କୋରାପୁଟ: ବିଶିଷ୍ଟ ସାହିତ୍ୟିକ ତଥା ଜ୍ଞାନପୀଠ ପୁରସ୍କାରପ୍ରାପ୍ତ ସ୍ବର୍ଗତ ଗୋପୀନାଥ ମହାନ୍ତିଙ୍କୁ କେନ୍ଦ୍ର ସରକାରଙ୍କ ପରିଚାଳିତ ବିଏସଏନଏଲର ଏପରି ସମ୍ମାନ। ସ୍କାରକୀ ହେବାକୁ ଜିଲ୍ଲା ପ୍ରଶାସନ ସବୁ ପ୍ରସ୍ତୁତି କରିସାରିଥିବାବେଳେ ଏହାକୁ ଉଣାଅଧିକେ ଶୁଣିନି ବିଏସଏନଏଲ। ସମୟ କ୍ରମେ ଔପନ୍ୟାସିକ ଗୋପିନାଥ ରହଣୀସ୍ଥଳୀ ତଥା ପ୍ରୟୋଗଶାଳାକୁ କୌଷଳ କରି ନିଜ ନାମରେ ପଟ୍ଟା କରାଇ ନେଇଥିବାବେଳେ ଏବେ ଏହାକୁ ଛାଡିବାକୁ ନାରାଜ। କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଏସଏନଏଲ ଗୋଦାମ ପାଇଁ ସ୍ଥାନ ଚିହ୍ନଟ କରିବାକୁ ଦିଆଯାଇଥିବାବେଳେ ଏବେ ଯାଏ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରତିଶ୍ରୁତିକୁ ମଧ୍ୟ ପାଳନ କରୁନି କୋରାପୁଟ ବିଏସଏନଏଲ। ଯେଉଁ ଘରେ ସାଧନା କରୁଥିଲେ ସେହି ଘର ଏବେ ଗୋଦାମଗୃହ। ଦୁଇ ବର୍ଷ ତଳେ ଏହି ପ୍ରୟୋଗଶାଳାକୁ ସ୍ମାରକୀ କରାଯିବାକୁ ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲା। ଇନଟାକର ତିନି ଜଣିଆ ଟିମ୍‌ ଆସି ବୁଲି ଯିବା ପରେ ମଧ୍ୟ ସ୍କାରକୀ ପ୍ରତିଷ୍ଠା ଦିଗ ଗୋଟିଏ ପାଦ ବି ଆଗେଇ ପାରିନାହିଁ। ଦିନେ ନୁହେଁ ଅଧେ ନୁହେଁ ପ୍ରାୟ ୨୫ ବର୍ଷ ହେଲା କୋରାପୁଟ ବିଏସଲଏନଏନ ପକ୍ଷରୁ ଅମିନ ଲାଇନରେ ରହିଥିବା ସ୍ବର୍ଗତ ଗୋପିନାଥଙ୍କ ବାସଭବନକୁ ଗୋଦାମ ଗୃହ ଭାବେ ବ୍ୟବହାର କରାଯାଉଛି।

Advertisment

ଶ୍ରୀଯୁକ୍ତ ମହାନ୍ତି କୋରାପୁଟ ଉପଜିଲ୍ଲାପାଳ ଭାବେ ଅନେକ ବର୍ଷ ରହିଥିଲେ। ତାଙ୍କର ଯିବା ପରେ ଏହି ଆବାସିକ ଗୃହଟି ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ହୋଇପଡିଥିଲା। ଏହାପରେ ରାଜସ୍ବ ବିଭାଗ ପକ୍ଷରୁ ଏହାକୁ ଏକ ମାତ୍ର ଟେଲିକମ୍‌ ଅନୁଷ୍ଠାନ ଭାବେ ବିଏସଏନଏଲକୁ ପ୍ରଦାନ କରାଯାଇଥିଲା। ଏହାପରେ ବିଏସଏନଏଲ ପକ୍ଷରୁ ମୁଖ୍ୟ ଗୋଦାମ ଗୃହ କରାଯାଇଛି। ଏହିଠାରୁ କୋରାପୁଟ ସହ ନବରଙ୍ଗପୁର, ରାୟଗଡା, ମାଲକାନଗିରିକୁ ଏହିଠାରୁ ଟେଲିକମ୍‌ ଜିନିଷପତ୍ର ପ୍ରଦାନ କରାଯାଉଛି। ଏହାକୁ ଛାଡିବାକୁ ବହୁ ବାର କୁହାଯାଇଥିଲେ ବି ବିଏସଏନଏଲ ଏହାକୁ ଛାଡିବାକୁ ନାରାଜ୍‌। ଏହି ଘଟଣାରେ ନିଜେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସ୍ମାରକୀ ପ୍ରତିଷ୍ଠା ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ। କିନ୍ତୁ ଜିଲ୍ଲାପ୍ରଶାସନ ପକ୍ଷରୁ ବିଏସଏନଏଲଙ୍କୁ ଅନ୍ୟ ସ୍ଥାନରେ ଗୋଦାମ ଗୃହ ଦେବାକୁ ରାଜି ଥିଲେ ମଧ୍ୟ କୌଣସି କାର୍ଯ୍ୟପନ୍ଥା ଗ୍ରହଣ କରୁ ନଥିବା ଜଣାପଡିଛି।

publive-image

ଯେଉଁ ଗୋପିନାଥ ମହାନ୍ତିଙ୍କ ପାଇଁ ସାରା ବିଶ୍ବ କୋରାପୁଟକୁ ସଳଖି ଦେଖିଲା ସେହି କୋରାପୁଟ ଆଜି ତାଙ୍କୁ ଆଡ ଆଖିରେ ଦେଖୁନି। ତାଙ୍କ ରଚିତ ‘ପରଜା’ ଓ ‘ଅମୃତସନ୍ତାନ’ ଏହି ଘରୁ ଜନ୍ମ ନେଇଥିବାବେଳେ ସେହି ଘର ଏବେ ଗୋଦାମ ଘର ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟନ୍ବିତ କରିଛି। ୧୯୧୪ ମସିହା ଏପ୍ରିଲ ମାସ ୨୦ ତାରିଖରେ କଟକ ଜିଲ୍ଲା ନାଗାବଳିରେ ଜନ୍ମ ଗ୍ରହଣ କରିଥିଲେ ସ୍ବର୍ଗତ ଗୋପିନାଥ ମହାନ୍ତି। ଇଂରାଜିରେ ଏମ.ଏ କରିବା ପରେ ୧୯୩୮ରେ ଓଡ଼ିଶା ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ। ତାଙ୍କର ପ୍ରଥମ ପୋଷ୍ଟିଂ କୋରାପୁଟରେ ହୋଇଥିଲା। ଏହି ସମୟରେ ସେ କନ୍ଧ ଓ ପରଜାଙ୍କ ସମ୍ପର୍କରେ ଆସିଥିଲେ। ସେମାନଙ୍କ ଜୀବନ ଶୈଳୀ ଓ ଭାଷାକୁ ଶିକ୍ଷା କରିଥିଲେ। ୨୯ ବର୍ଷ ବୟସରେ ସେ ‘ପରଜା’ ଓ ଏହାର ଠିକ ୪ ବର୍ଷ ପରେ ସେ ‘ଅମୃତ ସନ୍ତାନ’ ରଚନା କରିଥିଲେ। ତେବେ ସେ କୋରାପୁଟରେ ରହିବାବେଳେ ତାଙ୍କୁ ସରକାରୀ ବାସଭବନ ମିଳିଥିଲା। ଏହି ବାସଭବନ ଏବେ ବିଏସଏନଏଲ କର୍ତ୍ତୃପକ୍ଷଙ୍କର ଗୋଦାମ ରହିଛି। ଆଗରୁ ଏକ ତାଲା ଝୁଲୁଥିବାବେଳେ ଭିତରେ କାର୍ଯ୍ୟରେ ଲାଗୁଥିବା ଜିନିଷପତ୍ର ଭରିରହିଥିବା ଦେଖିବାକୁ ମିଳିଛି। ତେବେ ତିନିବର୍ଷ ତଳେ ଏହାକୁ ସଂଗ୍ରହଳାୟ କରିଯିବାକୁ ଯୋଜନା ହୋଇଥିଲା। କିନ୍ତୁ ସଂସ୍କୃତି ବିଭାଗର ଯୋଜନା ସବୁ ନାଲିଫିତା ତଳେ ରହିଗଲା। ଦିନକୁ ଦିନ ଏହି ଘର ଗୋଦାମଗୃହରେ ପରିଣତ ହୋଇ ପଡି ରହିଥିବା ଦେଖିବାକୁ ମିଳିଛି। ଏନେଇ କୋରାପୁଟ ଜିଲ୍ଲାପାଳ ଅବଦ୍ଦାଲ ଏମ. ଅଖତର କହିଛନ୍ତି ଯେ ଗୋପିନାଥ ସ୍ମାରକୀ ପ୍ରତିଷ୍ଠା ପାଇଁ ଏକାଧିକ ସମସ୍ୟା ଆସୁଛି। ବହୁବାର ଚିଠି କରିବା ପରେ ଗୋଦାମ ପାଇଁ ସ୍ଥାନ ମଧ୍ୟ ବିଏସଏନଏଲ ଦେବାକୁ ପ୍ରସ୍ତୁତି ଶେଷ ହୋଇଛି। ହେଲେ ବି କୌଣସି ସକରାତ୍ମକ ପ୍ରତିକ୍ରିୟା ଆସୁ ନ ଥିବାରୁ ସମସ୍ୟା ବଢୁଛି ବୋଲି ସେ କହିଛନ୍ତି।