ଏକାଧିକ ଦାବି ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଶଯ୍ୟାଶାୟୀ ବୃନ୍ଦା

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ତାର୍ଲାକୋଟା ପଞ୍ଚାୟତର ରଗେଇ ପୁଷିପାଲୀ ଗ୍ରାମର ବୃନ୍ଦା କାବାସୀ ଗତ ୧୫ ବର୍ଷ ଧରି ଶଯ୍ୟାଶାୟୀ। ଘରେ ଭିନ୍ନକ୍ଷମ ଭଉଣୀ। ତେବେ ମେଡିକାଲରେ ରହି ସେ ଚିକିତ୍ସିତ ହେଉଛନ୍ତି। ତାଙ୍କୁ ଏକ ହ୍ବିଲଚେୟାର, ଏକ ଖଟ, ଉଚ୍ଚ ଶୌଚାଳୟ ରହିବା ପାଇଁ ଘର ଇତ୍ୟାଦି ଜିଲ୍ଲାପାଳଙ୍କ ନିକଟରେ ବାରମ୍ବାର ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଶେଷରେ ଆଜି ସମାଜସେବୀ ରାମକୃଷ୍ଣ ଚୌଧୁରୀଙ୍କ ପ୍ରଚେଷ୍ଟାରେ ଆମ୍ବୁଲାନ୍ସ ଯୋଗେ ବୃନ୍ଦା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଜିଲ୍ଲାପାଳ କାର୍ଯ୍ୟାଳୟରେ ଅନୁପସ୍ଥିତ ରହିଥିବାରୁ ଅତିରିକ୍ତ ଜିଲ୍ଲାପାଳ ମହେଶ୍ବର ନାୟକ ବୃନ୍ଦାଙ୍କୁ ଆମ୍ବୁଲାନ୍ସରେ ଦେଖା କରି ସମସ୍ତ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ। ସେ ଗତ ୧୫ ବର୍ଷ ଧରି ଶଯ୍ୟାଶାୟୀ ରହିବା ସହ ବହୁ କଷ୍ଟରେ ଜୀବନ ଅତିବାହିତ କରୁଥିବା କହିଥିଲେ। ନିଜର ଭନ୍ନକ୍ଷମ ଭଉଣୀ ତାହାର ସାହାଭରସା।

ତେଣୁ ତାକୁ ଚାଲିବା ପାଇଁ ତିନି ଚକିଆ ସାଇକେଲ ସହ ଖଟ ଇତ୍ୟାଦି ପ୍ରଦାନ କରିବାକୁ ଦାବି କରିଥିଲା। ତୁରନ୍ତ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ସିଡିଏମଓ କାର୍ଯ୍ୟାଳୟକୁ ଫୋନ ଯୋଗେ ଯୋଗାଯୋଗ କରି ଖଟର ବ୍ୟବସ୍ଥା କରିବା ସହ ଏକ ତିନି ଚକିଆ ସାଇକେଲ ତୁରନ୍ତ ପ୍ରଦାନ କରିଥିଲେ। ଆଗାମୀ ଦିନରେ ବୃନ୍ଦାର ସମସ୍ତ ଦାବିକୁ ପୂରଣ କରାଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ। ତାକୁ ମାଗଣାରେ ଚାଉଳ ମିଳୁଥିବା କହିଥିଲେ। ତେବେ ଅତିରିକ୍ତ ଜିଲ୍ଲାପାଳ ବୃନ୍ଦାକୁ ଏତେ ବର୍ଷ ଧରି ଶଯ୍ୟାଶାୟୀ ହୋଇଥିବା ଜାଣିବା ପରେ ୧ ହଜାର ଟଙ୍କା ଦେଇ ମନ ମୁତାବକ ଖାଦ୍ୟ ଖାଇବାକୁ ଅନୁରୋଧ କରିଥିଲେ। ଅତିଶୀଘ୍ର ଜିଲ୍ଲାପାଳଙ୍କ ସହ ଆଲୋଚନା କରି ବୃନ୍ଦାଙ୍କ ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଥିଲେ।

ସମ୍ବନ୍ଧିତ ଖବର