ଗୋଡ଼ଭଙ୍ଗା ଘାଟିରେ ଓଲଟିଲା ବସ୍; ଜଣେ ମୃତ, ୨୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ 

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ସୀମାବର୍ତ୍ତୀ ଗୋଡ଼ଭଙ୍ଗା ଘାଟିରେ ଯାତ୍ରୀବାହୀ ବସ୍ ଓଲଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଆହତମାନଙ୍କୁ ଭର୍ତ୍ତି କରାଯାଇଛି। ୬ଜଣ ଗୁରୁତରଙ୍କୁ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ପରେ ବସରେ ନିଆଁ ଲାଗି ଯାଇଥିବାବେଳେ ଅଗ୍ନିଶମବାହିନୀ ଏହାକୁ ଆୟତ୍ତ କରିଛି।

ମିଳିଥିବା ସୂଚନା ଅନୁସାରେ, ରାଇରଙ୍ଗପୁରରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ମା’ତାରିଣୀ ବସ୍ ଦିନ ସାଢେ ୧୦ଟାବେଳେ ମୟୂରଭଞ୍ଜ ଜିଲ୍ଲା ମହୁଲଡ଼ିହା ଥାନା ଗୋଡ଼ଭଙ୍ଗା ଘାଟି ନିକଟରେ ଓଲଟି ରାସ୍ତାର ୨୦ଫୁଟ ତଳକୁ ଖସି ପଡିଥିଲା। ଗାଡିରେ ଫସି ରହିଥିବା ଯାତ୍ରୀମାନଙ୍କୁ ସ୍ଥାନୀୟ ଲୋକେ, ଅଗ୍ନିଶମବାହିନୀ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଇଥିଲେ।

ଡାକ୍ତରଖାନାରେ ବସର ହେଲପର କୁହାଯାଉଥିବା କୋରେଇ ଥାନା କଣ୍ଟାଝରୀ ଗ୍ରାମର ଶିଶିର ଦାସ(୩୦)ଙ୍କର ଦିନ ଦୁଇଟାବେଳେ ମୃତ୍ୟୁ ହୋଇଥିଲା। ଗୁରୁତର ଥିବା ଡ୍ରାଇଭର ଚଣ୍ଡିଖୋଲର ପ୍ରଶାନ୍ତ ବେହେରା(୩୫)ଙ୍କ ସମେତ‌ ନିପାଣିଆ ଗ୍ରାମର ସୁଶାନ୍ତ କୁମାର ବାନ୍ଦିଆ(୨୨), ରାଇରଙ୍ଗପୁରର ସଂଜୟ କୁମାର ଦାସ(୪୫), ଯଶିପୁରର ସୁଦୀପ୍ତା ମହାନ୍ତ(୧୯), ବନ୍ତର ନାରାୟଣ ପଣ୍ଡାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ପରେ ବସରେ ନିଆଁ ଲାଗିଯାଇଥିଲା। ଆନନ୍ଦପୁର ଅଗ୍ନିଶମବାହିନୀ ପକ୍ଷରୁ ନିଆଁକୁ ଆୟତ୍ତ କରାଯାଇଥିଲା।

ସମ୍ବନ୍ଧିତ ଖବର