କୋରାପୁଟ : ଅବିଭକ୍ତ କୋରାପୁଟ ବାସୀଙ୍କ ପାଇଁ ଖୁସି ଖବର। ଅଗଷ୍ଟ-ସେପ୍ଟମ୍ବରରୁ କୋରାପୁଟ, ମାଲକାନଗିରି, ରାୟଗଡା ଓ ନବରଙ୍ଗପୁର ମୁଖ୍ୟାଳୟରେ ଖୁବଶୀଘ୍ର ଆରମ୍ଭ ହେବ ୪ ଜି ସେବା। ପ୍ରଥମେ ଏହା ଜିଲ୍ଲା ମୁଖ୍ୟାଳୟ ଓ ବଡ ସହରରେ ଆରମ୍ଭ ହେବାକୁ ରହିଥିବାବେଳେ ପରେ ପରେ ଏହା ବ୍ଲକ ମୁଖ୍ୟାଳୟରେ ପହଞ୍ଚିବ। ଡିସେମ୍ବର ଶେଷ ସୁଦ୍ଧା ଅବିଭକ୍ତ କୋରାପୁଟ ଜିଲ୍ଲାରେ ପୂର୍ଣ୍ଣ ଭାବେ ୪ ଜି ସେବା ଆରମ୍ଭ ହେବ ବୋଲି ଜଣାପଡିଛି। ତେବେ କୋରାପୁଟ ଜିଲ୍ଲାର କୋରାପୁଟ ଓ ଜୟପୁର ସହର,ନବରଙ୍ଗପୁର ଓ ରାଇଘର, ମାଲକାନଗିରି, ରାୟଗଡା, ଜେକେପୁର, ଗୁଣୁପରୁ ପାଇଁ ଆରମ୍ଭ ହେବ ୪ ଜି ସେବା। ଏହାର ଦିନ କେଇଟା ପରେ ୪ ଜିଲ୍ଲାର ସବୁ ବ୍ଲକ ହେଡକ୍ବାଟରକୁ ଏହି ସେବା ଯିବ। ଏଥିପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି ସାରିଛି କୋରାପୁଟ ବିଏସଏନଏଲ ସର୍କଲ। ଜୟପୁର ଓ କୋରାପୁଟ ସହ ସେମିଳିଗୁଡା, ଦାମନଯୋଡି, ବୋରିଗୁମ୍ମା ଓ ସୁନାବେଢାରେ ମଧ୍ୟ ୪ ସେବା ଆରମ୍ଭ ହେବ। କୋରାପୁଟ ଜିଲ୍ଲାରେ ୮୫ଟି, ମାଲକାନଗିରି ଜିଲ୍ଲାରେ ୧୨, ରାୟଗଡା ଜିଲ୍ଳାରେ ୩୩, ନବରଙ୍ଗପୁର ଜିଲ୍ଲାରେ ୨୨ ଟାୱାର ପ୍ରତିଷ୍ଠା କରୁଥିବାବେଳେ ପୁରୁଣା ଟାୱାରକୁ ଅପଗ୍ରଡେ କରାଯାଇଛି। ଏନେଇ ଗତ ସପ୍ତାହେ ହେଲା କେନ୍ଦ୍ର ଟେଲିକମ୍ ବିଭାଗ, ଓଡ଼ିଶା ବିଏସଏନଏଲ ଓ କୋରାପୁଟ ବିଏସଏନଏଲ ପକ୍ଷରୁ ବହୁ ଆଲୋଚନା ଜାରି ରହିଛି। ଘନ ଘନ ବୈଠକ ବସୁଥିବାବେଳେ ଟାୱାର ପ୍ରତିଷ୍ଠା ଓ ଅପଗ୍ରେଡ ପାଇଁ କିପରି ସମସ୍ୟା ନ ଆସେ ନେଇ ପ୍ରସ୍ତୁତି ଶେଷ ହୋଇଥିବା ଜଣାପଡିଛି। ଅନ୍ୟପକ୍ଷରେ ଅନ୍ୟ ସର୍ଭିସ ପ୍ରୋଭାଇଡର ଚାର୍ଜ ବଢାଇ ଦେଇଥିବାରୁ ସେବା ପ୍ରଦାନକାରୀ ସଂସ୍ଥାରୁ ମୁହଁ ମୋଡି ବିଏସଏନଏନକୁ ପସନ୍ଦ କରୁଛନ୍ତି। ଏବେ ଯାଏ ଅବିଭକ୍ତ କୋରାପୁଟ ଜିଲ୍ଲାରେ ୨୭ଶହରୁ ଅଧିକ ଲୋକେ ବିଏସଏନଏଲକୁ ଫେରିଛନ୍ତି। ସବୁଠୁ ବଡ କଥା ହେଲା ଏହି ଯେଉଁ ଟାୱାର ବସିବ ସବୁ ଜାଗା ସରକାରଙ୍କ ପକ୍ଷରୁ ପ୍ରଦାନ କରାଯିବ। ୧୦ ବର୍ଷ ପାଇଁ ଜିଓ ଏହାର ରକ୍ଷଣାବେକ୍ଷଣ ଦାୟିତ୍ବ ନେବାକୁ ରହିଥିବାବେଳେ ବିଦ୍ୟୁତ ସଂଯୋଗ କରାଯିବାକୁ ଯୋଜନା ରହିଥିବାବେଳେ ସବୁ ଖର୍ଚ୍ଚ ଜିଓ ବହନ କରିବ ବୋଲି ସେ କହିଛନ୍ତି। ବିସଏନଏଲ ପକ୍ଷରୁ ଭାରତ ବ୍ରୋଡବ୍ୟାଣ୍ଡ ନେଟୱାର୍କ ଯୋଗାଣ ହେଉଛି। ପ୍ରତି ଗ୍ରାମପଞ୍ଚାୟତକୁ ହାଇସ୍ପିଡ ଇଣ୍ଟନନେଟ ଯୋଗାଣ ହେବାକୁ ଯୋଜନା ରହିଥିବାବେଳେ ଏଥିପାଇଁ ୫୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏବେ ଯାଏ କୋରାପୁଟ ଜିଲ୍ଲାରେ ୨୩୮ଟି ଜିପିରୁ ୧୮୫ଟି ଜିପିରେ ଇଣ୍ଟରନେଟ ସେବା ରହିଥିବାବେଳେ ନବରଙ୍ଗପୁର ଜିଲ୍ଲାରେ ୧୮୯ରୁ ୧୮୭, ରାୟଗଡାରେ ୧୮୧ରୁ ୧୫୭, ମାଲକାନଗିରି ଜିଲ୍ଲାରେ ୧୧୫ରୁ ୪୧ଟିରେ ଏହି ସେବା ଯୋଗାଣ ହେବାକୁ ଯୋଜନା ରହିଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp