ପୁରୀ: ଅବକାରୀ ବିଭାଗ ରାତ୍ରୀକାଳୀନ ଚଢ଼ାଉ ସମୟରେ ବିଷେଶ୍ୱର ଲୋନ୍‌ସ୍ଥିତ ନରେନ୍ଦ୍ର କୋଣରୁ ୧୦୨ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ କରିଛି। ଜବତ ବ୍ରାଉନ୍‌ସୁଗାର ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏଥି ସହ ଅବକାରୀ ବିଭାଗର କର୍ମଚାରୀମାନେ ଏହି ନିଶା କାରବାର ସହ ଜଡ଼ିତ ୫ ଜଣ ବେପାରୀଙ୍କୁ ମଧ୍ୟ ଗିରଫ କରିଥିବା ଜଣାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଟାଉନ ଥାନା ଅନ୍ତର୍ଗତ ହରଚଣ୍ଡୀ ଷ୍ଟ୍ରିଟର ସ୍ୱର୍ଗତ ଲକ୍ଷ୍ମୀନାରାୟଣ ମହାପାତ୍ରଙ୍କ ପୁଅ କହ୍ନେଇ ମହାପାତ୍ର, କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ନରେନ୍ଦ୍ରକୋଣ ଅଞ୍ଚଳର ମଙ୍ଗଳାସାହିର ରମେଶ ନାଏକଙ୍କ ପୁଅ ବୁଦ୍ଧିଆ ନାଏକ, ବିଷେଶ୍ୱର ଲେନ୍‌ର ସ୍ୱର୍ଗତ ଗୁଗୁନା ଦାସଙ୍କ ପୁଅ ଚିକୁ ଦାସ (୧୯), ମଙ୍ଗଳାସାହିର ଚନ୍ଦ୍ରଶେଖର ସାହୁଙ୍କ ପୁଅ ଚନ୍ଦନ ଓ ରବି ରଥଙ୍କ ପୁଅ କାବୁ ରଥ।

Advertisment

ଅବକାରୀ ବିଭାଗର ଜଣେ ଅଧିକାରୀ କହିଛନ୍ତି, ନରେନ୍ଦ୍ର କୋଣଠାରେ ନିଶାକାର ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଅତର୍କିତ ଭାବେ ଚଢ଼ାଉ କରାଯାଇଥିଲା। ଘଟଣାସ୍ଥଳରୁ ୫ ଜଣ ନିଶା ବେପାରୀଙ୍କ ଠାରୁ ୧୦୨ ଗ୍ରାମ ବ୍ରାଉନ୍‌ସୁଗାର ଓ ତିନିଟି ମୋଟର ସାଇକେଲ୍‌ ଜବତ ହୋଇଛି।

ସୂଚନାଯୋଗ୍ୟ, ବିଶ୍ୱ ପ୍ରସିଦ୍ଧ ପୁରୀରେ ଦିନକୁ ଦିନ ନିଶା ବେପାରୀଙ୍କ ପ୍ରଭାବ ଅଧିକ ଦେଖିବାକୁ ମିଳୁଛି। ନିଶା ବେପାରକୁ ନେଇ ଅନେକ ସମୟରେ ବିଭିନ୍ନ ଅପରାଧିକ ଘଟଣା ସୃଷ୍ଟି ହେଉଛି। ପୁଲିସ ଓ ଅବକାରୀ ବିଭାଗ ନିଶା ବେପାରୀଙ୍କ ଉପରେ ସ୍ୱତନ୍ତ୍ର ଦୃଷ୍ଟି ରଖିଥିଲେ ମଧ୍ୟ ବ୍ରାଉନସୁଗାର, ମଦ ଓ ଗଞ୍ଜେଇ ବ୍ୟବସାୟ ନିୟନ୍ତ୍ରଣ ହେଉନାହିଁ।