ରାଜାମୁଣ୍ଡାରେ ବିଏସଏଫର ଜନସର୍ମ୍ପକ ଶିବିର

ବୈପାରିଗୁଡା: ବୈପାରିଗୁଡା ବ୍ଲକର ମନ୍ତ୍ରୀଆମ୍ବ ଠାରେ ଅବସ୍ଥାପିତ ୧୫୧ ବାଟାଲିୟନ ବିଏସଏଫ ତରଫରୁ ଜନସର୍ମ୍ପକ ଶିବିର ଅନୁଷ୍ଠିତ ହୋଇଯାଇଛି। କାଠପଡା ପଞ୍ଚାୟତର ରାଜାମୁଣ୍ଡା ଠାରେ ଆୟୋଜିତ ଏହି ଶିବିରରେ ଧନିବାଲସା, ବାସନିବେଡା, କାଠପଡା ଏବଂ ରାଜାମୁଣ୍ଡା ଗ୍ରାମର ଲୋକମାନେ ସାମିଲ ହୋଇଥିଲେ। ୧୫୧ ବାଟାଲିୟନର ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ସୌରଭ ଫୌଜଦାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଗ୍ରାମବାସୀ ମାନଙ୍କୁ ଲୁଗା, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ପଠନ ଲିଖନ ସାମଗ୍ରୀ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ୨୦୫ ଜଣ ମହିଳା, ପୁରୁଷ, ଯୁବକ ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ସୌରଭ ପ୍ରକାଶ କରିଛନ୍ତି ଯେ, ବ୍ଲକର ଦୁର୍ଗମ ଅଞ୍ଚଳ ଗୁଡିକରେ ରହୁଥିବା ଲୋକଙ୍କୁ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯିବା ସହ ସେମାନଙ୍କୁ ମୁଖ୍ୟ ସ୍ରୋତକୁ ଆଣିବା ବିଏସଏଫର ମୂଳ ଲକ୍ଷ୍ୟ। ସେମାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଏବଂ ଜୀବନଯାପନରେ ପରିବର୍ତ୍ତନ ଆଣିବା ପାଇଁ ସମସ୍ତଙ୍କୁ ସହଯୋଗ ପ୍ରଦାନ କରାଯିବ ଏବଂ ସେମାନଙ୍କୁ ନିକଟତର ହେବା ସହ ନିର୍ଭୀକ ହେବା ପାଇଁ ଉତ୍ସାହିତ କରାଯିବ। ଏଥିସହ ଯୁବକ ମାନଙ୍କୁ ଶିକ୍ଷା ଲାଭ କରିବା ସହ ଉତ୍ତମ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଥିଲେ। ଦେଶ ପାଇଁ ସେମାନଙ୍କର ବିଶେଷ ଅବଦାନ ରହିଥିବାରୁ ଏଦିଗରେ ଆଗେଇ ଆଣିବା ପାଇଁ ଆହ୍ୱାନ ଦେଇଥିଲେ। ଉପସ୍ଥିତ ଗ୍ରାମବାସୀ ମାନେ ବିଏସଏଫ ପ୍ରତି ନିଜର କୃତଜ୍ଞତା ଜଣାଇଥିଲେ। ସୂଚନାଯୋଗ୍ୟ ଯେ, ଏହି ଅଞ୍ଚଳ ଗୁଡିକ ନକ୍ସଲ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ଆଗାମୀ ଦିନରେ ମଧ୍ୟ ବିଭିନ୍ନ ସ୍ଥାନରେ ଏଭଳି ଜନସର୍ମ୍ପକ ଶିବିର କରାଯିବ ବୋଲି କୁହାଯାଇଛି। ଏହି କାର୍ଯ୍ୟକ୍ରମରେ କାଠପଡା ସରପଞ୍ଚ ଗୈାରୀ ପାଙ୍ଗି ଓ ଓ୍ବାର୍ଡ ମେମ୍ବର ଶୁଭାସିନୀ ସାନ୍ତା ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର