କନକତୋରା: ଝାରସୁଗୁଡ଼ା ଜିଲ୍ଲାରୁ ବାହାର ରାଜ୍ୟକୁ ଯାଇ କାମ କରୁଥିବା ଦାଦନ ଶ୍ରମିକଙ୍କୁ ନିର୍ଯାତନା ଏବଂ କରୁଣ କାହାଣୀର ଅନ୍ତ ଘଟୁନାହିଁ। ଏହିକ୍ରମରେ ଲଖନପୁର ବ୍ଲକ୍ ଅଂଚଳର ଜଣେ ଯୁବ ଶ୍ରମିକ ଡେଂଗୁରେ ଆକ୍ରାନ୍ତ ହୋଇ ଦିଲ୍ଲୀରେ ପ୍ରାଣ ହରାଇଛନ୍ତି। କିରିତମାଳ ଗାଁର ସୌମିତ୍ରୀ ପାଣ୍ଡେ (୨୪)ଙ୍କ ଶବ ବୁଧବାର ଅପରାହ୍ଣରେ ପହଞ୍ଚିବା ପରେ ଶୋକାକୁଳ ପରିବେଶରେ ଦାହ ସଂସ୍କାର କରାଯାଇଛି। ମୁନ୍ଥୁ ପାଣ୍ଡେଙ୍କ ପୁଅ ସୌମିତ୍ରୀ ଗତ ୩ ବର୍ଷ ହେଲା ଦିଲ୍ଲୀ ଯାଇ ଶ୍ରମିକ ଭାବେ କାମ କରୁଥିଲେ। ଦିଲ୍ଲୀର ଜଗନ୍ନାଥ ସେଟଙ୍କ ଏକ କପର ଷ୍ଟାଣ୍ଡ କଂପାନିରେ କାର୍ଯ୍ୟ କରୁଥିବା ସୌମିତ୍ରୀ ଏକ ଭଡ଼ା ଘରେ ରହୁଥିଲେ। ଗତ ମାସ ୩୦ ତାରିଖ ତାଙ୍କୁ ପ୍ରଥମ କରି ଜ୍ୱର ହୋଇଥିଲା। ଏହାପରେ ସେ ସ୍ଥାନୀୟ କ୍ୱାକ୍ ଦ୍ୱାରା ଚିକିତ୍ସିତ ହୋଇଥିଲେ। କିନ୍ତୁ, ଜ୍ୱର ଲାଗି ରହିଥିଲା।
ଗତ ୧ ତାରିଖରେ ସେ ପୁଣି ରକ୍ତ ପରୀକ୍ଷା କରାଇଥିଲେ। ତାହା ଡେଂଗୁ ପଜିଟିଭ ବୋଲି ଜଣାପଡ଼ିଥିଲା। ଟଙ୍କା ଅଭାବରୁ ଭଲ ଡାକ୍ତରଖାନାରେ ଚିକିତ୍ସା କରାଇପାରି ନଥିଲେ। ସେ ଗତ ୫ ତାରିଖରେ ଗୁରୁତର ହେବାରୁ ସାଥୀ ଶ୍ରମିକମାନେ ସ୍ଥାନୀୟ ଏକ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ସେଠାରେ ବି ସେ ଚିକିତ୍ସା ଅଭାବରୁ ଅଚେତ ହୋଇଯାଇଥିବା ପରିବାର ସୂତ୍ରରୁ ସୂଚନା ମିଳିଛି। ଗତ ମଂଗଳବାର ଅପରାହ୍ଣ ୧ଟା ୩୦ ମିନିଟ୍ ସମୟରେ ସୌମିତ୍ରୀଙ୍କ ପ୍ରାଣବାୟୁ ଚାଲି ଯାଇଥିଲା। ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ଓ ବରଗଡ଼ ସାଂସଦ ଡ. ପ୍ରଭାସ ସିଂଙ୍କ ସହାୟତାରେ ସୌମିତ୍ରୀଙ୍କ ଶବକୁ ନିଜ ଗାଁ କିରିତମାଳକୁ ଅଣାଗଲା ପରେ ଶେଷକୃତ୍ୟ ସଂପନ୍ନ ହୋଇଛି। ଏହି ଘଟଣା ଅଂଚଳରେ ଆଲୋଡ଼ନ ସୃଷ୍ଟି କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/jhar9.jpg)