ଖଣ୍ଡପଡ଼ା: ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଜଗନ୍ନାଥପ୍ରସାଦ ପଞ୍ଚାୟତ ଦରଦା ଗ୍ରାମ ଅଧିନ ବଧି ପୋଖରୀ ନିକଟରେ ଏକ ଯାତ୍ରୀବାହୀ ବସ ଓଲଟି ପଡିଥିବା ସୂଚନା ମିଳିଛି। ବିଳମ୍ବିତ ସନ୍ଧ୍ୟାରେ ବ୍ରହ୍ମପୁରରୁ କଟକ ଜିଲ୍ଲା ନରସିଂହପୁର ଅଭିମୁଖେ ଯାଉଥିବା ଚୌଧୁରୀ ନାମକ ଘରୋଇ ବସଟି ଦରଦା ଗ୍ରାମ ନିକଟରେ ଏକ ବିଲ ମଧ୍ୟକୁ ଖସିପଡିଥିବା ବେଳେ ବହୁ ଯାତ୍ରୀ ଆହତ ହୋଇଛନ୍ତି। ଦୁର୍ଘଟଣାରେ ବସର ହେଲପର ମୃତ୍ୟୁବରଣ କରିଥିବା ଜଣାପଡ଼ିଛି ।

Advertisment

ଖବରପାଇ ଖଣ୍ଡପଡ଼ା ଓ ଭାପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଜଣାପଡିଛି। ତେବେ କାଳବୈଶାଖୀ ପ୍ରଭାବରେ ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟ ବିଳମ୍ବିତ ହୋଇଥିବା ଜଣାପଡ଼ିଛି। ଆହତଙ୍କ ମଧ୍ୟରୁ ୮ଜଣ ଗୁରୁତରଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ନୟାଗଡ଼ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ୭ଜଣଙ୍କୁ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ଥିବା ଆହତମାନେ ମାମିନା ରାଉତ, ସନ୍ତୋଷ ରାଉତ, ନିଳାଦ୍ରୀ ସାହୁ, ଶୁଭ୍ରାଂଶୁ ଶେଖର ନାୟକ, ବିଳାସିନୀ ଜେନା, ସାଇ ନାୟକ, ତାରାକାନ୍ତ ପଣ୍ଡା ଓ ପ୍ରଫୁଲ୍ଲ ପ୍ରଧାନ। ଅନ୍ୟପକ୍ଷରେ ଗୁରୁତର ଦୁଇ ମହିଳା ମାମିନା ରାଉତ ଏବଂ ବିଳାସିନୀ ଜେନାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ସୂଚନା ରହିଛି। ଫତେଗଡ଼ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚଳାଇଥିବା ବେଳେ ବସର ଗୋଟିଏ ପାଖରେ ଚାପି ହୋଇ ହେଲପରର ମୃତ୍ୟୁ ହୋଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ଜଣାପଡିଛି। ଶେଷ ଖବର ସୁଦ୍ଧା ଦୁର୍ଘଟଣା ଗ୍ରସ୍ତ ବସଟିକୁ ଖାଲ ମଧ୍ୟରୁ ଉଦ୍ଧାର କରାଯାଇଥିବା ବେଳେ ମୃତ ହେଲପର ନୟାଗଡ଼ ଜିଲ୍ଲା ଇକିରି ଗ୍ରାମର ବୋଲି ଜଣାପଡ଼ିଛି।