ରାୟଗଡା: ଆସନ୍ତା ସାଧାରଣ ନିର୍ବାଚନକୁ ଆଖିଆଗରେ ରଖି ଜିଲ୍ଲାର ବେର ହାଉସରେ ବିୟୁ, ସିୟୁ ଏବଂ ଭିଭିପ୍ୟାଟ୍‌ ପହଞ୍ଚିଛି। ଗତ କିଛିଦିନ ତଳେ ବିୟୁ (ବାଲାଟ ୟୁନିଟ) ୨୩୦୦, ସିୟୁ (କଣ୍ଟ୍ରୋଲ ୟୁନିଟ) ୨୩୦୦ ପହଞ୍ଚିଥିବା ବେଳେ ସୋମବାର ୨୪୦୦ ଭିବିପେଟ ପହଞ୍ଚିଛି। ଏହା ପହଞ୍ଚିବା ପରେ ସୋମବାର ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ସ୍ବଧାଦେବ ସିଂହ ବେର ହାଉସର ପହଞ୍ଚି ସମସ୍ତ ବିୟୁ, ସିୟୁ ଏବଂ ଭିବପେଟର ତଦାରଖ କରିଥିଲେ। ଆସନ୍ତା ଅକ୍ଟୋବର ମାସରେ ସମସ୍ତ ଇଭିଏମର ଯାଞ୍ଚ କରାଯିବ। ସମସ୍ତ ଇଭିଏମ ଚାଲୁଛି କି ନାହିଁ ତାର ଏକ ପରୀକ୍ଷା କରାଯିବ। ଯେଉଁ ଇଭିଏମ ଗୁଡିକ ଚାଲୁନଥିବା ତାକୁ ତୁରନ୍ତ ବଦଳାଯିବ ବୋଲି ନିର୍ବାଚନୀ ବିଭାଗ ପକ୍ଷରୁ କୁହାଯାଇଛି। ସୋମବାର ଇଭିଏମ ଗୁଡିକ ରଖାଯାଇଥିବା ଷ୍ଟ୍ରଙ୍ଗ ରୁମ ଖୋଲାଯିବା ବେଳେ ବିଭିନ୍ନ ରାଜନୈତିକ ଦଳର କର୍ମୀମାନେ ମଧ୍ୟ ଉପସ୍ଥିତ ଥିଲେ।

Advertisment

publive-image Sambad

ଯେଭଳି କୌଣସି ବିଭ୍ରାଟ ନହୁଏ ସେଥିପାଇଁ ସବୁ ପ୍ରକାର ବ୍ୟବସ୍ଥା ନିର୍ବାଚନ ଅଧିକାରୀଙ୍କ ଦ୍ବାରା କରାଯାଇଛି। ସେହିପରି ଜିଲ୍ଲାର ୧୧ଟି ବ୍ଲକରେ ୮୭୧ଟି ବୁଥ ରହିଛି। ଆଜି ଜିଲ୍ଲାପାଳଙ୍କ ତଦାରଖ ବେଳେ ଉପଜିଲ୍ଲାପାଳ ମଧୁସୂଦନ ବେହେରା, ଡେପୁଟି କଲେକ୍ଟର ନିରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। କଡା ସୁରକ୍ଷା ଭିତରେ ଏହି ଇଭିଏମ ଗୁଡିକ ରଖାଯାଇଛି। ଦିନରାତି ଯବାନ ଇଭିଏମକୁ ପହରା ଦେଉଛନ୍ତି। ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ଏବେ ଠାରୁ ପ୍ରସ୍ତୁତି ଏକ ପ୍ରକାର ଆରମ୍ଭ ହୋଇଯାଇଥିବା ଦେଖିବାକୁ ମିଳିଥିଲା।