ପୁରୀ: ସଦର ବ୍ଲକ୍‌ ରାଇଗୋରଡ଼ ଗ୍ରାମରେ ମା’ ଉଗ୍ରତାରାଙ୍କ ମନ୍ଦିର ପ୍ରତିଷ୍ଠା ହୋଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏଥିରେ ଯୋଗଦେଇ କହିଛନ୍ତି, ଈଶ୍ବରଙ୍କ ନିକଟରେ ଆମେ ସଭିଏଁ ଶିଶୁ। ଈଶ୍ବର ଆମ ଅଭିଭାବକ। ଆଧ୍ୟାତ୍ମିକତା ଓ ସେବା ଆମ ଅନ୍ତର ମଧ୍ୟରେ ରହିଛି। ଆମର ଜାତି ମଣିଷ, ଧର୍ମ ମାନବିକତା ଓ ଆମ ଶାସକ ସ୍ବୟଂ ଜଗନ୍ନାଥ। ଆଦ୍ୟାଶକ୍ତିଙ୍କ ସନ୍ତାନ ଭାବେ ଆମେ ଦିବ୍ୟତ୍ବକୁ ଅନୁସରଣ କରୁଛୁ। ଆଦିଶକ୍ତି ରକ୍ତବୀର୍ଯ୍ୟକୁ ସମାପ୍ତ କରିଥିଲେ। ସାଂପ୍ରତିକ ସ୍ଥିତିରେ ସେ ଧରିଥିବା ପାତ୍ରରେ ଆତଙ୍କବାଦୀଙ୍କ ରକ୍ତ ପାନ କରି ସେମାନଙ୍କୁ ଶେଷ କରିଦେବେ ବୋଲି କହିଥିଲେ।

Advertisment

ଏହି ଅବସରରେ ରାଇଗୋରଡ଼ ଗ୍ରାମରେ ନିର୍ମାଣାଧୀନ କଲ୍ୟାଣ ମଣ୍ଡପ ପାଇଁ ୧୦ଲକ୍ଷ ଟଙ୍କା ଦେବାକୁ ରାଜ୍ୟପାଳ ଘୋଷଣା କରିଛନ୍ତି। ଏଥିସହ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ସଂଗୀତ ପରିବେଷଣ କରିଥିବା ସଂଗୀତ ଟିମ୍‌ ଓ ଅନ୍ୟ ସହଯୋଗକାରୀଙ୍କୁ ଉପହାର ଦେବା ଉଦ୍ଦେଶ୍ୟରେ ୧ଲକ୍ଷ ଟଙ୍କା ପ୍ରଦାନ ପାଇଁ ଘୋଷଣା କରିଛନ୍ତି। ଏହି ଅବସରରେ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଅତିଥି ଭାବେ ଯୋଗଦେଇ କହିଥିଲେ ମନ୍ଦିର ପ୍ରତିଷ୍ଠା ଦ୍ବାରା ସଦ୍‌ଭାବନା ଉଦ୍ରେକ ହେବା ସହ ଭାଇଚାରା ବୃଦ୍ଧି ପାଇବ। ସମାଜରେ ସଂସ୍କାର ଆସିବାରେ ସହାୟକ ହେବ ବୋଲି କହିଥ‌ିଲେ।

ଆଇଟିଡିସିର ଅଧ୍ୟକ୍ଷ ଡ.ସମ୍ବିତ ପାତ୍ର ଅନ୍ୟତମ ଅତିଥି ଭାବେ ଯୋଗଦେଇ କହିଲେ, ମା’ଉଗ୍ରତାରାଙ୍କ ମନ୍ଦିର ପ୍ରତିଷ୍ଠା ଆମ ଆଧ୍ୟାତ୍ମିକ ଭାବନାକୁ ଅଧିକ ଋଦ୍ଧିମନ୍ତ ଓ ସମୃଦ୍ଧ କରିବ। ପ୍ରାରମ୍ଭରେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶଙ୍କର ପରିଡ଼ା ସମସ୍ତଙ୍କୁ ସ୍ୱାଗତ ସହ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ ସଭାପତି ରମେଶ ଚନ୍ଦ୍ର ସ୍ୱାଇଁ, ରାଜକିଶୋର ସ୍ୱାଇଁ, କରୁଣାକର ସ୍ୱାଇଁ, ନୃସିଂହ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟପାଳ ଓ ଅନ୍ୟ ଅତିଥିମାନେ ମନ୍ଦିର ପରିଦର୍ଶନ ଓ ଯଜ୍ଞ ସ୍ଥଳରେ ପୂଜାର୍ଚ୍ଚନା କରିଥିଲେ। ଶ୍ୟାମ ପ୍ରକାଶ ସେନାପତି ମଞ୍ଚ ପରିଚାଳନା କରିଥିଲେ।