୩ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ 

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଟାଉନ୍ ପୁଲିସ ୩ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ କରିବା ସହ ଏହି ମାମଲାରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନାନୁସାରେ, ଆଜି ସକାଳ ପ୍ରାୟ ୮ଟା ବେଳେ ଗୁଇନ୍ଦା ସୂତ୍ରରୁ ବ୍ରାଉନସୁଗାର ଚାଲାଣ ହେଉଥିବା ସୂଚନା ପାଇଁ ଆରକ୍ଷୀ ଅଧିକ୍ଷକ ରାଜକିଶୋର ଦୋରାଙ୍କ ନିର୍ଦ୍ଦେଶକରେ ଏସ୍‌ଡିପିଓ ସୁଶୀଲ ମିଶ୍ରଙ୍କ ତତ୍ୱାବଧାନରେ ଏକ ଟିମ୍ ଗଠନ କରାଯାଇଥିଲା । ଟାଉନ୍ ଥାନା ଅଧିକାରୀ ସଂଜୟ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଏସ୍‌ଆଇ ପଦ୍ମଲୋଚନ ବେହେରା, ଏସ୍‌ଆଇ ବିଜୟ ବେହେରା, ଏସ୍‌ଆଇ ଦିଗ୍‌ବିଜୟ ବିଶ୍ୱାଳ ଓ ଅନ୍ୟ ପୁଲିସଙ୍କୁ ନେଇ ଗଠିତ ଟିମ୍ ଗୁରୁଜଙ୍ଗ ମେଲଣପଡ଼ିଆ ନିକଟରେ ଛାପାମାରି ଜଣକୁ କାବୁ କରିଥିଲା । ଏଥିରେ ଗୁରୁଜଙ୍ଗ ଦେୱାନ୍ ସାହିର ସର୍ବେଶ୍ୱର ବେହେରା ଓରଫ ବାପି (୨୯) ଠାରୁ ୩୦.୦୮ ଗ୍ରାମ ବ୍ରାଉନ୍‌ସୁଗାର ଓ ପ୍ୟାକଟ ଜବତ କରିଥିଲା ।

ଏନେଇ ସୂଚନା ଦେଇ ଥାନା ଆଇଆଇସି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଗିରଫ ସର୍ବେଶ୍ୱର ନିକଟରୁ ୨୭ଟି ପଲିଥିନ୍ ପ୍ୟାକେଟ୍‌, ୩୦ ଗ୍ରାମ ବ୍ରାଉନ୍‌ସୁଗାର ଯାହାର ଆନୁମାନିକ ମୂଲ୍ୟ ୩ଲକ୍ଷ ଟଙ୍କା ଓ ବିକ୍ରି ବାବଦରେ ରଖିଥିବା ୯୫୦ଟଙ୍କା ଜବତ କରାଯାଇଛି । ଏନେଇ ଏକ ମାମଲା ରୁଜୁ କରାଯିବା ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ମାମଲାର ଅଧିକ ତଦନ୍ତ ପାଇଁ ଏସ୍‌ଆଇ ଅନୁଭା ଦାସଙ୍କୁ ଦାୟିତ୍ୱ ଦିଆଯାଇଛି ।

ସମ୍ବନ୍ଧିତ ଖବର