ମାଲକାନଗିରିରେ ଶାନ୍ତି ଫେରିବାରେ ବିଏସଏଫର ରହିଛି ପ୍ରମୁଖ ଭୂମିକା, ଜଗି ରହିଛି ୨୮ଟି ବିଏସଏଫ କ୍ୟାମ୍ପ

ମାଲକାନଗିରି: ମାଲକାନଗିରି ଜିଲ୍ଲା  ନକ୍ସଲ ଗଡ ଭାବେ ପରିଚିତ ଥିଲା। ଦିନ ଥିଲା ନକ୍ସଲ ସଂପୂର୍ଣ୍ଣ ମାଲକାନଗିରିକୁ ନିଜର ସୁରକ୍ଷିତ ଆଡ୍ଡା ଭାବେ ବାଛି ନେଇଥିଲେ। ସୀମାନ୍ତ ଛତିଶଗଡରେ ଘଟଣା ଘଟାଇ ମାଲକାନଗିରିରେ ଲୁଚି ରହୁଥିଲେ ନକ୍ସଲ୍। ସେତେବେଳେ ସୁରକ୍ଷା ବ୍ୟବସ୍ଥା ସେତେ ଭଲ ନଥିଲା, ଯାହାଫଳରେ ବହୁ ପୁଲିସ କର୍ମଚାରୀ ନକ୍ସଲଙ୍କ ହାତରେ ମୃତ୍ୟୁବରଣ କରିଥିଲେ।

ଦିନ ଦ୍ବିପହରରେ ନକ୍ସଲ ଲୋକଙ୍କୁ ଉଠାଇ ନେଉଥିଲେ।ନକ୍ସଲ ଯାହାକୁ ଟାର୍ଗେଟ କରୁଥିଲେ ତାକୁ ହତ୍ୟା କରୁଥିଲେ। ସେଣ୍ଟ୍ରାଲ କମିଟିର ବଡ ବଡ କ୍ୟାଡର ନେତାମାନେ ଜିଲ୍ଲାର ଚିତ୍ରକୋଣ୍ଡା ଅଞ୍ଚଳର ବିଛିନ୍ନାଞ୍ଚଳରେ ଲୁଚି ରହୁଥିଲେ। ସରକାର ଏବଂ ପୁଲିସ ଏସବୁ ଜାଣିଥିଲେ ମଧ୍ୟ ଏହି ଗଡକୁ ଭେଦ କରିବା ସେମାନଙ୍କ ପାଇଁ କାଠିକର ପାଠ ଥିଲା। ପୁଲିସ ଲୋକଙ୍କର ସମସ୍ୟା ବୁଝିବ ନା ନକ୍ସଲର ଗତିବିଧି ବିଷୟରେ ଖବର ରଖିବ। ଜିଲ୍ଲା ଏକ ପ୍ରକାର ପୁଲିସ ବିହୀନ ମଧ୍ୟ ହୋଇଯାଇଥିଲା। ଥାନା ଥିଲା ସିନା ପୁଲିସ ଥାନାକୁ ଯିବାକୁ ଭୟ କରୁଥିଲେ। ଏବେ କିନ୍ତୁ ପରିସ୍ଥିତି ଓଲଟା ରହିଛି। ଜିଲ୍ଲାରେ ନକ୍ସଲଙ୍କୁ ମୂଳପୋଛ କରିବା ପାଇଁ ସରକାର ସିଆରପିଏଫଙ୍କୁ ମୁତୟନ କରିଥିଲେ।

କିନ୍ତୁ ସିଆରପିଏଫ ନକ୍ସଲ ଦମନରେ ସେତେଟା ସଫଳ ନହେବା ପରେ ସରକାର ବାଧ୍ୟ ହୋଇ ୨୦୧୦ ବେଳକୁ ବିଏସଏଫକୁ ଆଣିବା ପାଇଁ ଯୋଜନା କରିଥିଲେ। ପ୍ରଥମେ ପ୍ରଥମେ ଜିଲ୍ଲାର ସମସ୍ତ ଥାନା ଅଞ୍ଚଳରେ ଏବଂ କାଁଭାଁ ଅଞ୍ଚଳରେ ବିଏସଏଫ କ୍ୟାମ୍ପ ରହିଥିଲା। ଯେଉଁ ସ୍ଥାନରେ ବିଏସଏଫ ମୁତୟନ ହୋଇଥିଲେ ସେହି ସ୍ଥାନରେ ନକ୍ସଲଙ୍କ ଗତିବିଧି କମିବାରେ ଲାଗିଲା। କିନ୍ତୁ ଯେଉଁ ସ୍ଥାନ ଗୁଡିକରେ ବିଏସଏଫ କ୍ୟାମ୍ପ ନଥିଲା ସେହି ସ୍ଥାନରେ ନକ୍ସଲ ନିଜର ପତିଆରା ଜମାଇବା ସହ ଲୋକଙ୍କୁ ମାରଧର କରିବାକୁ ଲାଗିଲେ। ଧିରେଧିରେ ଜିଲ୍ଲାର ଗୋଟିଏ ଗୋଟିଏ କରି ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ହେବାକୁ ଲାଗିଲା। ଆଜି ଜିଲ୍ଲାରେ ମୋଟ ୨୮ଟି ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ହୋଇସାରିଲାଣି।

Sambad

ସେଗୁଡିକ ମଧ୍ୟରୁ ବିଏସଏଫ ୯ ବାଟାଲିୟନର କ୍ୟାମ୍ପ ଚିତ୍ରକୋଣ୍ଡା, ଯାନବାଇ, ଯନ୍ତାପାଇ, ହନ୍ତାଳଗୁଡା, ଯଡାମ୍ବ, ଗୋରାସେତୁ ଏବଂ ଘନବେଡା।ସେହିପରି ୭୬ ବିଏସଏଫ ବାଟାଲିନୟର କ୍ୟାମ୍ପ ଏମଭି-୭୯, ଏମଭି-୭୨, ଏମଭି- ୮୮, ପଡିଆ, ବୋଡିଗେଟା, ଗୋମ୍ଫାକୋଣ୍ଡା ଏବଂ ଏମପିଭି-୨୧। ୮୮ ବିଏସଏଫ ବାଟାଲିୟନର କ୍ୟାମ୍ପ ବାଲିମେଳା, ଚିତାପାରି-୩, ଟନେଲ କ୍ୟାମ୍ପ, ଡାଇକ-୩, ପିପଲପଦର, ଚିନ୍ତଲଵାଡା ଏବଂ ବଡପଦର। ୧୬୦ ବିଏସଏଫ ବାଟାଲିୟନର କ୍ୟାମ୍ପଏମଭି-୩, ମାଥିଲି, ସାଲିମି, ଟେମରୁପାଲୀ, ମହିପଦର, କର୍ତ୍ତନପାଲୀ ଏବଂ ତେନ୍ତୁଳିଗୁମ୍ମା ଠାରେ ଅବସ୍ଥାପିତ ହୋଇଛି।

ବିଏସଏଫ ଆସିବା ପରେ ସବୁଠାରୁ ବଡ ସଫଳତା ହେଉଛି ଗୁରୁପ୍ରିୟା ସେତୁକୁ ନିର୍ମାଣ କରିବା। ଯାନବାଇ ଠାରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରାଯାଇ ଗୁରୁପ୍ରିୟା ସେତୁକୁ ଗତ ୨୦୧୮ ମସିହାରେ ସମାପ୍ତ କରାଯାଇଥିଲା। ଦୀର୍ଘଦିନ ଧରି ବିଛିନ୍ନାଞ୍ଚଳବାସୀଙ୍କ ସ୍ବପ୍ନ ସାକାର ହୋଇଥିଲା। ବିଛିନ୍ନାଞ୍ଚଳରେ ଏହାକୁ ସ୍ବାଭିମାନ ଅଞ୍ଚଳ ରୂପେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଘୋଷଣା କରିବା ସହ ବିକାଶର ପେଡି ଖୋଲି ଦେଇଥିଲେ। ପ୍ରଥମେ ଏକ ଶହ କୋଟି ଟଙ୍କା ଦେବା ପରେ ଏବେ ପ୍ରାୟ ତିନିଶହ କୋଟି ଟଙ୍କାର ବିଭିନ୍ନ ପ୍ରୋଜେକ୍ଟ କାମ କରୁଛି। ଲୋକେ ଏବେ ସ୍ବଛନ୍ଦରେ ଗାଡିରେ ବୁଲି ପାରୁଛନ୍ତି।

Sambad

ସ୍ବାଭିମାନ ଅଞ୍ଚଳରେ ବିଏସଏଫର ୭ଟି କ୍ୟାମ୍ପ ହେବା ପରେ ନକ୍ସଲ ସଂପୂର୍ଣ୍ଣ ଭାବେ ଏଠାରୁ ପଛଘୁଞ୍ଚା ଦେଇଛନ୍ତି। ରାତିରେ ଲୋକେ ଶାନ୍ତିରେ ଶୋଇ ପାରୁଛନ୍ତି। ବିଏସଏଫ ଯବାନ ଦିନରାତି ଏକ କରି କୁମ୍ବିଂକୁ ଜୋରଦାର କରୁଛନ୍ତି। ଦିନ ଥିଲା ନକ୍ସଲ ଏଠାରେ ଉତ୍ପାତ ମଚାଉଥିବା ବେଳେ ତତ୍କାଳୀନ ଜିଲ୍ଲାପାଳଙ୍କୁ ମଧ୍ୟ ଅପହରଣ କରିବାରେ ସଫଳ ହୋଇଥିଲେ। ସ୍ବାଭିମାନ ଅଞ୍ଚଳରେ ବଡ ବଡ ଏନକାଉଣ୍ଟର ହେବା ପରେ ଟପ କ୍ୟାଡର ମାଓବାଦୀର ମୃତ୍ୟୁ ହୋଇଥିଲା।

ଯାହାକି ନକ୍ସଲ ସଂଗଠନକୁ ଦୋହଲାଇ ଦେଇଥିଲା। ପୁଣି ସ୍ବାଧୀନତା ଦିବସ ହେଉ ବା ସାଧାରଣତନ୍ତ୍ର ଦିବସ ହେଉ ଏଠାରେ ଜାତୀୟ ପତାକା ବଦଳରେ ଉଡୁଥିଲା କଳା ପତାକା। ଲୋକେ ନକ୍ସଲଙ୍କର ନିୟମ କାନୁନକୁ ମାନିବାକୁ ବାଧ୍ୟ ହେଉଥିଲେ। ଏବେ କିନ୍ତୁ ପରିସ୍ଥିତି ଓଲଟା।ସରକାରଙ୍କର ସମସ୍ତ ଯୋଜନା ଧିରେଧିରେ ଏଠାରେ ପହଞ୍ଚିବା ସହ ଆସନ୍ତା ପଞ୍ଚାୟତ ନିର୍ବାଚନ ମଧ୍ୟ ଏଠାରେ ହେବାକୁ ଯାଉଛି, ଯାହାକୁ ନକ୍ସଲ ଗତଥର କରାଇ ଦେଇ ନଥିଲେ।

Sambad

ବିଏସଏଫ କେବଳ ନକ୍ସଲ ଦମନ କ୍ଷେତ୍ରରେ କାମ କରୁନାହିଁ, ବରଂ ଏଠାରେ ଲୋକଙ୍କ ସହ ସୁସଂପର୍କ ସ୍ଥାପନ କରି ଲୋକଙ୍କ ମନକୁ ଜିଣିବାରେ ସଫଳ ହୋଇଛନ୍ତି। ଲୋକଙ୍କ ସହଯୋଗରେ ବିଏସଏଫ ଜିଲ୍ଲାରେ ଶାନ୍ତି ପ୍ରତିଷ୍ଠା କରିପାରିଛି। ଆଦିବାସୀ ଯୁବକଯୁବତୀଙ୍କୁ ବାହାର ରାଜ୍ୟକୁ ନେଇ ଅନ୍ୟ ଆଦିବାସୀ ଯୁବକଯୁବତୀଙ୍କ ସହ ଆମୋଦପ୍ରମୋଦ କରାଇବା ସହ ବିଭିନ୍ନ ତାଲିମ ଦେଇ ବିପଥାଗାମୀ ନହେବାକୁ ଚେଷ୍ଟା କରୁଛି। ଲୋକେ ମଧ୍ୟ ନିଜର ଭୁଲ ବୁଝି ଆଉ ନକ୍ସଲକୁ ସମର୍ଥନ ନକରି ବିଏସଏଫକୁ ସହଯୋଗ କରିଆସୁଛନ୍ତି। ବିଏସଏଫ ଏକ ଶାନ୍ତିଶୃଙ୍ଖଳା ସଂସ୍ଥା ହୋଇଥିବାରୁ ଅଞ୍ଚଳରେ ମଧ୍ୟ ନିଜକୁ ଅବସ୍ଥାପିତ କରିବାରେ ସଫଳ ହୋଇଛି।

ବିଏସଏଫର ଉଚ୍ଚପଦାଧିକାରୀ ନିୟମିତ ମାଲକାନଗିରି ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ରହିଥିବା କ୍ୟାମ୍ପକୁ ପରିଦର୍ଶନ କରି ଯବାନଙ୍କ ମନବଳକୁ ବଢାଉଥିବାରୁ ଏଠାରେ ଯବାନ ବେଶ ଖୁସିରେ ରହୁଥିବା ଅନୁମାନ କରାଯାଏ। ଜିଲ୍ଲାରେ ଲୋକଙ୍କୁ ସୁରକ୍ଷା ଦେବା ଏବଂ ଶାନ୍ତି ଫେରାଇ ଆଣିବା ଆମର ପ୍ରଥମ ଲକ୍ଷ୍ୟ ବୋଲି ବିଏସଏଫ କହିଛି। ଏଥିପାଇଁ ସେମାନଙ୍କୁ ବଳିଦାନ ଦେବାକୁ ପଡିଲେ ମଧ୍ୟ ହସି ହସି ଦେବେ ବୋଲି କହିଥିଲେ।

ସମ୍ବନ୍ଧିତ ଖବର