ବିଏସ୍‌ଏଫ୍‌ ଅତିରିକ୍ତ ଡିଜିଙ୍କ ରାୟଗଡ଼ା ଗସ୍ତ, ମାଓ ମୁକାବିଲାର କଲେ ସମୀକ୍ଷା

ରାୟଗଡ଼ା: ବିଏସ୍‌ଏଫ୍‌ ଅତିରିକ୍ତ ଡିଜି ପି. ଭି. ରାମାଶାସ୍ତ୍ରୀ ରାୟଗଡ଼ା ଗସ୍ତରେ ଆସି ମାଓ ମୁକାବିଲାର ସମୀକ୍ଷା କରିଛନ୍ତି। କୋରାପୁଟ ଓ ରାୟଗଡ଼ା ଜିଲ୍ଲ‌ାରେ ମାଓ ଦମନ ନେଇ ସ୍ବତନ୍ତ୍ର ରଣନୀତି ସଂପର୍କରେ ଆଲୋଚନା କରିବା ସହ ପୁଲିସ୍ ସହ ସମନ୍ବୟ ରକ୍ଷା କରି ଅପରେସନକୁ ଜୋରଦାର୍ କରିବାକୁ ନିର୍ଦେଶ ଦେଇଛନ୍ତି ଅତିରିକ୍ତ ଡିଜି।

ବିଏସଏଫର ସ୍ବତନ୍ତ୍ର ହେଲିକେପ୍ଟର ଯୋଗେ ଜେକେପୁର ହେଲିପ୍ୟାଡରେ ଅପରାହଣ୍ ସାଢ଼େ ୨ଟାରେ ଅବତରଣ କରିଥିଲେ ଅତିରିକ୍ତ ଡିଜି ଶ୍ରୀ ରାମାଶାସ୍ତ୍ରୀ। ଜେକେ କାଗଜକଳ ଅତିଥି ଭବନରେ ବିଭାଗୀୟ ସମୀକ୍ଷା ବୈଠକରେ ୬୮ ବାଟାଲିୟନର ସମସ୍ତ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର, ବନ୍ଧୁଗାଁ, ନାରାୟଣପାଟଣା ଏବଂ ରାୟଗଡ଼ା ଜିଲ୍ଲା ମୁଖ୍ୟାଳୟରେ ୬୮ ବାଟାଲିୟନର ଶତାଧିକ ଯବାନ ମାଓ ମୁକାବିଲାରେ ନିୟୋଜିତ ଅଛନ୍ତି। ଉଭୟ ଜିଲ୍ଲାରେ ମାଓ କାର୍ଯ୍ୟକଳାପ ନିୟନ୍ତ୍ରଣରେ ଥିଲେ ମଧ୍ୟ ମାଓବାଦୀଙ୍କ ଗତିବିଧି ଉପରେ କଡା ନଜର ରଖିଥିବା ଅତିରିକ୍ତ ଡିଜି ନିର୍ଦେଶ ଦେଇଛନ୍ତି।

ଗୁଇନ୍ଦା ସୂଚନାକୁ ଆଧାର କରି ଜିଲ୍ଲା ପୁଲିସ୍ ସହ ନିୟମିତ ଯୋଗସୂତ୍ର ରକ୍ଷା କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ସେହିପରି ୬୮ ବାଟାଲିୟନରେ କାର୍ଯ୍ୟରତ ସମସ୍ତ ଯବାନଙ୍କ ସ୍ବାସ୍ଥ୍ୟଗତ ସମସ୍ୟା, ତାଲିମ୍, ନୂତନ କ୍ୟାମ୍ପକୁ ବଦଳି, ଛୁଟି ଓ ଅନ୍ୟାନ୍ୟ ସମସ୍ୟା ସଂପର୍କରେ ସେ ଆଲୋଚନା କରିଥିଲେ। ୬୮ ବାଟାଲିୟନ୍ ମୁଖ୍ୟାଳୟ ପାଇଁ ରାୟଗଡ଼ାରେ ଜାଗା ଚିହ୍ନଟ ହୋଇଥିଲେ ମଧ୍ୟ ଚୂଡ଼ାନ୍ତ ହୋଇନଥିବାରୁ ଜିଲ୍ଲା ପ୍ରଶାସନ ଜରିଆରେ ଖୁବ୍ ଶୀଘ୍ର ଏହି କାମ ଶେଷ କରି ବାଟାଲିୟନ୍ ମୁଖ୍ୟାଳୟ କାମ ଆରମ୍ଭ କରିବାକୁ ନିର୍ଦେଶ ହୋଇଛି। ବିଭାଗୀୟ ସମୀକ୍ଷା ପରେ ଅତିରିକ୍ତ ଡିଜି ରାୟଗଡ଼ା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମାଙ୍କ ସହ ରାୟଗଡ଼ା ଜିଲ୍ଲାରେ ମାଓ ଗତିବିଧି ସଂପର୍କରେ ଆଲୋଚନା କରିଥିଲେ।

ରାୟଗଡ଼ା-କନ୍ଧମାଳ-କଳାହାଣ୍ଡି ସୀମାନ୍ତରେ ମାଓବାଦୀ ସକ୍ରିୟ ରହିଥିବାରୁ ଡିଭିଏଫ୍, ଏସଓଜି, ସିଆରପିଏଫ୍ ମିଳିତ ଆନୁକୂଲ୍ୟରେ କମ୍ବିଂ ଓ ସର୍ଚ୍ଚ ଅପରେସନ୍ ଚାଲିଛି। ରାୟଗଡ଼ା ବ୍ଲକର କୁମ୍ଭିକୋଟାରେ ବିଏସଏଫ୍ କ୍ୟାମ୍ପ ରହିଥିବା ବେଳେ ଏହି କ୍ୟାମ୍ପ ଦ୍ବାରା ରାୟଗଡ଼ା, କାଶୀପୁର ଓ ସୀମାନ୍ତ ଲକ୍ଷ୍ମୀପୁର, ନାରାୟଣପାଟଣା, ବନ୍ଧୁଗାଁରୁ ରାୟଗଡ଼ାକୁ ସ‌ଂଯୋଗ ହୋଇଥିବା ସମସ୍ତ ରାସ୍ତା ଉପରେ ବିଏସଏଫ୍ ନଜର ରଖିଛି। ଅପରାହଣ୍ ୪ଟାରେ ଅତିରିକ୍ତ ଡିଜି ଭୁବନେଶ୍ବର ଅଭିମୁଖେ ଫେରି ଯାଇଛନ୍ତି। ରାୟଗଡ଼ା ପୂର୍ବରୁ ମାଲକାନଗିରି ଗସ୍ତରେ ଯାଇ ଅତିରିକ୍ତ ଡିଜି ମାଓ ମୁକାବିଲାର ସମୀକ୍ଷା କରିଥିଲେ।

ସମ୍ବନ୍ଧିତ ଖବର