ଭଦ୍ରକ: ବେଦାନ୍ତ ପ୍ଲାଣ୍ଟରେ କାମ କରୁଥିବା ବେଳେ ନିଆଁରେ ପୋଡ଼ି ଯାଇଥିବା ଶ୍ରମିକଙ୍କର ଗତକାଲି ରାତି ୨ଟାରେ ମୃତ୍ୟୁ ଘଟିଛି। ସେ ବମ୍ବେ ବର୍ଣ୍ଣ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଏହି ଶ୍ରମିକର ମୃତ୍ୟୁକୁ ନେଇ ଭଦ୍ରକ ବେଦାନ୍ତ ଗେଟ ଆଗରେ ଉତ୍ତେଜନା ଲାଗି ରହିଛି।

Advertisment

ବେଦାନ୍ତ ପ୍ଲାଣ୍ଟ ସମ୍ମୁଖରେ ଗତ ୧୩ ତାରିଖଠାରୁ ୧୪୪ ଧାରା ଜାରି ସତ୍ତ୍ୱେ ଅଞ୍ଚଳରେ ଉତେଜନା ପ୍ରକାଶ ପାଇଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଛି।

ସୂଚନାଯୋଗ୍ୟ, ପ୍ଲାଣ୍ଟରେ ଗତ ୧୨ ତାରିଖରେ କାମ କରୁଥିବା ୨ ଜଣ ଶ୍ରମିକଙ୍କ ଉପରେ ପ୍ଲାଣ୍ଟ ଫର୍ନେଶରୁ ନିଆଁ ପଡ଼ି ଯିବାର ସେମାନେ ପୋଡ଼ି ଯାଇଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ ଭଦ୍ରକ ଓ ପରେ ଭୁବନେଶ୍ଵରରେ କିମିସ ହସ୍ପିଟାଲ୍‌କୁ ଅଣା ଯାଇଥିଲା। ସେଠାରୁ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏୟାର ଲିଫ୍ଟରେ ବମ୍ବେ ବର୍ଣ୍ଣ ହସ୍ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।

ଜଣେ ଶ୍ରମିକଙ୍କର ଗତକାଲି ରାତିରେ ମୃତ୍ୟୁ ଘଟିଛି। ଏଇ ଘଟଣାକୁ ଲଗାଇ ଗତ ଦୁଇ ମାସ ଭିତରେ ଦୁଇ ଜଣ ଶ୍ରମିକଙ୍କର ପ୍ଲାଣ୍ଟରେ କାମ କରୁଥିବା ବେଳେ ମୃତ୍ୟୁ ଘଟିଲାଣି। ବେଦାନ୍ତ ପ୍ଲାଣ୍ଟର ଏଭଳି ପେପରୁଆ କାର୍ଯ୍ୟକୁ ନେଇ ଶ୍ରମିକ ମହଲରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।