ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଲୁଣିବାହଲ ପଞ୍ଚାୟତ ଅନ୍ତର୍ଗତ କଣ୍ଟିଆ ପଦର ଗ୍ରାମରେ ଅଗ୍ନିକାଣ୍ଡ ଘଟି ଅନନ୍ତ ଭୋକ୍ତା ଏବଂ ସନନ୍ତ ଭୋକ୍ତାଙ୍କ ୨ବଖରା ଘର ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି।

Advertisment

ଖବର ପାଇ ଚାରିଛକ ସ୍ଥିତ ହରଭଙ୍ଗା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।ପ୍ରାପ୍ତ ସୂଚନା ଅନୁଯାଇ ସକାଳ ପ୍ରାୟ ୯.୩୦ ସମୟରେ ଘରେ ବାରିପଟେ ଥିବା ନଡ଼ାଗଦାରୁ ହଠାତ ନିଆଁ ଲାଗି ପୋଡିଯିବା ସହ ସେଥିରୁ ନିଆଁଝୁଲା ଉଡି ଅନନ୍ତ ଓ ସନନ୍ତ ଦୁଇ ଭାଇଙ୍କ ଘରେ ନିଆଁ ଲାଗି ଯାଇଥିଲା। ଫଳରେ ଘରେ ଥିବା ଧାନ ଚାଉଳ ଲୁଗାପଟା  ଅସବାବ ପତ୍ର ଏବଂ ଘରକରଣା ଜିନିଷ ସବୁ ପୋଡିଯାଇଥିଲା। ଉଭୟ ପରିବାର ସଦସ୍ୟମାନେ ଏବେ ବାସହରା ହୋଇ ଅନ୍ୟର ପିଣ୍ଡାରେ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି। ଗ୍ରାମର ଲୋକେ ଏ ଖବର ଅଗ୍ନୀଶମ ବିଭାଗକୁ ଫୋନ କରି ଜଣାଇଥିଲେ।

ଅଗ୍ନିଶମ ବାହିନୀ ଓ ଗ୍ରାମବାସୀମାନେ ମିଳିତ ଉଦ୍ୟମରେ ନିଆଁକୁ ଆୟତ୍ତ୍ କରିବାରୁ ଅନ୍ୟ ଆଡକୁ ନିଆଁ ସମ୍ପ୍ରସାରଣ ହେବାରୁ ରକ୍ଷା ପାଇଯାଇଥିଲା। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ସେମାନଙ୍କୁ ସ୍ଥାନୀୟ ପଞ୍ଚାୟତ କିମ୍ବା ପ୍ରଶାସନ ପକ୍ଷରୁ କୌଣସି ସହାୟତା ମିଳିନଥିବା ଜଣାଯାଇଛି। କରୋନା ଆପଦା ସହ ଗ୍ରୀଷ୍ମପ୍ରବାହକୁ ଦ୍ରୁଷ୍ଟିରେ ରଖି ଅଗ୍ନି ବିପନ୍ନ ପରିବାରଙ୍କୁ ତୁରନ୍ତ ଆର୍ଥିକ ସହାୟତା ଓ ଥଇଥାନ କରାଯିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।