ଜୟପୁର: ଗତ କିଛିଦିନ ଲାଗି ରହିଥିବା ବର୍ଷା ଫଳରେ ରାଜରାଜୁଡ଼ା ଅମଳରେ ନିର୍ମାଣ ହୋଇଥିବା ରାଣୀମହଲ (ସୂର୍ଯ୍ୟମହଲ)ର ଗୋଟିଏ ପାର୍ଶ୍ବ ଭୁଷୁଡି ପଡ଼ିଛି। ରାଜା ମହାରାଜାଙ୍କ ଶାସନ ସମୟରେ ଏହାକୁ ରାଣୀ ମହଲ କୁହାଯାଉଥିଲା। ପରବର୍ତ୍ତୀ ସମୟରେ ଏସବିଆଇର ମୁଖ୍ୟଶାଖା ଦୀର୍ଘଦିନ ଧରି ଏଠାରେ ଚାଳିଥିଲା। ଏହା ସ୍ଥାନାନ୍ତର ହେବା ପରେ ଏହାର ଉପଯୁକ୍ତ ଦେଖାରଖା କିମ୍ବା ରକ୍ଷଣାବେକ୍ଷଣ ନ କରିବା ଫଳରେ ଏହି ଐତିହ୍ୟ ସଂପନ୍ନ ମହଲ ଏବେ ଧିରେ ଧିରେ ଭୁଷୁଡିବାରେ ଲାଗିଛି। ରାଜନଅରର ପୁନଃରୁଦ୍ଧାର ରାଜବଂଶ ପକ୍ଷରୁ ଆରମ୍ଭ କରିବା ପରେ ସବୁ ଏହି ସୂର୍ଯ୍ୟମହଲକୁ ମଧ୍ୟ ପୁନଃରୁଦ୍ଧାର କରିବେ ବୋଲି ଆଶା ପ୍ରକଟ କରିଥିଲେ। କିନ୍ତୁ ଏହା ହୋଇ ପାରିନଥିଲା।
ସଂପ୍ରତି ଏହି ଅଂଚଳ ଖାଲି ପଡ଼ିଆ ରହିଥିବାରୁ ପିଲା ମାନେ ଖେଳା ଖେଳି କରୁଛନ୍ତି। ଏହାର ପରିସର ଅନ୍ଧାର ରହିଥିବାରୁ ଅସମାଜିକ ତତ୍ବମାନେ ଆଡ୍ଡା ଜମାଉଛନ୍ତି। ଆଉ କିଛି ଜମି ମାପିଆଙ୍କ ଲେଲୁପ ନଜର ଏହି ଜମି ଉପରେ ବି ପଡ଼ିଛି। ଏବେ ବି ସମୟ ଅଛି ଏହି ଐତିହାସିକ କୀର୍ତ୍ତିରାଜିର ସୁରକ୍ଷା ଓ ସୁରକ୍ଷିତ କରିବା ପାଇଁ ରାଜବଂଶ କିମ୍ବା ସରକାର ପ୍ରୟାସ କରିବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।