ଆବଶ୍ୟକ ପରିମାଣର ରୋଡ଼ ସେଲ କୋଇଲା ନମିଳିବା ପ୍ରତିବାଦ: କୋଇଲା ପରିବହନ ରାସ୍ତା ଅବରୋଧ

ବ୍ରଜରାଜନଗର: ଆବଶ୍ୟକ ପରିମାଣର ରୋଡ଼ ସେଲ କୋଇଲା ନମିଳିବା ପ୍ରତିବାଦରେ ବ୍ରଜରାଜନଗର ଟ୍ରକ ମାଲିକ ସଙ୍ଘ ପୂର୍ବାହ୍ନ ୧୦ ଟାରୁ ରାସ୍ତା ଅବରୋଧ କରିଛନ୍ତି। ଫଳରେ ଏଠାକୁ ସମଲେଶ୍ବରୀ ଓ ଲଜକୁରା କୋଇଲା ଖଣିରୁ ଲଜକୁରା ସାଇଡିଙ୍ଗକୁ କୋଇଲା ପରିବହନ ବନ୍ଦ ରହିଛି। ଯେପର୍ଯ୍ୟନ୍ତ ଦାବି ହାସଲ ନହୋଇଛି କୋଇଲା ପରିବହନ ବନ୍ଦ ରହିବ ବୋଲି ସଂଘର ସଭାପତି ସତୀଶ ସିଂ ପ୍ରକାଶ କରିଛନ୍ତି।

ଏହା ଦ୍ବାରା ଏଠାରେ ଥିବା ତିନୋଟି ରେଲୱେ ସାଇଡିଙ୍ଗ ପ୍ରଭାବିତ ହେବ। ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗରରେ ଥିବା ଇବଭେଲି କ୍ଷେତ୍ର ଓ ଓରିଏଣ୍ଟ କ୍ଷେତ୍ରରୁ ରୋଡ଼ ସେଲ କୋଇଲା ୪୫୦ ରୁ ୫୦୦ ଟ୍ରକ ବିଭିନ୍ନ ଶିଳ୍ପ ସଂସ୍ଥାକୁ ପରିବହନ ହୋଇଥାଏ। ଏବେ ଦୈନିକ ମାତ୍ର ୧୦୦ ରୁ ୧୫୦ ଟ୍ରକ କୋଇଲା ଯାଉଛି।

ବ୍ରଜରାଜନଗର ଟ୍ରକ ମାଲିକ ସଂଘର ଦାବି ଅନୁସାରେ ଝାରସୁଗୁଡା ଜିଲ୍ଲା ଅନ୍ତର୍ଗତ ବ୍ରଜରାଜନଗର ଅଞ୍ଚଳରେ ଇବ ଭେଲି କ୍ଷେତ୍ର ଅଧୀନରେ ୨ଟି ଖୋଲାମୁହଁ କୋଇଲାଖଣି ଓ ଓରିଏଣ୍ଟ କୋଇଲା କ୍ଷେତ୍ର ଅଧୀନରେ ୩ଟି ଭୂତଳ କୋଇଲାଖଣି ରହିଛି। ଏହି ଖଣିରୁ ମାସିକ ୧୦ଲକ୍ଷ ମେଟ୍ରିକ ଟନ କୋଇଲା ଉତ୍ପାଦନ ହେଉଛି। କୋଲ ଇଣ୍ଡିଆର ନିୟମାନୁସାରେ ଉତ୍ପାଦନ କୋଇଲାର ୩୦ପ୍ରତିଶତ ଶିଳ୍ପ ସଂସ୍ଥାମାନଙ୍କୁ ସ୍ଥାନୀୟ ଟ୍ରକଗୁଡିକରେ ପରିବହନ ହେବ। କଥା।

ଏନେଇ ପୂର୍ବରୁ ସଙ୍ଘ ତରଫରୁ ସ୍ମାରକପତ୍ର ଦିଆଯାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ କିମ୍ବା ଏମସିଏଲ କର୍ତ୍ତୁପକ୍ଷ ଦୃଷ୍ଟି ନଦେବାରୁ ଟ୍ରକ ମାଲିକ, ଟ୍ରାନ୍ସପୋଟେର, ଡ୍ରାଇଭର, ହେଲଫର, ଗ୍ୟାରେଜ ମାଲିକ ସମେତ ମେକାନିକ ଆଦି ପରିବାର ଜୀବନ ଜୀବିକା ପ୍ରଭାବିତ ହୋଇଛି। ରୋଡ଼ ସେଲ କୋଇଲା ଅଭାବ ଯୋଗୁଁ ଏହା ଉପରେ ନିର୍ଭର କରି ପ୍ରତିପୋଷଣ ହେଉଥିବା ପରିବାରର ଅବସ୍ଥା ଖରାପ ହେବା ସହିତ ଚାକିରୀ ହରାଇ ଦୁର୍ଦ୍ଦିନରେ ସମୟ କାଟୁଛନ୍ତି।

ବ୍ରଜରାଜନଗର ଟ୍ରକ ମାଲିକ ସଙ୍ଘ ଅଧୀନରେ ୨ହଜାର ଟ୍ରକ ରହିଛି। ସେଥିରୁ ଦୈନିକ ମାତ୍ର ୧୦୦ ରୁ ୧୫୦ ଟ୍ରକ ଲୋଡିଙ୍ଗ ହେଉଛି। ଏହାଉପରେ ବ୍ରଜରାଜନଗରରେ ୨୦ ହଜାର ପରିବାର ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ନିର୍ଭର କରୁଥିବା ସମୟରେ ଏଭଳି ପରିସ୍ଥିତି ଯୋଗୁଁ ଏକ ଜଟିଳ ସମସ୍ୟା ଦେଇ ଗତି କରିବାକୁ ପଡୁଛି।

ଏଠାରୁ କୋଇଲା ନେଉଥିବା କମ୍ପାନିମାନେ ମୁଖ୍ୟତଃ ୱାଗନରେ କୋଇଲା ନେବାକୁ ଖଣି କର୍ତ୍ତୁପକ୍ଷଙ୍କୁ ବାଧ୍ୟ କରୁଥିବାରୁ ଏଭଳି ସମସ୍ୟା ଉପୁଜି ୨୦ ହଜାର ପରିବାର ଦୁର୍ଦଶା ଭିତରକୁ ଟାଣି ନେଇ ଯାଇଥିବା ଅଭିଯୋଗ କରିଛନ୍ତି।

ଟ୍ରକଗୁଡିକ ଚାଲୁ ନଥିବାରୁ ମାଲିକମାନେ ରୋଡ଼ ଟ୍ୟାକ୍ସ,ଇନ୍ସୁରାନ୍ସ, ପରମିଟ ଫି, ଆଦି ଦେବା ସମ୍ଭବ ହେଉନାହିଁ। ସେହିପରି ଅଧିକାଂଶ ଟ୍ରକଗୁଡିକ ଲୋନ ମାଧ୍ୟମରେ ଆସିଥିବାରୁ ମାସିକ କିସ୍ତି ଦେବା ଟ୍ରକ ମାଲିକଙ୍କ ପାଇଁ ସମ୍ଭବ ହେଉନାହିଁ। ଫଳରେ ଫାଇନାନ୍ସ କମ୍ପାନିମାନେ ଟ୍ରକଗୁଡିକ ଟାଣି ନେଉଥିବା ଭଳିପରିସ୍ଥିତି ଦେଖାଦେଇଛି।

ଅନେଇ ଜିଲ୍ଲା ପ୍ରଶାସନ ଓ କୋଇଲାଖଣି ଅଧିକାରୀ ଆବଶ୍ୟକ ପଦକ୍ଷେପ ନେବାକୁ ଲିଖିତ ଭାବେ ଜଣାଇ ନିରାଶ ହେବାପରେ ବାଧ୍ୟହୋଇ ରାସ୍ତା ଅବରୋଧ ଭଳି ଚରମ ପନ୍ଥା ଗ୍ରହଣ କରିବାକୁ ପଡିଲା ବୋଲି ସଭାପତି ସତୀଶ ସିଂ ପ୍ରକାଶ କରିଛନ୍ତି।

ରାସ୍ତା ଅବରୋଧ ସ୍ଥଳରେ ପୁଲିସ ମୁତୟନ ହୋଇଛି। ଏହି ରାସ୍ତା ଅବରୋଧ ଫଳରେ କୋଇଲା ଖଣିରୁ କୋଇଲା ପରିବହନ ବାଧାପ୍ରାପ୍ତ ହୋଇଛି। ଏହାର ପ୍ରଭାବ ୱାଗନ ଲୋଡିଙ୍ଗକୁ ପ୍ରଭାବିତ କରୁଛି। ଫଳସ୍ୱରୂପ ରାଜ୍ୟ ତଥା ରାଜ୍ୟ ବହାର ବିଭିନ୍ନଶିଳ୍ପ ସଂସ୍ଥାକୁ ଯିବାକୁ ଥିବା କୋଇଲା ଚାଲାଣ ପ୍ରଭାବିତ ହେବା ଆଶଙ୍କା ଦେଖା ଦେଇଛି।

ସମ୍ବନ୍ଧିତ ଖବର