ଖୋର୍ଦ୍ଧା: ଖୋର୍ଦ୍ଧା ନିକଟ ଜଟଣୀ ତହସିଲ ଅନ୍ତର୍ଗତ ସୀମା ସୁରକ୍ଷା ବଳ (ବିଏସ୍ଏଫ୍)ର ସମ୍ମୁଖ ମୁଖ୍ୟାଳୟ (ସ୍ବତନ୍ତ୍ର ଅପରେସନ୍) ଠାରେ ୫୯ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପୁଲିସ (ସ୍ବତନ୍ତ୍ର ଅପରେସନ) ଏଡିଜି ଦେବୀଦତ୍ତ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବିଏସ୍ଏଫ୍ ଆଇଜି ଧନେଶ୍ବର କୁମାର ଶର୍ମା ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ କର୍ତବ୍ୟ କରୁଥିବା ସମୟରେ ଦେଶ ପାଇଁ ପ୍ରାଣବଳି ଦେଇଥିବା ଯବାନଙ୍କ ପରିବାରକୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଏସ୍ଏଫ୍ର ପତ୍ରିକା ରକ୍ଷକର ଲୋକାର୍ପଣ କରାଯିବା ସହ ବଏସ୍ଏଫ୍ଙ୍କ କାର୍ଯ୍ୟ, ବୀରତ୍ବ ଓ ଇତିହାସକୁ ନେଇ ଏକ ବୃତ୍ତଚିତ୍ରକୁ ଉନ୍ମୋଚିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିଥି ଭାବେ ଡିଆଇଜି ଅଶ୍ବିନୀ କୁମାର ଶର୍ମା, ଡିଆଇଜି ଧୀରେନ୍ଦ୍ର କୁମାର, ଡିଆଇଜି ସଂଜୀବ କୁମାର ପ୍ରମୁଖଯୋଗ ଦେଇଥିଲେ।

Advertisment

ପ୍ରତିଷ୍ଠା ଦିବସ ସମ୍ପର୍କରେ ସୂଚନା ଦେଇ ବିଏସ୍ଏଫ୍ ଆଇଜି ଶ୍ରୀ ଶର୍ମା କହିଥିଲେ ଯେ ଭାରତର ଗୁଜରାଟ ପ୍ରାନ୍ତରେ ପାକିସ୍ତାନ ସେନାର ଅତର୍କିତ ଆକ୍ରମଣ ପରେ ସୀମାର ସୁରକ୍ଷା ପାଇଁ ୯ ଅପ୍ରିଲ୍ ୧୯୬୫ରେ ବିଏସ୍ଏଫ୍ର ଦୁଇଟି ବାଟାଲିଅନ ଗଠନ କରାଯାଇଥିଲା। ପରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଭ୍ୟନ୍ତର ଶାନ୍ତିଶୃଙ୍ଖଳା, ନକ୍ସଲଦମନ, ପ୍ରାକୃତିକ ବିପର୍ଯ୍ୟୟର ପରିଚାଳନା, ଉଦ୍ଧାର ଆଦି କାର୍ଯ୍ୟରେ ନିୟୋଜିତ କରାଯାଇଛି। ଓଡ଼ିଶାରେ ୨୦୧୦ରୁ ୫ଟି ବାଟାଲିଅନ୍- କୋରାପୁଟ, ମାଲକାନଗିରି, କନ୍ଧମାଳ, ରାୟଗଡ଼ା, ନବରଙ୍ଗପୁରରେ ଅବସ୍ଥିତ ହୋଇଛି। ସ୍ବତନ୍ତ୍ର ଅପରେସନ ମୁଖ୍ୟାଳୟ ଖୋର୍ଦ୍ଧା ଠାରେ ପ୍ରତିଷ୍ଠା କରାଯାଇଛି। ଏଭଳି ମୁଖ୍ୟାଳୟ ଓଡ଼ିଶା ବ୍ୟତୀତ କେରଳ, କର୍ଣ୍ଣାଟକରେ ରହିଛି।