ରାଉରକେଲା: ନୂଆ ବସଷ୍ଟାଣ୍ଡରେ ଛିଡା ହୋଇଥିବା ଏକ ବସ୍ରେ ନିଆଁ ଲାଗି ୪୦% ଜଳିଯାଇଛି। ସିଟ୍ଗୁଡ଼ିକ ଜଳି ଯାଇଥିବା ବେଳେ ସମ୍ମୁଖ ପାଖ ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ଅଗ୍ନିଶମ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିବାରୁ ବସଷ୍ଟାଣ୍ଡର ଏକ ବଡଧରଣର ଅଘଟଣକୁ ରୋକା ଯାଇପାରିଛି। କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଅନୁମାନ କରାଯାଉଛି। ବସ୍ ମାଲିକଙ୍କ ଅଭିଯୋଗ ଆଧାରରେ ପ୍ଲାଣ୍ଟସାଇଟ୍ ପୁଲିସ ଘଟଣାର ତଦନ୍ତ ଚଳାଇଛି।
ମିଳିଥିବା ସୂଚନା ମୁତାବକ ରାଉରକେଲାରୁ ସୁନ୍ଦରଗଡର ବିରକେରା ଚାଲୁଥିବା ‘ମଙ୍ଗଳମ୍’ ନାମକ ଘରୋଇ ବସ୍ ଅନୁମତି ଅବଧି ଶେଷ ହୋଇଥିଲା। ଏଥିପାଇଁ ମାଲିକ ଏମ୍.ସି. ମହାନ୍ତ ବସ୍ଟିକୁ ନୂଆ ବସଷ୍ଟାଣ୍ଡର ଆହାର କେନ୍ଦ୍ର ଗ୍ୟାରେଜ୍ ପାର୍ଶ୍ଵରେ ଛିଡା କରି ଦେଇଥିଲେ। ଆଜି ଜନତା କର୍ଫ୍ୟୁ ପାଇଁ ନୂଆ ବସଷ୍ଟାଣ୍ଡରେ ଶହ ଶହ ବସ୍ ଛିଡା ହୋଇଥିଲା। ସଂଧ୍ୟା ପ୍ରାୟ ସାଢ଼େ ୫ଟାରେ ବସ୍ ଭିତରୁ ହଠାତ୍ ଧୂଆଁ ବାହାରୁଥିବା ଦେଖି ଦୋକାନୀ ଓ ଯାତ୍ରୀମାନେ ପାଟି କରିଥିଲେ।
ସେଠାରେ ଛିଡା ହୋଇଥିବା ଅନ୍ୟ ଗାଡିର ଡ୍ରାଇଭରମାନେ ଏ ସଂକ୍ରାନ୍ତରେ ଅଗ୍ନିଶମ ଓ ବସ୍ ମାଲିକଙ୍କୁ ଜଣାଇଥିଲେ। ଅଗ୍ନିଶମ ଘାଡି ପହଞ୍ଚି ନିଆଁକୁ ଆୟତ୍ତ କରିବା ପୂର୍ବରୁ ବସ୍ ଭିତରେ ସିଟ୍ ସମେତ ସମ୍ମୁଖଭାଗ କିଛି ଅଂଶ ଜଳି ଯାଇଥିଲା।
ସୂଚନାଯୋଗ୍ୟ, ଗତ ପ୍ରାୟ ଦେଢ଼ ମାସ ତଳେ ଅନୁମତି ନଥିବାରୁ ବସଷ୍ଟାଣ୍ଡରେ ଛିଡା ହୋଇଥିବା ଦୁଇଟି ବସ୍ରେ ଭୋର ପ୍ରାୟ ୪ଟାରେ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ। ଅଗ୍ନିଶମ ଗାଡି ପହଞ୍ଚିବା ପୂର୍ବରୁ ବସ୍ ଦୁଇଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା।