ଥାନରେ ଚଢ଼ଉ କରିଥିଲା । ଏହି ସମୟରେ ଫରେଷ୍ଟ କଲୋନୀର ଦେବବ୍ରତ ମିଶ୍ର (୪୦) ଓ ଅମରେଶ ବେହେରା ଓରଫ ପପୁ(୨୭)କୁ ଧରିଥିଲା । ସେମାନଙ୍କ ନିକଟରୁ ୧୦୦ ଗ୍ରାମ ବ୍ରାଉନସୁଗାର ଯାହାର ଆନୁମାନିକ ମୂଲ୍ୟ ୧୦ଲକ୍ଷ ଟଙ୍କା ହେବ ଜବତ କରାଯିବା ସହ ବିକ୍ରି ୧ଲକ୍ଷ ୬ହଜାର ୨୨୦ଟଙ୍କା ନଗଦ ଜବତ କରାଯାଇଥିଲା ।

ଏନେଇ ସୂଚନା ଦେଇ ଥାନା ଅଧିକାରୀ ସଂଜୟ ପଟ୍ଟନାୟକ କହିଛନ୍ତି ଯେ ଚଢ଼ାଉ ପାଇଁ ଗଠିତ ହୋଇଥିବା ଟିମରେ ଅତିରିକ୍ତ ଆଇଆଇସି ପ୍ରଜ୍ଞା ଋତମ୍ଭରା କର, ଏସ୍ଆଇ ସୁକାନ୍ତ ଦଳାଇ ଓ ଅନ୍ୟ ପୁଲିସ କର୍ମଚାରୀ ଥିଲେ । ଅଭିଯୁକ୍ତଙ୍କ ନିକଟରୁ ବ୍ରାଉନସୁଗାର, ନଗଦ ଟଙ୍କା ଓ ଗୋଟିଏ ମୋଟର ସାଇକଲ (ଓଡି୦୫୯୯୮୨) ଜବତ କରାଯାଇଛି । ସେମାନଙ୍କ ବିରୋଧରେ ୨୬୯/୨୦୨୨ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

ସମ୍ବନ୍ଧିତ ଖବର