୩୭ ଲକ୍ଷ ଟଙ୍କାର ଧଳା ଜହର ସହ ପରିବା ଦୋକାନୀ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ସହରରେ ବ୍ରାଉନ୍‌ସୁଗାର ଭଳି ମାରାତ୍ମକ ନିଶା କିଭଳି ବେଧଡ଼କ ବିକ୍ରି ହେଉଛି, ତା’ର ଏକ ପ୍ରମାଣ ଆଜି ମିଳିଛି। ଖୋର୍ଦ୍ଧା ସହରର ନୂଆ ବସଷ୍ଟାଣ୍ତ ଠାରୁ ପୁରୁଣା ବସଷ୍ଟାଣ୍ତ ସଂଯୋଗ କରୁଥିବା ମୁଖ୍ୟ ସଡ଼କ। ମାଳମାଳ ସରକାରୀ କାର୍ଯ୍ୟାଳୟ, ଦୈନିକ ପୁଲିସ, ସାଧାରଣ ଲୋକଙ୍କ ଗହିଳି, ନିୟମିତ ପୁଲିସ ପାଟ୍ରୋଲିଂ। ଏହା ସତ୍ୱେ ଏହି ସଡ଼କ କଡ଼ର ପ୍ରାଣୀଧନ କାର୍ଯ୍ୟାଳୟ କଡ଼ରେ ଥିବା ଏକ ପରିବା ଦେକାନୀ ଠାରୁ ୩୭ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିବା ସାଧାରଣରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଆଜି ପ୍ରାୟ ସକାଳ ୧୦ଟା ବେଳେ କଟକ ଅବକାରୀ ମୁଖ୍ୟ କାର୍ଯ୍ୟାଳୟର ଫ୍ଲାଏଂ ସ୍କାଡ୍ ସଦଳବଳେ ଆସି ଜିଲ୍ଲା ପ୍ରାଣୀଧନ କାର୍ଯ୍ୟାଳୟ ନିକଟରେ ଥିବା ରାଜେନ୍ଦ୍ର ପୃଷ୍ଟିଙ୍କ ପରିବା ଦୋକାନରେ ଚଢ଼ାଉ କରିଥିଲେ।

ଚାହୁଁ ଚାହୁଁ ଆଖପାଖର ଲୋକ ସେଠାରେ ଜମା ହୋଇଯାଇଥିଲେ। ଏନେଇ ଅବକାରୀ ଅଧୀକ୍ଷକ ଦେବାଶିଷ ପଟେଲ୍ କହିଛନ୍ତି ଯେ ଗୁଇନ୍ଦା ସୂତ୍ରରୁ ସୂଚନା ମିଳିବା ପରେ ରାଜେନ୍ଦ୍ରଙ୍କ ଉପରେ ନଜର ରଖାଯାଇଥିଲା। ସେ ପଶ୍ଚିମବଙ୍ଗରୁ ବାଲେଶ୍ୱରର ଜଳେଶ୍ୱର ଆସୁଥିବା ବ୍ରାଉନସୁଗାରର ଏକ ବଡ଼ ପରିମାଣ ରାଜେନ୍ଦ୍ର ଖୋର୍ଦ୍ଧା ଆଣୁଥିଲେ। ଏଠାରୁ ଛୋଟ ପରିମାଣରେ ବିଭିନ୍ନ ସ୍ଥାନକୁ ଯୋଗାଉଥିଲେ। ରାଜେନ୍ଦ୍ରଙ୍କ ସାମନ୍ତରାପୁର ଥିବା ବାସଭବନରେ ଚଢ଼ାଉ କରାଯାଇଥିଲା। ଉଭୟ ସ୍ଥାନରୁ ମୋଟ ୩୭୦ ଗ୍ରାମ୍ ବ୍ରାଉନସୁଗାର ଓ ଘରୁ ବ୍ରାଉନସୁଗାର ବିକ୍ରି ଲବ୍ଧ ୧ଲକ୍ଷ ୧୩ ହଜାର ଟଙ୍କା ନଗଦ ଜବତ କରାଯାଇଛି।

Sambad

ରାଜେନ୍ଦ୍ର ବିରୋଧରେ ଏନ୍‌ଡ଼ିପିଏସ୍ ଆଇନ (ବେଆଇନ ନିଶାଦ୍ରବ୍ୟ କାରବାର ଆଇନ)ର ଧାରା ୨୧ରେ ୨୩୭/୨୦୨୨ରେ ଏକ ମାମଲା ରୁଜୁ କରାଯାଇ ସ୍ୱତନ୍ତ୍ର ଅଦାଲତରେ ହାଜର କରାଯାଇଛି। ଏହି ଚଢ଼ାଉରେ ଅବକାରୀ ଅଧୀକ୍ଷକ ଶ୍ରୀ ପଟେଲ୍‌ଙ୍କ ସହ ଇନ୍ସପେକ୍ଟର ସରୋଜ କୁମାର ପରିଡ଼ା, ଉମାକାନ୍ତ ସ୍ୱାଇଁ, ସବଇନ୍ସପେକ୍ଟର ସଚିନ ବେହେରା, ଏଏସ୍ଆଇ ସିକର ଉଲ୍ଲା, ନଟବର ମଲ୍ଲିକ, ରାଜେନ୍ଦ୍ର ନାୟକ, କନେଷ୍ଟବଳ ଦିଲ୍ଳୀପ କୁମାର ନନ୍ଦ, ଅଜୟ ବେହେରା, ଦେବାଶିଷ ବେହେରା, ପ୍ରଦ୍ୟୁମ୍ନ ପାତ୍ର, ଦିଲଜିତ ଦାସ, ଅନ୍ତର୍ଯ୍ୟାମୀ ମଲ୍ଲିକ, ରୋଜାଲିନ୍ ପଟ୍ଟନାୟକ ଓ ଅନ୍ନପୂର୍ଣ୍ଣା ଗଣ୍ଡ ପ୍ରମୁଖ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ, ୨୦୧୯ ଜୁନ୍ ମାସରେ ଖୋର୍ଦ୍ଧା ନିକଟ ଗୁରୁଜଙ୍ଗର ଏକ ପରିବା ବ୍ୟବସାୟୀରୁ ବ୍ରାଉନସୁଗାର ମାଫିଆ ପାଲଟିଥିବା ଶୁଭ୍ରାଂଶୁ ପରିଡ଼ା ଓରଫ ଛୋଟା ଏସ୍‌ଟିଏଫ୍ ହାତରେ ଧରାପଡ଼ିଥିଲା।

ଖୋର୍ଦ୍ଧା ସହରରେ କେବଳ ଶୁଭ୍ରାଂଶୁ କିମ୍ବା ରାଜେନ୍ଦ୍ର ନୁହନ୍ତି ଅନେକ ବ୍ରାଉନସୁଗାର ବ୍ୟବସାୟୀ ପଶ୍ଚିମବଙ୍ଗରୁ ପନିପରିବା ବ୍ୟବସାୟ ସହ ଧଳା ଜହରର କାରବାର ସୁରୁଖୁରୁରେ କରୁଥିବା ସ୍ପଷ୍ଟ ହୋଇଛି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ଖୋର୍ଦ୍ଧା ସହରରେ ଏଭଳି ବେଧଡ଼କ ନିଷିଦ୍ଧ ନିଶାର ବ୍ୟବସାୟ ଚାଲୁଥିବା ବେଳେ ପୁଲିସ ଓ ଖୋର୍ଦ୍ଧା ଅବକାରୀ ବିଭାଗ ନିରବ ରହିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର