ରୋଗଗ୍ରସ୍ତା ଅନାଥ ବୃନ୍ଦା କାବାସୀଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଏଭଳି ବହୁ ଅନାଥ ଶିଶୁ ରହିଯାଇଛନ୍ତି ଯେଉଁମାନେ ବାପା-ମାଆଙ୍କୁ ହରାଇ ଏବେ ଦୁର୍ଦିନରେ ଦିନ କାଟୁଛନ୍ତି। ସେଭଳି ଜଣେ ଅନାଥ ଯୁବତୀଙ୍କ ଦୁଃଖଦ କାହାଣୀ ନିଜେ ପୀଡ଼ିତା ବୟାନ କରୁଥିବା ବେଳେ ହୃଦୟ ଫାଟି ପଡୁଥିଲା। ସେ ହେଉଛନ୍ତି ବୃନ୍ଦା କାବାସୀ। ବୟସ ପାଖାପାଖି ୨୭ ବର୍ଷ। ଘର କୋରକୋଣ୍ଡା ବ୍ଲକ ରଙ୍ଗେଇ ପୁସପାଲୀ ଗ୍ରାମରେ। ପିଲାଟି ଦିନରୁ ବାପା ଗଙ୍ଗାଧର କାବାସୀଙ୍କୁ ହରାଇଥିବା ବେଳେ ଗତ ୬ ମାସ ତଳେ ମାଆ ଗୁରୁବାରିଙ୍କୁ ହରାଇଛନ୍ତି।

ବୃନ୍ଦାକୁ ଯେତେବେଳେ ୧୦ ବର୍ଷ ବୟସ ହୋଇଥିଲା, ସେତେବେଳେ ତାର ଗୋଡରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଧିରେଧିରେ ଏହି ଯନ୍ତ୍ରଣା ବଢି ଅଣ୍ଟା ପର୍ଯ୍ୟନ୍ତ ପହଞ୍ଚିଥିଲା। ମାଆ ଗୁରୁବାରି ଦିନ ମଜୁରିଆ ଭାବେ କାମ କରି ନିଜର ଦୁଇ ପିଲାଙ୍କୁ ମଣିଷ କରିବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ବୃନ୍ଦାର ଅବସ୍ଥା ଦେଖି ସେ ମଧ୍ୟ ଚିନ୍ତାରେ ପଡି ଯାଇଥିଲେ। ଝିଅର ଚିକିତ୍ସା ପାଇଁ ଟଙ୍କା ଯୋଗାଡ କରିବେ ନା ଦୁଇ ବେଳା ମୁଠାଏ ଦାନା ଯୋଗାଡ କରିବେ ସେନେଇ ସବୁବେଳେ ଚିନ୍ତାରେ ରହୁଥିଲେ। ଇତିମଧ୍ୟରେ ବୃନ୍ଦାଙ୍କ ଯନ୍ତ୍ରଣା ବଢିବାରୁ ତାଙ୍କୁ କିଛି ବଦାନ୍ୟ ବ୍ୟକ୍ତି କଟକ ବଡ ମେଡିକାଲ ନେଇ ଅଣ୍ଟାରେ ଅସ୍ତ୍ରପ୍ରଚାର କରିଥିଲେ। ତେବେ ସେଥିରେ ମଧ୍ୟ ଯନ୍ତ୍ରଣା କମିନଥିଲା। ପୁଣି ତାଙ୍କର ଗୋଡ ଦୁଇଟି ମଧ୍ୟ ଅସ୍ତ୍ରପ୍ରଚାର କରାଯାଇଥିଲା। ଦୀର୍ଘ ଦିନ ଧରି ବୃନ୍ଦା ଶଯ୍ୟାଶାୟୀ। ଅନ୍ୟ ଝିଅଙ୍କ ଭଳି ସେ ନା ଘର କାମ କରିପାରୁଛନ୍ତି ନା ଖେଳିବୁଲି ପାରୁଛନ୍ତି। ଏବେ ପୁଣି ଯନ୍ତ୍ରଣା ହେବାରୁ ତାଙ୍କର ବଡ ଭଉଣୀ ରୁକୁଣା ତାଙ୍କୁ କୌଣସି ପ୍ରକାରରେ ମାଲାକନଗିରି ମେଡିକାଲରେ ଭର୍ତ୍ତି କରାଇଛନ୍ତି। ପ୍ରକାଶ ଥାଉକି, ବୃନ୍ଦାଙ୍କ ଭଉଣୀ ରୁକୁଣା ମଧ୍ୟ ରୋଗଗ୍ରସ୍ତ।

ତାଙ୍କୁ ମଧ୍ୟ ବିଭିନ୍ନ ରୋଗ ଗ୍ରାସ କରିଛି। ଯାହାଫଳରେ ତାଙ୍କ ଶରୀର ଶୁଖି ଯାଉଛି। ଏବେ ସେ ଭଉଣୀ ନିକଟରେ ରହି ନିଜର ମଧ୍ୟ ଚିକିତ୍ସା କରାଉଛନ୍ତି। ଦୁହେଁ ରୋଗାଗ୍ରସ୍ତ ହୋଇଥିବା ବେଳେ ରୋଜଗାର ବୋଲି କିଛି ନାହିଁ। ବୃନ୍ଦା ମେଡିକାଲରେ ରହି ନିଜର ଦୁଃଖ ବୟାନ କରୁଥିବା ବେଳେ କାନ୍ଦି ପକାଉଥିଲେ। ନିଜର ବୋଲି କେହି ନାହିଁ। ପାଖରେ ଚିକିତ୍ସା ପାଇଁ ଅର୍ଥ ନାହିଁ। ସେ ଯେଉଁ ଗ୍ରାମରେ ରହୁଛନ୍ତି ସେହି ଗ୍ରାମ ଅତି ଦୁର୍ଗମ ହୋଇଥିବାରୁ ତାଙ୍କୁ କେହି ପଚାରୁନଥିବା କହିଛନ୍ତି। ତାଙ୍କୁ ଗ୍ରାମରେ ଟେକି ଆଣି କିଛି ଲୋକ ପ୍ରାୟ ଏକ କିଲୋମିଟର ପର୍ଯ୍ୟନ୍ତ ଚାଲି ଚାଲି ଆମ୍ବୁଲାନ୍ସ ନିକଟକୁ ଆଣିଥିବା କହିଛନ୍ତି। ବହୁ କଷ୍ଟରେ ସେ ମେଡିକାଲରେ ପହଞ୍ଚିଛନ୍ତି। ତେବେ ସେ ଆଉ ସୁସ୍ଥ ହେବେ କି ନାହିଁ ତାହା ସନ୍ଦେହ ବୋଲି କହିଛନ୍ତି। ଏବେ ପୁଣି ଗୋଡ ପାଦରେ ଯନ୍ତ୍ରଣା ହେଉଛି। ଡାକ୍ତରଙ୍କ କହିବା ଅନୁଯାୟୀ, ବଡ ଡାକ୍ତରଖାନାରେ ହିଁ ବୃନ୍ଦାଙ୍କ ଉପଯୁକ୍ତ ଚିକିତ୍ସା ହୋଇପାରିବ। ହେଲେ ସେଥିପାଇଁ ବହୁ ଟଙ୍କା ଦରକାର ପଡିବ। ତେବେ ପ୍ରଶାସନ କିମ୍ବା କୌଣସି ବଦାନ୍ୟ ବ୍ୟକ୍ତି ଯଦି ବୃନ୍ଦାଙ୍କୁ ସହାୟତାର ହାତ ବଢାନ୍ତି ତେବେ ସେ ବଞ୍ଚିଯିବେ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର