ବୁଗୁଡ଼ା: ପ୍ରସିଦ୍ଧ ଶୈବପୀଠ ତଥା ପର୍ଯ୍ୟଟନସ୍ଥଳୀ ବୁଦ୍ଧଖୋଲ ପାଦଦେଶରେ ବୁଦ୍ଧଖୋଲ ଉନ୍ନୟନ ସମିତି ପକ୍ଷରୁ ଆୟୋଜିତ ବୁଦ୍ଧଖୋଲ ମହୋତ୍ସବର ଶୁଭାରମ୍ଭ ହୋଇଯାଇଛି। ଉନ୍ନୟନ ସମିତି ସଭାପତି ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ପୌରୋହିତ୍ୟରେ ଆୟୋଜିତ ଉତ୍ସବକୁ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଉଦ୍ଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ସାନଖେମୁଣ୍ଡି ବିଧାୟିକା ନନ୍ଦିନୀ ଦେବୀ, ବ୍ରହ୍ମପୁର ମହାନଗର ନିଗମ ମେୟର ସଂଘମିତ୍ରା ଦଳେଇ, ବୁଗୁଡ଼ା ବ୍ଲକ୍ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଓ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ଏନ୍ଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ଉପାଧ୍ୟକ୍ଷା ଗିତାଞ୍ଜଳୀ ପାଢ଼ୀ, ଜିଲ୍ଲା ପରିଷଦ ସଦସ୍ୟ ଗଙ୍ଗାପାଣି ଜେନା, ସଦସ୍ୟା ଚାନ୍ଦିନୀ ନାୟକ, ସମିତା ସ୍ବାଇଁ, ବିରଞ୍ଚିପୁର ସରପଞ୍ଚ ମନ୍ଦାକିନୀ ସେଠୀ ଓ ସମିତିସଭ୍ୟା ଅଳକା ନନ୍ଦ ଯୋଗ ଦେଇ ଐତିହାସିକ ଶୈବପୀଠ ବୁଦ୍ଧଖୋଲରେ ଅଗଣିତ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସହ ଐତିହ୍ୟ ଓ ସଂସ୍କୃତିର ପ୍ରାଣକେନ୍ଦ୍ର ପାଲଟିଛି ବୋଲି ମତବ୍ୟକ୍ତ କରିଥିଲେ।
ଏହି ଅବସରରେ ମାଟ୍ରିକ୍ ଓ +୨ର ବ୍ଲକ୍ ଟପ୍ପରଙ୍କ ସମେତ ୫ମ ଶ୍ରେଣୀ ବୃତ୍ତି ପରୀକ୍ଷା-୨୦୨୩ର କୃତୀ ମେଧାବୀଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା। ମହୋତ୍ସବର ଉଦଘାଟନୀ ଦିବସରେ ଶାଶ୍ବତ ତ୍ରିପାଠୀଙ୍କ ସଙ୍ଗୀତ ସମସ୍ତଙ୍କୁ ବିମୋହିତ କରିଥିବା ବେଳେ କାନସାରଳା ଡ୍ୟାନ୍ସ ଗ୍ରୁପ୍, କାନକୁଟୁରୁ ଶିବ କାଳୀ ଢୋଲ ଚାଙ୍ଗୁ ଦଳ, ବୁଗୁଡ଼ା ବି.ବଏ ଡ୍ୟାନ୍ସ ଗ୍ରୁପ, ମା'ଠାକୁରାଣୀ ବାଘ ବୃଷଭ ନୃତ୍ୟ ଦଳ, ବଳଦେବଜୀୟୁ ମହିଳା ମହାବିଦ୍ୟାଳୟ ଡ୍ୟାନ୍ସ ଗ୍ରୁପ୍, ୟୁଭେନସ୍ ଡ୍ୟାନ୍ସ ଗ୍ରୁପ୍, ଏସ୍.କେ ଡ୍ୟାନ୍ସ ଗ୍ରୁପ୍, ଭାମଶ୍ୟାଳି ଯୋଡି ଶଙ୍ଖ ଦଳ, ଶୋଭନୀୟ ପବ୍ଲିକ୍ ସ୍କୁଲ୍ ଷ୍ଟୁଡେଣ୍ଟସ୍ ଡ୍ୟାନ୍ସ ଗ୍ରୁପ୍ ଆଦି ସେମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ବୁଦ୍ଧଖୋଲ ଉନ୍ନୟନ ସମିତି ସମ୍ପାଦକ ସୁରେଶ ଚନ୍ଦ୍ର ଦାଶ ସ୍ବାଗତ ଭାଷଣ ଓ ସହ-ସମ୍ପାଦକ ଗଙ୍ଗାଧର ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ। ଲିଜା ଓ ସାର୍ଥକ ମଞ୍ଚ ପରିଚାଳନା କରିଥିଲେ।