ଜଗତସିଂହପୁର ଟାଉନ୍: ଜଣେ ବିଏସ୍ଏଫ୍ ଯବାନ ପ୍ଲାଜମା ଦାନ କରି ଚର୍ଚ୍ଚାକୁ ଆସିଛନ୍ତି। ଏହି ଯବାନ ଜଣଙ୍କ ହେଉଛନ୍ତି ରାଜୀବ ବରାଳ। ସେ ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ୍ ଓଳାଷ ଗାଁ ସୁକାନ୍ତ ବରାଳ ଓ ହର୍ଷଲତା ବରାଳଙ୍କ ବଡ଼ ପୁଅ। ତେବେ ଦେଢ଼ମାସ ତଳେ ସେ ନିଜ କର୍ମ ସ୍ଥାନରୁ ଘରକୁ ଆସିଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗ କରି ଆସିବା ପରେ ସରକାରଙ୍କ ଗାଇଡ୍ଲାଇନ୍ ଅନୁସାରେ ନିଜର କୋଭିଡ ପରୀକ୍ଷା କରିଥିଲେ। ପରୀକ୍ଷାରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା।
ଏହାପରେ ରାଜୀବଙ୍କୁ ପ୍ରଥମେ କୋଭିଡ୍ କେୟାର ଓ ପରେ ପାରାଦୀପ କୋଭିଡ୍ ହସ୍ପିଟାଲକୁ ନିଆଯାଇ ଚିକିତ୍ସା କରାଯାଇଥିଲା। ସେ ୧୫ ଦିନ ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ତେବେ ପ୍ଲାଜମା ଦ୍ୱାରା ଗୁରୁତର କରୋନା ରୋଗୀ ଭଲ ହେଉଥିବା ଜାଣି ନିଜ ତରଫରୁ ଆଗ୍ରହ ପ୍ରକାଶ କରି ସେ ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ କରିଥିଲେ। ତାଙ୍କୁ ପ୍ରଶାସନ ତରଫରୁ କଟକ ପ୍ଲାଜମା ସେଣ୍ଟରକୁ ନିଆଯାଇଥିଲା। ସେଠାରେ ପରୀକ୍ଷା ନିରୀକ୍ଷା ପରେ ସେ ପ୍ଲାଜମା ଦେବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ।
ରାଜୀବ ନିଜେ ସ୍ୱେଚ୍ଛାକୃତ ଭାବେ ଅତି ଉତ୍ସାହର ସହିତ ପ୍ଲାଜମା ଦାନ କରି ଅନ୍ୟ ଜଣଙ୍କ ଜୀବନ ବଂଚାଇ ବାରେ ସକ୍ଷମ ହୋଇଛନ୍ତି। ରାଜୀବ ପିଲାଦିନରୁ ସୈନିକ ହୋଇ ଦେଶ ସେବା କରିବା ପାଇଁ ଇଚ୍ଛା ରଖିଥିଲେ। ସେ ଯୁକ୍ତ ତିନି ପଢ଼ିବା ସମୟରେ ବିଏସ୍ଏଫ୍ରେ ନିଯୁକ୍ତି ପାଇଥିଲେ। ଏହାରି ଭିତରେ ସେ ପଞ୍ଚାବ, ଗୁଜୁରାଟ, କୋଲକତା, ଝାଡଖଣ୍ଡ ଅଂଚଳରେ ସୀମାରେ ରହି ଦେଶ ପାଇଁ କାମ କରିଛନ୍ତି।
ରାଜୀବ ଛୁଟିରେ ଗାଁକୁ ଆସିଲେ ପିଲାମାନଙ୍କୁ ନେଇ ଗାଁର ଫୋଖରୀ ରାସ୍ତା ସଫା ଠାରୁ ଆରମ୍ଭ କରି ଜନ ହିତକର କାମ କରିଥାନ୍ତି। ସେହିପରି ଲୋଟସ୍ କ୍ଲବ୍ ସଦସ୍ୟ ଭାବରେ କ୍ରୀଡ଼ା ଓ କ୍ରୀଡ଼ାବିତ୍ଙ୍କୁ ସବୁବେଳେ ସହାୟତା ଦେଇ ଆସିଛନ୍ତି। ତେବେ ତାଙ୍କର ଅଦମ୍ୟ ଇଚ୍ଛା ଓ ଉତ୍ସାହ ପାଇଁ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଟୁଇଟ୍ କରି ଶୁଭେଚ୍ଛା ଜଣାଇଛନ୍ତି। ରାଜୀବ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ବୋଲି ଜିଲ୍ଲାପାଳ କହିଛନ୍ତି।