ଦୁର୍ଗମ ରେଖାପାଲୀରେ ବିଏସଏଫର ଜନ ସଂପର୍କ ଶିବିର

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକର ବଡପଦର ପଞ୍ଚାୟତର ରେଖାପାଲୀ ଗ୍ରାମରେ ବିଏସଏଫ ତରଫରୁ ଜନ ସଂପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଗ୍ରାମରେ ଆଜି ବି ସରକାରଙ୍କର କୌଣସି ଯୋଜନା ପହଞ୍ଚି ପାରୁନାହିଁ। ଯାହାର ଫାଇଦା ଉଠାଉଥିଲେ ନକ୍ସଲ। ଏହି ଗ୍ରାମ ସହ ରେଖାପାଲି କଲୋନୀ, ରେଖାପାଲୀ, ପଲସପଦର, କମାରଗୁଡା, ଲମ୍ବାସିଂହ, ବନଗୁରୁ କଲୋନୀ, ତୋଟାପାଲୀ, ଆରଏସି-୧୨ ଭଳି ଗ୍ରାମର ଲୋକେ ମଧ୍ୟ ଏହି ଜନ ସଂପର୍କ ଶିବିରରେ ଉପସ୍ଥିତ ଥିଲେ। ଏହି ଅଂଚଳ ନକ୍ସଲ କବଜାରେ ରହିଥିଲା। ଏବେ ବିଏସଏଫ-୮୮ ବାଟାଲିୟନ ସେଠାରେ ପହଞ୍ଚିବା ପରେ ଏହି ଅଂଚଳକୁ ବିଏସଏଫ ଯବାନ ନିଜ କବଜାକୁ ନେଇଯାଇଛନ୍ତି। ଏହି ଅଂଚଳର ଲୋକେ ଏବେ ଶାନ୍ତିରେ ନିଃଶ୍ବାସ ମାରିପାରୁଛନ୍ତି। ଡିଆଇଜି ସଂଜୟ ସିଂଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କମାଣ୍ଡାଣ୍ଟ ବିନୋଦ ସରିନ ଉପସ୍ଥିତ ଥିଲେ। ରେଖାପାଲୀ ଗ୍ରାମରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନିକଟସ୍ଥ ୯ଟି ଗ୍ରାମର ଲୋକେ ଉପସ୍ଥିତ ଥିଲେ।

ଏହି ଗରିବ ଲୋକଙ୍କୁ କିପରି ସେମାନଙ୍କର ହକ ପହଞ୍ଚିବ ଏବଂ ଏହି ଅଂଚଳର ବିକାଶ ହେବ ସେନେଇ ଆଲୋଚନା କରାଯାଇଥିଲା। ଉପସ୍ଥିତ ସମସ୍ତ ଗ୍ରାମବାସୀଙ୍କୁ ଗାମୁଛା, ଧୋତି, ଶାଢୀ, ଜୋତା, ଷ୍ଟିଲ ବାସନକୁସନ, ଟର୍ଚ୍ଚ ଲାଇଟ, ସୋଲାର ଲାଇଟ, ରେଡିଓ, ଛତା, ଗ୍ଲାସ ପ୍ଲେଟ, ସ୍କୁଲ ବ୍ୟାଗ, ଫୁଟବଲ, ଭଲିବଲ, କ୍ରିକେଟ ସାମଗ୍ରୀ ଇତ୍ୟାଦି ପ୍ରଦାନ କରାଯାଇଥିଲା। ଶିଶୁମାନଙ୍କୁ ମଧ୍ୟ ସମସ୍ତ ସ୍କୁଲ ସାମଗ୍ରୀ ପ୍ରଦାନ କରାଯାଇଥିଲା। ଗ୍ରାମବାସୀଙ୍କୁ ମାଗଣାରେ ଚିକିତ୍ସା କରାଯାଇ ଔଷଧ ପ୍ରଦାନ କରାଯାଇଥିଲା। ବିଏସେଫ ଲୋକଙ୍କ ସହ ମିଶି ଆଗକୁ ଏହି ଅଂଚଳରୁ ନକ୍ସଲକୁ ଦମନ କରିବ ବୋଲି କହିଥିଲେ। ଲୋକଙ୍କ ସହଯୋଗ ହେଲେ ଏହି ଅଂଚଳର ବିକାଶ ହେବା ସହ ଆଗାମୀ ଦିନରେ ଲୋକେ ନିଜର ପିଲାଙ୍କ ଭବିଷ୍ୟତ ଗଢିବାରେ ସରକାରଙ୍କ ସମସ୍ତ ସୁବିଧା ସୁଯୋଗ ପାଇବେ। ଗ୍ରାମବାସୀମାନେ ମଧ୍ୟ ଆଗକୁ ଆଉ ନକ୍ସଲକୁ ସମର୍ଥନ ନକରି ସରକାରଙ୍କୁ ସହଯୋଗ କରିବା ସହ ବିକାଶ ଧାରାରେ ସାମିଲ ହେବେ ବୋଲି କୁହାଯାଇଛି। ଦୀର୍ଘ ସମୟ ଧରି ଲୋକଙ୍କ ସହ ଯବାନ ଆଲୋଚନା କରିବେ ବଲୋ ଗ୍ରାମବାସୀଙ୍କ ମନ ଜିଣିବାରେ ସଫଳ ହୋଇଥିଲେ।

ସମ୍ବନ୍ଧିତ ଖବର