ନୂତନ ବିଏସଏଫ କ୍ୟାମ୍ପ ପରିଦର୍ଶନ କଲେ ଗୁଇନ୍ଦା ନିର୍ଦେଶକ

ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକର  ଦୁର୍ଗମ ନକ୍ସଲ ପ୍ରବଣ କୁମ୍ବିଖରୀ ଠାରେ ଅବସ୍ଥାପିତ ନୂତନ ବିଏସଏଫ କ୍ୟାମ୍ପକୁ ଗୁଇନ୍ଦା ନିର୍ଦେଶକ ସଂଜୀବ ପଣ୍ଡା,ଅପେରସନ ଏଡିଜି ଅମିତାଭ ଠାକୁର,ଏସ ଆଇ ଡବ୍ଲୁ ଡିଆଇଜି ଅନିରୁଦ୍ଧ ସିଂହ, ଦକ୍ଷିଣ ପଶ୍ଚିମଞ୍ଚଳ ଡ଼ିଆଇଜି ରାଜେଶ ପଣ୍ଡିତ, ବିଏସଏଫ ଡ଼ିଆଇଜି ମଦନ ଲାଲ, ଏସ୍ଡିପିଓ ହରିସ ବି ପ୍ରମୁଖ ପରିଦର୍ଶନ କରିଥିଲେ। ଏହି ବିଏସଏଫ କ୍ୟାମ୍ପକୁ ସହିଦ ସୁନୀଲ ବେହେରାଙ୍କ ନାମରେ ନାମିତ କରାଯାଇଛି। କୁମ୍ବିଖରୀ ଅଂଚଳରେ ନକ୍ସଲ ପ୍ରତିଦିନ କିଛିନା କିଛି ଘଟଣା ଘଟିବା ସହ ଗତିବିଧି ବଢିଯାଇଥିଲା।

ଦୀର୍ଘଦିନ ଧରି ଏଠାରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ପାଇଁ ଦାବି ହୋଇ ଆସୁଥିଲା। ପରିଦର୍ଶନରେ ଯାଇଥିବା ପୁଲିସର ବରିଷ୍ଠ ଅଧିକାରୀମାନେ ଏବଂ ବିଏସଏଫର ଅଧିକାରୀମାନଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଏହି କ୍ୟାମ୍ପରେ ରହିଥିବା ସମସ୍ୟା ଗୁଡିକକୁ କିପରି ତୁରନ୍ତ ସମାଧାନ କରାଯିବା ସହ ନକ୍ସଲ ଦମନ ନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା। ଆଗାମୀ ଦିନରେ କୁମ୍ବିଂ କିପରି କରାଯିବ ଏବଂ ନକ୍ସଲକୁ ଏହି ଅଂଚଳରୁ ତଡାଯିବ ସେନେଇ ଯବାନଙ୍କ ନିର୍ଦେଶ ଦିଆଯାଇଥିଲା। ତେବେ ବିଏସଏଫ ଅଧିକାରୀଙ୍କ କହିବା ହେଲା ସରକାରଙ୍କ ନିର୍ଦେଶ ଅନୁସାରେ ସମସ୍ତ କାର୍ଯ୍ୟ କରାଯାଉଛି। ଯାହା ନିର୍ଦେଶ ଆସିବ ସେ ନେଇ ଆଗକୁ କାର୍ଯ୍ୟ କରାଯିବ ବୋଲି ୧୫୧ ବିଏସଏଫ କମାଣ୍ଡେଣ୍ଟ ଅଜୟ କୁମାର ପ୍ରକାଶ କରିଛନ୍ତି। କୁମ୍ବିଖରୀ ଠାରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ହେବା ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ଲୋକେ ନକ୍ସଲ କବଳରୁ ସେମାନଙ୍କୁ ସୁରକ୍ଷା ପ୍ରଦାନ କରାଯାଇଥିବାରୁ ସରକାର, ପୁଲିସ ଏବଂ ବିଏସେଫକୁ ଧନ୍ୟବାଦ ଜଣାଇଥିଲେ।

ସମ୍ବନ୍ଧିତ ଖବର