ମାଲକାନଗିରି: ବିଏସଏଫ ଡିଆଇଜି ସଞ୍ଜୟ ସିଂହଙ୍କ ନିର୍ଦେଶକ୍ରମେ ମାଲକାନଗିରି ଜିଲ୍ଲାର କାଲିମେଳା ତହସିଲ ଅନ୍ତର୍ଭୁକ୍ତ ଦୁଖିଲଙ୍କା, ଜାଲାଗୁଲୁ ଏବଂ କମଲାବନ୍ଧ ଗ୍ରାମରେ ଆଜି ୮୮ ବିଏସଏଫ ବାଟାଲିୟନ ତରଫରୁ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୁଖ୍ୟ ଅତିଥି ଭାବେ କମାଣ୍ଡାଣ୍ଟ ବିନୋଦ ସାରୀନ ଯୋଗ ଦେଇ ଗ୍ରାମବାସୀଙ୍କୁ ବିଏସଏଫର ଲକ୍ଷ୍ୟ ଓ ଉଦେଶ୍ୟ ସମ୍ପର୍କରେ ବୁଝାଇଥିଲେ। ସୂଚନାଯୋଗ୍ୟ, ଏହି ଗ୍ରାମକୁ ନକ୍ସଲ ସମ୍ପୂର୍ଣ୍ଣ ଭାବେ ନିଜ ଅକ୍ତିଆରକୁ ନେଇ ଯାଇଥିଲେ। ବିଏସଏଫ ଏହି ଅଞ୍ଚଳକୁ ନିଜ କବଜାକୁ ନେବା ପରେ ନକ୍ସଲ ଏହି ଅଞ୍ଚଳକୁ ଛାଡି ଚାଲି ଯାଇଥିଲେ।

Advertisment

ଏବେ ଗ୍ରାମବାସୀ ନିଜକୁ ସୁରକ୍ଷିତ ମଣୁଛନ୍ତି। ଆଜି ଶତାଧିକ ଗ୍ରାମବାସୀ ଓ ଶିଶୁମାନେ ଏହି ଜନସମ୍ପର୍କ ଶିବିରରେ ଉପସ୍ଥିତ ରହିଥିଲେ। ଏହି ଜନ ସମ୍ପର୍କ ଶିବିରରେ ସମସ୍ତ ଗ୍ରାମବାସୀଙ୍କୁ ବିଏସଏଫ ତରଫରୁ ଶାଢୀ, ଲୁଙ୍ଗି, କଂସାବାସନ, ଗ୍ଲାସ, ପ୍ଲେଟ, ଛତା, ଟର୍ଚ୍ଚ, ସ୍କୁଲ ବ୍ୟାଗ, ସୋଲାର ଲାଇଟ, ଫୁଟବଲ, ଭଲିବଲ, କ୍ରିକେଟ ଇତ୍ୟାଦି ପ୍ରଦାନ କରାଯାଇଥିଲା। ଏଥିସହ ଗ୍ରାମବାସୀଙ୍କ ପାଇଁ ମାଗଣାରେ ଔଷଧ ମଧ୍ୟ ପ୍ରଦାନ କରାଯାଇଥିଲା। ଏହି ଅଞ୍ଚଳର ଲୋକେ ବିଏସଏଫ ଡାକ୍ତରଙ୍କୁ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇ ଔଷଧ ନେଇଥିଲେ। ବିଏସଏଫ ଯବାନ ଏହି ଅଞ୍ଚଳକୁ ସୁରକ୍ଷା ଦେବାକୁ ଆସିଥିବା କହିଥିଲେ। ଲୋକଙ୍କ ସହ ଉତ୍ତମ ବୁଝାମଣା ସହ ଭଲ ସମ୍ପର୍କ ରଖି ଏହି ଅଞ୍ଚଳକୁ ଆହୁରି ବିକାଶରେ ସହଯୋଗ କରିବେ।

publive-image Sambad

ନକ୍ସଲଙ୍କୁ ଗ୍ରାମବାସୀ ସମର୍ଥନ ନକରି ବିଏସଏଫ ଯବାନଙ୍କୁ ସେମାନଙ୍କର ଡ୍ୟୁଟିରେ ସହଯୋଗ କରନ୍ତୁ ବୋଲି ଅନୁରୋଧ କରାଯାଇଥିଲା। ନକ୍ସଲ ଯୋଗୁଁ ଏହି ଅଞ୍ଚଳର ବିକାଶ ହେଉନଥିବା କୁହାଯାଇଥିଲା। ଏବେ ବିଏସଏଫ ଚିତ୍ରକୋଣ୍ଡା ଅଞ୍ଚଳର ଯାନବାଇ, ହନ୍ତାଳଗୁଡା, ବଡପଡା, ଯଡାମ୍ବ, ଗୋରାସେତୁ ଏବଂ ଏବେ ଘନବେଡା ଠାରେ କ୍ୟାମ୍ପ ପ୍ରତିଷ୍ଠା କରି ନକ୍ସଲଙ୍କୁ ବେକଫୁଟରେ ଠେଲି ଦେଇଛନ୍ତି। ଏବେ ସ୍ବାଭିମାନ ଅଞ୍ଚଳକୁ ପକ୍କା ରାସ୍ତା ମଧ୍ୟ ନିର୍ମାଣ ହେଉଛି। ରାଜ୍ୟ ସରକାରଙ୍କର ସମସ୍ତ ବିକାଶ ମୂଳକ କାର୍ଯ୍ୟ ଏବେ ଏହି ଅଞ୍ଚଳରେ ଚାଲିବ। ଗ୍ରାମବାସୀ ମଧ୍ୟ ଆଗାମୀ ଦିନରେ ନକ୍ସଲକୁ ସମର୍ଥନ କରିବେ ନାହିଁ ବୋଲି ସଫାସଫା ମନା କରିଥିଲେ। ଗ୍ରାମବାସୀଙ୍କର ମନ ଜିଣିବାରେ ବିଏସଏଫ ସଫଳ ହୋଇଥିଲେ। ଏଭଳି ପାହାଡିଆ ଦୁର୍ଗମ ଅଞ୍ଚଳକୁ କେବଳ ବିଏସଏଫ ହିଁ ପହଞ୍ଚି ପାରିବ ବୋଲି କୁହାଯାଇଥିଲା। ଆଗାମୀ ଦିନରେ ମଧ୍ୟ ଦୁର୍ଗମ ନକ୍ସଲ ପ୍ରବଣ ଗ୍ରାମଗୁଡିକରେ ବିଏସଏଫ ଲୋକଙ୍କ ସହ ସୁସମ୍ପର୍କ ସ୍ଥାପନ କରିବା ସହ ଏଭଳିଲ ଜନସମ୍ପର୍କ ଶିବିର ଅନୁଷ୍ଠିତ କରିବ ବୋଲି କହିଛି।