ଯାତ୍ରୀବାହୀ ବସ ଓଲଟି ଜଣେ ମୃତ, ୨ ଗୁରୁତର ସହ ୨୦ ଆହତ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ନିକଟରେ ଆଜି ଅପରାହ୍ନରେ ଏକ ଯାତ୍ରୀବାହୀ ବସ ଓଲଟି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଥିବା ଜଣାଯାଇଛି। ମୃତକଙ୍କ ନାମ ଏମ୍‌ଡି ରାଜୁ ବୋଲି ଜଣାପଡ଼ିଛି। ଆହତମାନଙ୍କ ମଧ୍ୟରେ ୨ ଜଣଙ୍କ ଅବସ୍ଥା ଗୁରୁତର ଅଛି। ସେମାନଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ରାହୁଲ ରୋହନ (ଓଡି ୧୪ଆର-୩୮୬୨) ନାମରେ ଏକ ବସ ଆଜି ପ୍ରାୟ ୪୦ ଜଣ ଯାତ୍ରୀଙ୍କୁ ନେଇ ରାଉରକେଲାରୁ ବୀରମିତ୍ରପୁର ଅନ୍ତର୍ଗତ ରାଇବଗାକୁ ଯାଉଥିଲା। ଅପରାହ୍ନ ସାଢ଼େ ୩ଟାର ଏହି ଯାତ୍ରୀବସ୍‌ଟି ଏକ ଗାଡ଼ିକୁ ଓଭରଟେକ କରୁଥିବା ବେଳେ ଲାସେସ୍ଥିତ ଚର୍ଚ୍ଚ ନିଟକରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ହିଁ ଏମ୍‌ଡି ରାଜୁଙ୍କ ମୃତ୍ୟୁ ଘଟିଥିଲା।

ତେବେ ସ୍ଥାନୀୟ ଲୋକଙ୍କ ସହଯୋଗରେ ସମସ୍ତ ଆହତଙ୍କୁ ପ୍ରଥମେ ବୀରମିତ୍ରପୁର ଓ କୁଆଁରମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସୂଚନା ପାଇ ବୀରମିତ୍ରପୁର ଓ କୁଆଁରମୁଣ୍ଡା ପୁଲିସ ଘଟଣାସ୍ଥଳରେ ପହଁଚି ମୃତହେଦ ଜବତ କରିଛି। ଦୁର୍ଘଟଣାଗ୍ରସ୍ତ ଯାତ୍ରୀବସକୁ ଜବତ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର