ଡିଭାଇଡରରେ ପିଟିହୋଇ ଓଲଟିଲା ବସ୍‌, ୭ ଯାତ୍ରୀ ଆହତ

କୋରେଇ/ବ୍ୟାସନଗର: କୋରେଇ ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ଯାଜପୁରରୋଡ୍‌-ପାଣିକୋଇଲି ରାସ୍ତାର ଧନେଶ୍ବର ଛକ ନିକଟରେ ଆଜି ଅପରାହ୍‌ଣରେ ଏକ ଯାତ୍ରୀବାହୀ ବସ୍‌ ଡିଭାଡରରେ ପିଟି ହୋଇ ଓଲଟି ପଡ଼ିଛି। ଫଳରେ ୭ଜଣ ଆତହ ହୋଇଛନ୍ତି। ସେମାନଙ୍କୁ ଯାଜପୁରରୋଡ୍‌ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ ମଧ୍ୟରେ ଅଛନ୍ତି ବିଂଝାରପୁର ଥାନା କାଣ୍ତିସାହିର ସବିତା କର(୪୨), ତାଙ୍କ ପୁଅ ହିତେଶ କର(୧୮) ଓ ଝିଅ ଈପ୍‌ସିତା କର(୧୪), ଅଳକୁଣ୍ତର ମିର୍ଜା ମସୁଦ ବେଗ(୩୬), ତାଙ୍କ ପୁଅ ମିର୍ଜା ମହମଦ ଅନଫ(୫), ବେଣିପୁର ଡାହାଲା ଗ୍ରାମର ପ୍ରଫୁଲ୍ଲ ପରିଡ଼ା (୪୦) ଓ ଯାଜପୁରରୋଡ୍‌ ଦଳା ଗ୍ରାମର ପ୍ରଦୀପ କୁମାର ରାଉତ (୪୮)। ୫ବର୍ଷର ଶିଶୁ ମିର୍ଜା ମହମଦ ଅନଫର ଅବସ୍ଥା ସଂକଟାପନ୍ନ ଥିବାରୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

‘ସୀମା’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ (ଓଆର ୦୨ଏଏଚ ୩୩୫୭) ଟି ଆଜି ଅପରାହ୍‌ଣ ପ୍ରାୟ ସାଢ଼େ ୩ଟା ବେଳେ ପାଣିକୋଇଲିରୁ ସୁକିନ୍ଦା ଅଭିମୁଖେ ଯାଉଥିଲା। ସେଥିରେ ୧୦ ରୁ ଅଧିକ ଯାତ୍ରୀ ଯାଜପୁରରୋଡ୍‌ ଓ ସୁକିନ୍ଦା ଯିବା ନିମନ୍ତେ ବସିଥିଲେ। ଯାତ୍ରୀଙ୍କ କହିବା ଅନୁଯାୟୀ ସେମାନଙ୍କୁ ନେଇ ବସଟି ଆସୁଥିଲା ବେଳେ ଆଲିଆ ଛକଠାରୁ ବସ୍‌ଟି ଖରାପ ହେବାରୁ ଗୋଟେ ପାଖକୁ ଢଳିଢଳି ଚାଲୁଥିଲା। ଯାତ୍ରୀମାନେ ଏହା ଜଣାଇବା ସତ୍ତ୍ବେ ଚାଳକ ବସ ଅଟକାଇ ନଥିଲା। ଧନେଶ୍ବର ଛକ ନିକଟରେ ଭାରସାମ୍ୟ ହରାଇ ଡିଭାଇଡରେ ପିଟିହୋଇ ବସଟି ଓଲଟି ପଡିଥିଲା। ଯାତ୍ରୀମାନେ ବସ୍‌ ମଧ୍ୟରେ ଚାପି ହୋଇଯାଇଥିଲେ। ସ୍ଥାନୀୟ ଲୋକେ ପହଞ୍ଚି ସେମାନଙ୍କୁ ଉଦ୍ଧର କରିଥିଲେ। ଜାତୀୟ ରାଜପଥ ଆମ୍ବଲାନ୍ସ ଯୋଗେ ଆହତମାନଙ୍କୁ ଯାଜପୁରରୋଡ୍‌ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେମାନଙ୍କୁ ସେଠାରେ ସ୍ଥାନୀୟ ଯୁବ ସମାଜସେବୀ ରାଜେଶ କୁମାର ରାଉତଙ୍କ ସହଯୋଗ କ୍ରମେ ଚିକିତ୍ସା କରାଯାଇଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚି ବସକୁ ଜବତ କରିଛି। ଚାଳକ ଓ କ୍ଲିନର ଘଟଣାସ୍ଥଳୁ ଫେରାର ହୋଇଯାଇଛନ୍ତି। ରାସ୍ଥାର ଉଭୟପାର୍ଶ୍ବରେ ବସ୍‌, ଟ୍ରକ ଆଦି ଅଟକି ରହିବା ଯୋଗୁଁ ଜାତୀୟ ରାଜପଥ ଜାମ୍‌ ହୋଇ ଯାଇଥିଲା। କୋରେଇ ଓ ପାଣିକୋଇଲି ଥାନା ପୁଲିସ ପହଞ୍ଚି ଜାମ୍‌ ହଟାଇ ଗାଡ଼ି ଚଳାଚଳ ସ୍ବାଭାବିକ କରିଥିଲେ। ଏନେଇ କୋରାଇ ଥାନାରେ ୩୧୧/୨୨ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଶ୍ରବଣ କୁମାର ମହାରଣା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର